କୋଣାର୍କ ୧୬।୪: ରାଜ୍ୟ ସରକାରଙ୍କ ଗ୍ରୀଷ୍ମକାଳୀନ ବ୍ୟବସ୍ଥା ଅନୁସାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନକୁ ସକାଳୁଆ କରାଯାଇଛି । ହେଲେ ଗୋପ ବ୍ଲକ୍‌ରେ ଏହି ନିୟମ ଖୁଲମଖୁଲା ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି । ସରକାରୀ ନିୟମ ଅନୁସାରେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଚାଲିବା କଥା । ଗୋପ ବ୍ଲକରେ କାଗଜ କଲମରେ ସକାଳୁଆ ଅଫିସ ଚାଲୁଛି ସତ ହେଲେ ବାସ୍ତବରେ ତାହା ନୁହେଁ । ବାବୁ-ବାବୁଆଣୀ ମାନେ ଆସୁଛନ୍ତି ୧୦ଟାରେ ଯାଉଛନ୍ତି ୧୨ଟାରେ ବୋଲି ଅଭିଯୋଗ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗୋପ ବ୍ଲକ୍ ୩୧ ଗୋଟି ପଞ୍ଚାୟତ ଏବଂ କୋଣାର୍କ ବିଜ୍ଞାପିତ ଅଞ୍ଚଳକୁ ନେଇ ଗଠିତ । ଏଠାକୁ ପ୍ରତିଦିନ ହଜାର ହଜାର ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଛନ୍ତି । ହେଲେ ବ୍ଲକର ବିଭିନ୍ନ ବିଭାଗରେ ତାଲା ପଡିଥିବାରୁ ଦୀର୍ଘ ସମୟ ଅଫିସ୍ ଆଗରେ ବସି ରହୁଛନ୍ତି ବରିଷ୍ଠ ନାଗରିକ ସହ ସାଧାରଣ ଲୋକ । ଏପରିକି ବ୍ଲକକୁ ବାରମ୍ବାର ଦୌଡ଼ିଲା ପରେ ବି ବାବୁ ମାନଙ୍କ ସହ ଦେଖା ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଅଧିକାରୀ ମାନେ ଏକ ପ୍ରକାର ସକାଳୁଆ ଅଫିସକୁ ମାନୁ ନଥିବା ବେଳେ ମନଇଚ୍ଛା ଅଫିସକୁ ଆସୁଛନ୍ତି ।

Also Read:- Honey bee attacks: ଝିଅକୁ ବଞ୍ଚାଇବାକୁ ଯାଇ ମହୁମାଛି କବଳରେ ପଡ଼ିଗଲେ ଶିକ୍ଷକ, ଛୁଟି ହୋଇଗଲା ସ୍କୁଲ

ସେପଟେ ଦୀର୍ଘ ଦିନ ହେବ ଗୋପ ବ୍ଲକରେ ବିଡ଼ିଓ ପଦଦୀ ଖାଲି ରହିଥିବା ବେଳେ ପ୍ରଶାସନିକ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛି । ବର୍ତ୍ତମାନ ଗୋପ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଅତିରିକ୍ତ ବିଡ଼ିଓ ଭାବେ ଦାୟିତ୍ଵ ତୁଲାଉଛନ୍ତି । ଫଳରେ ତହସିଲ କାର୍ଯ୍ୟରେ ମଧ୍ୟ ବାଧା ଉପୁଜୁଥିବା ଅଭିଯୋଗ ହେଉଛି ।

ବିଭିନ୍ନ ସମୟରେ କାର୍ଯ୍ୟାଳରେ ବାବୁ-ବାବୁଆଣୀଙ୍କ ଚୌକି ଖାଲି ପଡିଥିବା ବେଳେ, ଟେବୁଲ ଉପରେ ଗଦା ଗଦା ଫାଇଲ ପଡ଼ି ରହିଥିବା ଦେଖିବାକୁ ମିଳୁଛି । ଫଳରେ ବ୍ଲକ୍ କାର୍ଯ୍ୟ ଯେମିତି ଏକପ୍ରକାର ଠପ୍ ହୋଇଯାଇଛି । ପ୍ରଶାସନିକ ଅନୁଶାସନର ଏପରି ଅବସ୍ଥା ଲୋକଙ୍କୁ ଚିନ୍ତାରେ ପକାଇଛି । ସକାଳୁଆ କାର୍ଯ୍ୟାଳୟ ବ୍ୟବସ୍ଥା କେବଳ କାଗଜରେ ସୀମିତ ରହିଯାଇଛି ଯେମିତି । ଡିଜିଟାଲ ଉପସ୍ଥିତି ବ୍ୟବସ୍ଥା ଲାଗୁ ନ ହେବାରୁ ଏହି ସମସ୍ୟା ଉପୁଜୁଛି ବୋଲି ବୁଦ୍ଧିଜୀବୀ ମତ ଦେଉଛନ୍ତି । ଅଧିକାରୀଙ୍କ ମନମାନି ଯୋଗୁ ଗୋପ ବ୍ଲକକୁ ଆସୁଥିବା ସାଧାରଣ ଲୋକ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।