ବର୍ଦ୍ଧମାନ : ସାଧାରଣତଃ ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ରଖିବା ପାଇଁ ବାପାମାଆ ଅନେକ ପ୍ରକାରର ପ୍ରଲୋଭନ ଦେଖାଇଥାନ୍ତି । ପରୀକ୍ଷାରେ ଯଦି ଭଲ ମାର୍କ ଆଣିବୁ ତୋ ପାଇଁ ଭଲ ଡ୍ରେସ୍ , ସାଇକେଲ୍, ମୋବାଇଲ କିଣେଇ ଦେବି… ଏମିତି କଥା ପରୀକ୍ଷା ପୂର୍ବରୁ ବାପାମାନେ କହିଥା’ନ୍ତି । ଆଉ ପରେ ଭଲ ନମ୍ବର ରଖିଲେ ପିଲାମାନଙ୍କୁ ଭଲ ଉପହାର ଦେଇ ଉତ୍ସାହିତ ମଧ୍ୟ କରିଥାନ୍ତି। କିଏ ନୂଆ ମୋବାଇଲ୍ ଦିଏ ତ କିଏ ସାଇକେଲ୍ କିମ୍ବା ଅନ୍ୟ କିଛି ଉପହାର ଦେଇଥାନ୍ତି । କିନ୍ତୁ ପଶ୍ଚିମବଙ୍ଗର ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ବାପା ଯେଉଁ ଉପହାର ଦେଇଛନ୍ତି, ତାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ସେ ତାଙ୍କ ପୁଅଙ୍କୁ ଏତେବଡ ଦାମୀ ଗିଫ୍ଟ ଦେଇଛନ୍ତି ଯାହାର କଳ୍ପନା ନିଜେ ଛାତ୍ର ଜଣକ ବି କେବେ କରିନଥିଲେ ।

ପିଲାଙ୍କୁ ସଫଳତାର ସିଡ଼ିରେ ଚଢ଼ାଇବା ପାଇଁ ବାପା,ମା’ଙ୍କୁ ଅନେକ ପୁରସ୍କାରର ସାହାରା ନେବାକୁ ପଡ଼ିଥାଏ । କିନ୍ତୁ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଜଣେ ବାପା ନିଜ ପୁଅକୁ ଏମିତି ଗିଫ୍ଟ ଦେଇଛନ୍ତି ଯେ ଏବେ ପୂରା ଦେଶରେ ହାଇଲାଇଟ ହେଉଛି । ଛାତ୍ର ଜଣକ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର ୧୫ ବର୍ଷୀୟ ମହମ୍ମଦ ତଲହା । ସେ ବର୍ତ୍ତମାନ ୯ମ ଶ୍ରେଣୀରେ ପଢୁଛନ୍ତି।ତେବେ ଛାତ୍ର ଜଣକ ଅର୍ଦ୍ଧବାର୍ଷିକ ପରୀକ୍ଷାରେ ଭଲ ନମ୍ବର ରଖିଥିବାରୁ ତାଙ୍କ ବାପା ଶାମସୁଦ୍ଦିନ ମିଦ୍ୟା ତାଙ୍କୁ ୨ କୋଟି ୩୦ ଲକ୍ଷ ଟଙ୍କା ମୂଲ୍ୟର ଦାମୀ BMW M4 କାର ଉପହାରରେ ଦେଇଛନ୍ତି । ଏ ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୂଚନାନୁଯାୟୀ, ବର୍ଦ୍ଧମାନ ସହରର ଏକ ପ୍ରତିଷ୍ଠିତ ସ୍କୁଲର ଅର୍ଦ୍ଧବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା ଯେଉଁଥିରେ ବ୍ୟବସାୟୀ ଶାମସୁଦ୍ଦିନଙ୍କ ପୁଅ ଭଲ ପ୍ରଦର୍ଶନ କରି ସଫଳତା ହାସଲ କରିଥିଲେ । ପୁଅର ପରିଶ୍ରମ ଏବଂ ସଫଳତାରେ ଖୁସି ହୋଇ ବାପା ତାଙ୍କୁ ଦୁନିଆର ସବୁଠୁ ବଡ଼ ଗିଫ୍ଟ ଦେବେ ବୋଲି ଘୋଷଣା କରିଥିଲେ । ତା’ପରେ ସେ ପୁଅକୁ ନେଇ କାର୍ ସୋ’ରୁମରେ ସବୁଠୁ ମହଙ୍ଗା କାର୍ ବୁକ୍ କରିଥିଲେ । ବାପାଙ୍କ ଦ୍ୱାରା ଦିଆଯାଇଥିବା ଏହି BMW କାରଟି ମଡର୍ଣ୍ଣ ଏବଂ ଏଥିରେ ଅନେକ ସୁବିଧା ରହିଛି। ଭାରତୀୟ ବଜାରରେ ଏହାର ମୂଲ୍ୟ ପ୍ରାୟ ୨.୩୦ କୋଟି ଟଙ୍କା ଅଟେ ।

ସେପଟେ ପୁଅର ସଫଳତା ଆଉ ନୂଆ ଗାଡ଼ି ଘରକୁ ଆସିଥିବାରୁ ଘରେ ଉତ୍ସବର ମାହୋଲ ଦେଖାଯାଇଛି । ଖବରଟି ସୋସିଆଲ୍ ମିଡିଆରେ ପୋଷ୍ଟ୍ ହେବା ପରେ ଝଡ଼ ପରି ଭାଇରାଲ୍ ହୋଇଥିଲା । କେତେକ ୟୁଜର୍ସ ଏହାକୁ ପୁଅ ପ୍ରତି ପ୍ରେମ ଏବଂ ବାପାଙ୍କ ଭଲପାଇବା ବୋଲି କହୁଥିବାବେଳେ ଆଉ କିଛି ଏହାକୁ ବାପାଙ୍କର ଲୋକଦେଖାଣିଆ ପ୍ରେମ ଏବଂ ପୁଅକୁ ଅହଂକାରୀ କରାଇବା ରାସ୍ତାରେ ନେଉଛନ୍ତି ବୋଲି କହୁଛନ୍ତି । ଯଦିଓ ବାପା,ମା’ ସବୁବେଳେ ଚାହାନ୍ତି ଯେ ସେମାନଙ୍କ ପିଲା ପାଠପଢ଼ାରେ ଆଗକୁ ବଢ଼ି ସଫଳ ହୁଅନ୍ତୁ କିନ୍ତୁ ଏଭଳି କୋଟି କୋଟି ଟଙ୍କାର ଉପହାର ଦେବା ପରମ୍ପରାକୁ ନେଇ ଶିକ୍ଷାବିତ୍ମାନେ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ଯେ ପିଲାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଭଲ ବହି, ପ୍ରଶଂସା କିମ୍ବା ଛୋଟ ଉପହାର ଯଥେଷ୍ଟ କିନ୍ତୁ ବିଳାସପୂର୍ଣ୍ଣ ଭେଟି ଦେବା ଦ୍ୱାରା ପିଲାମାନେ ଜୀବନର ପ୍ରକୃତ ମୂଲ୍ୟ ଏବଂ କଠିନ ପରିଶ୍ରମର ଗୁରୁତ୍ୱ ଭୁଲିଯାଇପାରନ୍ତି ।