ନୂଆଦିଲ୍ଲୀ : ବିହନ ପାଇଁ ଚିନ୍ତାରେ ଥିଲେ ସେ । କାରଣ ତାଙ୍କ ଅଞ୍ଚଳରୁ ଏପରି କିଛି ଫସଲର ବିହନ ଓ ମଞ୍ଜି ସବୁ ସରିସରି ଆସୁଥିଲା । ହଜି ଯାଉଥିଲା ବି । ଏଥିପାଇଁ ଆଉ କିଛି ମହିଳାଙ୍କୁ ସେ ସାଙ୍ଗ କରିନେଲେ । ଏହାରି ଭିତରେ 8ବର୍ଷ ବିତି ଗଲାଣି। ବିହନ ଓ ମଞ୍ଜି ସବୁକୁ ସଂରକ୍ଷଣ କରିବାରେ । ହଁ ମାତ୍ର 15 ଜଣ ମହିଳାଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ମଞ୍ଜି ବା ବିହନ ସଂରକ୍ଷଣକାରୀ ଗୋଷ୍ଠୀ ଏବେ 30ଟି ଗାଁକୁ ବ୍ୟାପିଛି। କେବଳ ବ୍ୟାପିନି ଏକ ସ୍ୱତନ୍ତ୍ର ପରିଚିତି ସହ 10 ଲକ୍ଷ ଟଙ୍କାର ପୁରସ୍କାର ଲାଗି ହକଦାର ହୋଇଛି। ପାଠ କମ୍ ହୋଇଥିଲେ ବି ଲକ୍ଷ୍ୟ ଓ ନିଷ୍ଠା ମହତ। ତାହା ହିଁ ତ ସଫଳତା। ଆଉ ଏହି ସଫଳତାର ଆଗରେ ବିବିଜାନ ମୌଲାସାବ ହାଲେମାନି। ଏ ଯାତ୍ରା ନଥିଲା ସହଜ । ଏବେବି ଚୁଡ଼ାନ୍ତ ଲକ୍ଷ୍ୟରେ ପହଞ୍ଚି ନାହିଁ, କିନ୍ତୁ ସଂଘର୍ଷ ଓ ସଫଳତାର କାହାଣୀକୁ ଏଡ଼ାଇ ହେବନି।

କର୍ଣ୍ଣାଟକର ଧାରୱାଡ ଜିଲ୍ଲାର କୁନ୍ଦଗୋଲ ତାଲୁକ ଅନ୍ତର୍ଗତ ତୀର୍ଥା ଗାଁର ବିବିଜାନ ମୌଲାସାବ ହାଲେମାନି। ୨୦୧୮ ରେ ସେ ନିଜ ଗାଁର ଅନ୍ୟ ୧୪ ଜଣ ମହିଳାଙ୍କୁ ଏକାଠି କରିଥିଲେ। ସମସ୍ତଙ୍କ ଉଦ୍ଦେଶ୍ୟ ଥିଲା ଗୋଟିଏ। ଧୀରେ ଧୀରେ ହଜିଯାଉଥିବା ପାରମ୍ପରିକ ଫସଲ ଓ ଦେଶୀ ବିହନକୁ ସଂରକ୍ଷଣ କରିବା। ଏହି ମହିଳାମାନେ ମିଶି ଗଠନ କରିଥିଲେ 'ବିବି ଫାତିମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ' । ୩୦ଟି ଗାଁର ଚାଷୀଙ୍କୁ ପାରମ୍ପରିକ ଚାଷ ପ୍ରତି ଆକୃଷ୍ଟ କରିବା ସହ ଦେଶୀ ବିହନର ସଂରକ୍ଷଣ ଓ ପ୍ରସାର ପାଇଁ କାମ କରୁଛି ଏହି ଗୋଷ୍ଠୀ। ଏହି ଉଲ୍ଲେଖନୀୟ କାମ ପାଇଁ ଗୋଷ୍ଠୀକୁ 'ପ୍ଲାଣ୍ଟ ଜିନୋମ୍ ସେଭିୟର କମ୍ୟୁନିଟି ଆୱାର୍ଡ' ପାଇଁ ଚୟନ କରାଯାଇଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ଲାଣ୍ଟ ଭେରାଇଟିଜ୍ ଆଣ୍ଡ ଫାର୍ମର୍ସ ରାଇଟ୍ସ ପ୍ରୋଟେକ୍ସନ ଅଥରିଟି ପକ୍ଷରୁ ଏହି ପୁରସ୍କାର ଦିଆଯିବ। ଏଥିରେ ରହିଛି ୧୦ ଲକ୍ଷ ଟଙ୍କାର ନଗଦ ରାଶି ସହ ପ୍ରମାଣପତ୍ର ଓ ସ୍ମୃତିଚିହ୍ନ।

ବିବିଜାନଙ୍କ ଏହି ଯାତ୍ରା ପଛରେ ରହିଛି ବାପାଙ୍କ ପ୍ରେରଣା। ପିଲାବେଳୁ ସେ ନିଜ ବାପାଙ୍କୁ ପାରମ୍ପରିକ ବିହନ ସଂଗ୍ରହ ଓ ସଂରକ୍ଷଣ କରୁଥିବା ଦେଖି ଆସିଥିଲେ। ହେଲେ ସମୟ ବଦଳିବା ସହ ଚାଷ ପଦ୍ଧତିରେ ପରିବର୍ତ୍ତନ ଆସିଲା। ଚାଷୀମାନେ ପାରମ୍ପରିକ ଫସଲ ଛାଡ଼ି ଅଧିକ ଲାଭ ଆଶାରେ ମକା, କପା ଓ ଧାନ ଭଳି ଫସଲ ଚାଷ କରିବାକୁ ଲାଗିଲେ। ଫଳରେ ମିଲେଟ୍ କିସମ ଧୀରେ ଧୀରେ ହଜିବାକୁ ଲାଗିଲା। ମିଲେଟ୍ ଚାଷରେ ଆଶାନୁରୂପ ଲାଭ ମିଳୁନଥିବାରୁ ଓ ପ୍ରକ୍ରିୟାକରଣ କରିବାରେ ଅଧିକ ପରିଶ୍ରମ ହେଉଥିବାରୁ ଚାଷୀମାନେ ଏହି ଚାଷରୁ ମୁହଁ ଫେରାଉଥିଲେ। ଏହାକୁ ଦେଖି ବିବିଜାନ ଓ ଅନ୍ୟ ମହିଳାମାନେ ପାରମ୍ପରିକ ବିହନ ସଂଗ୍ରହ କରି ଚାଷୀଙ୍କୁ ଉପଲବ୍ଧ କରାଇବାର ଯୋଜନା କରିଥିଲେ। ଏହି କାମରେ ସେମାନଙ୍କୁ ଜୈବିକ ଚାଷ ଓ ସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେଉଥିବା ସଂସ୍ଥା 'ସହଜ ସମୃଦ୍ଧ'ର ସହଯୋଗ ମିଳିଥିଲା।

୨୦୧୮ରେ ବିବିଜାନଙ୍କ ଘର ପାଖରେ ଆରମ୍ଭ ହୋଇଥିଲା ସାମୁଦାୟିକ ବିହନ ବ୍ୟାଙ୍କ। ପ୍ରଥମେ ମହିଳାମାନେ କେବଳ ମିଲେଟ୍ ବିହନ ସଂଗ୍ରହ ଓ ବଣ୍ଟନ ଉପରେ ଗୁରୁତ୍ୱ ଦେଇଥିଲେ। ପରେ ଏଥିରେ ଡାଲିଜାତୀୟ ଫସଲ, ତୈଳବୀଜ, ଧାନ ଓ ପନିପରିବାର ବିହନକୁ ମଧ୍ୟ ସାମିଲ କରାଯାଇଥିଲା। ଚାଷୀମାନେ ଏଠାରୁ ଆବଶ୍ୟକ ଅନୁସାରେ ବିହନ ନେଇ ଚାଷ କରିପାରିବେ। ଆଉ ଅମଳ ପରେ ନେଇଥିବା ବିହନଠାରୁ ଅଧିକ ପରିମାଣର ବିହନ ଫେରସ୍ତ କରିବେ। ଏହାଦ୍ୱାରା ବିହନର ଅଭାବ ହେଉନାହିଁ ଏବଂ ଅଧିକ ଚାଷୀ ଏହାର ଲାଭ ପାଇପାରୁଛନ୍ତି। ଏକ ରିପୋର୍ଟ ଅନୁସାରେ, ଏହି ଗୋଷ୍ଠୀ ଏବେ ୨୫୦ରୁ ଅଧିକ ପ୍ରକାରର ପାରମ୍ପରିକ ବିହନ ସଂରକ୍ଷଣ କରି ରଖିଛି। ଏଥିରେ ରହିଛି ୭୦ ପ୍ରକାରର ମାଣ୍ଡିଆ, ୨୫ ପ୍ରକାରର ସୁଆଁ, ୨ ପ୍ରକାରର ବ୍ରାଉନଟପ୍ ମିଲେଟ୍, ୨୫ ପ୍ରକାରର କୋଳଥ, ୧୦ ପ୍ରକାରର ବୁଟ ଏବଂ ୨୫ ପ୍ରକାରର ଧାନ ବିହନ। ଏହାବ୍ୟତୀତ କାଙ୍ଗୁ, ମୁଗ, ବିଭିନ୍ନ ପ୍ରକାରର ତୈଳବୀଜ ଓ ଦେଶୀ ପନିପରିବାର ବିହନ ମଧ୍ୟ ରହିଛି। ଏହି ବିହନଗୁଡ଼ିକର ବିଶେଷତ୍ୱ ହେଉଛି, ସେଗୁଡ଼ିକ ସ୍ଥାନୀୟ ଜଳବାୟୁ ଓ ମାଟିର ପରିସ୍ଥିତି ସହ ଖାପ ଖୁଆଇ ଚାଷ ହୋଇପାରିବ।

ବଡ଼ କଥା ହେଉଛି ଚାଷୀଙ୍କୁ ଏହି ପାରମ୍ପରିକ ଫସଲ ଚାଷ ପାଇଁ ରାଜି କରାଇବା ଥିଲା କଷ୍ଟକର । ସେଥିପାଇଁ ମହିଳାମାନେ 'ସହଜ ସମୃଦ୍ଧ' ପକ୍ଷରୁ ମିଳୁଥିବା ନବଧାନ୍ୟ କିଟ୍ ଚାଷୀଙ୍କୁ ବଣ୍ଟନ କରିବା ଆରମ୍ଭ କରିଥିଲେ। ଏହି କିଟ୍ରେ ୯ ପ୍ରକାରର ମିଲେଟ୍ ବିହନ ରହୁଥିଲା। ଯାହାକୁ ଗୋଟିଏ ଏକର ଜମିରେ ଚାଷ କରିହେବ। ଏହାଦ୍ୱାରା ଚାଷୀମାନେ ଏକାଥରକେ ବିଭିନ୍ନ ପ୍ରକାରର ମିଲେଟ୍ ଚାଷ କରିବାର ସୁଯୋଗ ପାଇଲେ। ଫଳରେ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ବଢ଼ିଥିଲା ଆଗ୍ରହ । ତାପରେ ମହିଳାମାନେ ବୁଝିଥିଲେ, କେବଳ ବିହନ ଯୋଗାଇଦେଲେ ଚାଷୀଙ୍କ ସମସ୍ୟା ଦୂର ହେବନି। ଅମଳ ପରେ ମିଲେଟ୍ ସଫା କରିବା ଓ ପ୍ରକ୍ରିୟାକରଣ କରିବା ପାଇଁ କିଛି କରିବାକୁ ପଡ଼ିବ। ଏହି ସମସ୍ୟାର ସମାଧାନ ପାଇଁ ୨୦୨୨ରେ ତୀର୍ଥା ଗାଁରେ ଏକ ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯାଇଥିଲା। ଯେଉଁଠି ବିଭିନ୍ନ ପ୍ରକାରର ମେସିନ୍ ସହଜରେ ଉପଲବ୍ଧ ହେଇଥିଲା।
Also Read- ବାରମ୍ବାର ଘଣ୍ଟାରେ 11:11 ଦେଖିବା ଏକ ସଂଯୋଗ ନା ଏହା ପଛରେ ରହିଛି ମନୋବିଜ୍ଞାନ ?

ଏହି ଯାତ୍ରା ଏତେ ସହଜ ନଥିଲା। ଆରମ୍ଭରେ ଗାଁର ଅନେକ ଲୋକ ମହିଳାମାନଙ୍କ ଏହି କାମକୁ ଗୁରୁତ୍ୱ ଦେଉନଥିଲେ। କେହି କେହି ସେମାନଙ୍କୁ ଥଟ୍ଟା ବି କରୁଥିଲେ। ହେଲେ ଏସବୁ ପ୍ରତିବନ୍ଧକ ସେମାନଙ୍କ ମନୋବଳ ଭାଙ୍ଗି ପାରିନଥିଲା। ଆଜି ସେହି ଛୋଟ ପ୍ରୟାସ ଜାତୀୟସ୍ତରରେ ପାଇଛି ପରିଚୟ । ୧୪ ଜଣ ମହିଳାଙ୍କ ଏହି ଉଦ୍ୟମ କେବଳ କିଛି ପାରମ୍ପରିକ ବିହନକୁ ସଂରକ୍ଷଣ କରିନାହିଁ, ବରଂ ଚାଷୀଙ୍କ ଜୀବିକା, ପାରମ୍ପରିକ କୃଷି ଜ୍ଞାନ ଓ ସ୍ଥାନୀୟ ଖାଦ୍ୟ ସଂସ୍କୃତିକୁ ମଧ୍ୟ ନୂଆ ଜୀବନ ଦେଇଛି। ବାସ୍ତବିକ ପରିବର୍ତ୍ତନ ଆଣିବା ପାଇଁ ବଡ଼ ପଦବୀ କିମ୍ବା ବଡ଼ ପୁଞ୍ଜିର ଆବଶ୍ୟକତା ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ସାମୂହିକ ପ୍ରୟାସ ଥିଲେ ସବୁ ସମ୍ଭବ, ଏହାର ଉଦାହରଣ ବିବିଜାନ ଓ ତାଙ୍କ ମହିଳା ଗୋଷ୍ଠୀ।