ଭୁବନେଶ୍ୱର: ବିବାହ ହେଉଛି ଜୀବନର ଏକ ବଡ଼ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଜଣେ ଭଲ ଜୀବନସାଥୀ ବୈବାହିକଜୀବନକୁ ସୁନ୍ଦର କରିପାରନ୍ତି, ସେହିପରି ଭୁଲ୍ ଜୀବନସାଥୀଙ୍କ ଚୟନ ଜୀବନରେ ଅନେକ ସମସ୍ୟା ଓ ମାନସିକ ଚାପ ସୃଷ୍ଟି କରିପାରେ। ଯାହା ଫଳରେ ଅନେକ କ୍ଷେତ୍ରରେ ବିବାହ ଅଧିକ ଦିନ ତିଷ୍ଠି ପାରେନି ଓ ସମ୍ପର୍କ ସବୁଦିନ ପାଇଁ ଭାଙ୍ଗିଯାଏ । କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ଲୋକେ ଜାଣିଶୁଣି କିପରି ଭୁଲ୍ ଜୀବନସାଥୀ ବାଛି ନିଅନ୍ତି ?

ପ୍ରଥମତଃ ଏହାର କାରଣ ହେଉଛି ଭଲପାଇବାରେ ଅନ୍ଧ ହୋଇଯିବା । କାହାକୁ ଭଲପାଇବା ସମୟରେ ଅନେକ ଲୋକ ତାଙ୍କର ଖରାପ ଗୁଣକୁ ଅଣଦେଖା କରିଦିଅନ୍ତି । ସାଥୀଙ୍କ ଭୁଲ୍ ଆଚରଣକୁ ମଧ୍ୟ ପ୍ରେମର ନାମ ଦେଇ ସହିଯାଆନ୍ତି। ଫଳରେ ସମ୍ପର୍କର ଆରମ୍ଭରୁ ଥିବା ସମସ୍ୟା ପରବର୍ତ୍ତୀ ସମୟରେ ବଡ଼ ରୂପ ନେଇଥାଏ। ସେଭଳି ଏହାର ଆଉ ଏକ କାରଣ ହେଉଛି ଜୀବନରେ ଏକୁଟିଆ ରହିବାର ଭୟ ସତେଇବା । ଅନେକ ଲୋକ ଏକୁଟିଆ ରହିବାକୁ ଭୟ କରନ୍ତି। ଏହି କାରଣରୁ ସେମାନେ ନିଜ ପାଇଁ ଏପରି ଏକ ସାଥି ବାଛି ନିଅନ୍ତି ଯିଏ କି ତାଙ୍କ ପାଇଁ ଉପଯୁକ୍ତ ହୋଇନଥାନ୍ତି । କିନ୍ତୁ କେବଳ ଏକୁଟିଆପଣ ଦୂର କରିବା ପାଇଁ ଜଣକ ସହ ସମ୍ପର୍କରେ ଆସିବା ପରେ ଭବିଷ୍ୟତରେ ବଡ଼ ଦୁଃଖର କାରଣ ସାଜିଥାଏ । ସେଭଳି ରେଡ୍ ଫ୍ଲାଗ୍ ବ୍ୟକ୍ତିଙ୍କୁ ଅଣଦେଖା କରିବା । ରେଡ ଫ୍ଲାଗ ଅର୍ଥାତ ଜଣେ ସାଥୀ ବାରମ୍ବାର ମିଛ କହିବା, ଅତ୍ୟଧିକ ସନ୍ଦେହ କରିବା, ଆପଣଙ୍କ ଜୀବନଶୈଳୀକୁ ନିୟନ୍ତ୍ରଣ କରିବା କିମ୍ବା ଅପମାନଜନକ ବ୍ୟବହାର କରିବା ଭଳି ଲକ୍ଷଣ ଦେଖାଇଲେ ମଧ୍ୟ ଅନେକ ଲୋକ ଏହାକୁ ଅଣଦେଖା କରି ତାଙ୍କୁ ନିଜ ଜୀବନରେ ପ୍ରବେଶ କରନ୍ତି । ପରେ ଏହି ଆଚରଣ ଦାମ୍ପତ୍ୟ ଜୀବନରେ ବଡ଼ ସମସ୍ୟା ସୃଷ୍ଟି କରିଥାଏ।

ଆଉ କିଛି ଲୋକ ଏମିତି ବି ଅଛନ୍ତି ଯିଏ କି ଜୀବନସାଥୀ ବାଛିବା ବେଳେ ଚେହେରା, ଆକର୍ଷଣ ଓ ଆର୍ଥିକ ସ୍ଥିତିକୁ ଅଧିକ ଗୁରୁତ୍ୱ ଦିଅନ୍ତି । କିନ୍ତୁ ତାଙ୍କ ଚରିତ୍ର , ବ୍ୟବହାର , ଆଉ ମନ ଦେଖନ୍ତି ନାହିଁ । ଦୀର୍ଘସ୍ଥାୟୀ ସମ୍ପର୍କ ପାଇଁ ପରସ୍ପର ପ୍ରତି ସମ୍ମାନ, ବିଶ୍ୱାସ, ବୁଝାମଣା ଓ ଭାବନାତ୍ମକ ସମର୍ଥନ ଅଧିକ ଜରୁରୀ। ବେଳେ ବେଳେ କିଛି ଲୋକ ସମାଜର ଚାପରେ ପଡି ମଧ୍ୟ ଭୁଲ ନିଷ୍ପତ୍ତି ନେଇଯାନ୍ତି । ଅଧିକାଂଶ ପରିବାର, ବନ୍ଧୁବାନ୍ଧବ ଓ ସମାଜର ଚାପ ଯୋଗୁଁ ଅନେକ ଲୋକ ତରବରିଆ ଭାବେ ବିବାହ କରିଦିଅନ୍ତି। ବୟସ ବଢ଼ୁଛି କିମ୍ବା ଅନ୍ୟମାନଙ୍କ ବିବାହ ହୋଇଯାଉଛି ବୋଲି ଭାବି ନିଜ ପସନ୍ଦ ଓ ଆବଶ୍ୟକତାକୁ ଅଣଦେଖା କରି ବିବାହ କରିନିଅନ୍ତି । ଯାହା ପରେ ସାଥି ଭଲ ନ ପଡିଲେ ବୈବାହିକ ଜୀବନ ଅଶାନ୍ତିରେ କଟିଥାଏ । 

ନିଜର ଆବଶ୍ୟକତା, ଜୀବନର ଲକ୍ଷ୍ୟ ଓ ପସନ୍ଦ ବିଷୟରେ ସ୍ପଷ୍ଟ ଧାରଣା ନଥିଲେ ଉପଯୁକ୍ତ ଜୀବନସାଥୀ ବାଛିବା କଷ୍ଟକର ହୋଇଯାଇଥାଏ । ତେଣୁ ପ୍ରଥମେ ନିଜକୁ ବୁଝିବା ଜରୁରୀ । ଜୀବନସାଥୀଟିଏ ବାଛିବା ପୂର୍ବରୁ ପରସ୍ପରକୁ ଭଲ ଭାବେ ଜାଣିବା ସହ ଖୋଲାଖୋଲି କଥା ହେବା ଆବଶ୍ୟକ । ଉଭୟଙ୍କ ଜୀବନର ଲକ୍ଷ୍ୟ, ଆର୍ଥିକ ଚିନ୍ତାଧାରା, ପରିବାର ପ୍ରତି ଦାୟିତ୍ୱ ଓ ବ୍ୟକ୍ତିଗତ ସ୍ୱାଧୀନତାକୁ ନେଇ ଆଲୋଚନା କରିବା ନିହାରୀ ଜରୁରୀ । ବୈବାହିକ ଜୀବନର ସବୁଠାରୁ ବଡ଼ କଥା ହେଉଛି, ଯେଉଁ ସମ୍ପର୍କରେ ସମ୍ମାନ, ବିଶ୍ୱାସ ଓ ସୁରକ୍ଷା ନାହିଁ, ସେହି ସମ୍ପର୍କକୁ କେବଳ ପ୍ରେମର ନାମ ଦେଇ ଆଗକୁ ବଢ଼ାଇବା ଠିକ ନୁହେଁ । ତେଣୁ ଜୀବନସାଥୀ ବାଛିବା ପୂର୍ବରୁ ପ୍ରଥମେ ଜୀବନସାଥିଙ୍କୁ ଭଲରେ ଜାଣନ୍ତୁ ।