• ନିର୍ବାଚନ ଆୟୋଗ ରାଜ୍ୟର ୫୦ରୁ ଅଧିକ ବରିଷ୍ଠ ଅଧିକାରୀଙ୍କୁ ଅଚାନକ ବଦଳି କରିଦେଇଛନ୍ତି
  • ମମତା ଏହାକୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ବଦଳେ ଉଚ୍ଚସ୍ତରୀୟ ରାଜନୈତିକ ହସ୍ତକ୍ଷେପ ବୋଲି କହିଛନ୍ତି
  • ମମତା ବିଜେପି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ବିଜେପି ଏତେ ବ୍ୟାକୁଳ କାହିଁକି, ବେଙ୍ଗଲକୁ କାହିଁକି ବାରମ୍ବାର ଟାର୍ଗେଟ୍ କରୁଛି?

କୋଲକାତା ୧୯।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗକୁ ଟାର୍ଗେଟ୍ କରି ଅଭୂତପୂର୍ବ ତଥା ଚିନ୍ତାଜନକ ପଦକ୍ଷେପସବୁ ନେଉଛନ୍ତି। ମମତା ବାନାର୍ଜୀ ତାଙ୍କ ଏକ୍ସ ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି ଯେ ‘ଔପଚାରିକ ନିର୍ବାଚନ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗ ରାଜ୍ୟର ୫୦ରୁ ଅଧିକ ବରିଷ୍ଠ ଅଧିକାରୀଙ୍କୁ ଅଚାନକ ବଦଳି କରିଦେଇଛନ୍ତି।ଏଥିରେ ମୁଖ୍ୟ ସଚିବ, ଗୃହ ସଚିବ, ଡିଜିପି, ଏଡିଜି, ଆଇଜି, ଡିଆଇଜି ଓ ଜିଲ୍ଲା ଅଧିକାରୀଙ୍କୁ ବଦଳାଇ ଦେଇଛନ୍ତି’। ମମତା ଏହାକୁ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ବଦଳେ ଉଚ୍ଚସ୍ତରୀୟ ରାଜନୈତିକ ହସ୍ତକ୍ଷେପ ବୋଲି କହିଛନ୍ତି।

ନିରପେକ୍ଷ ସଂସ୍ଥାଙ୍କ ରାଜନୀତିକରଣ ହେଉଛି
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ନିରପେକ୍ଷ ରହୁଥିବା ସଂସ୍ଥାଙ୍କୁ ରାଜନୀତିକରଣ କରାଯାଉଛି, ଯାହା ସମ୍ବିଧାନ ଉପରେ ସିଧା ଆକ୍ରମଣ। ଗୋଟିଏ ପଟେ ରାଜ୍ୟରେ ତ୍ରୁଟିପୂର୍ଣ୍ଣ ଏସଆଇଆର ପ୍ରକ୍ରିୟା ଚାଲିଥିବା ବେଳେ ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟରେ ୨୦୦ ରୁ ଅଧିକ କର୍ମଚାରୀଙ୍କ ମୃତ୍ୟୁ ହେଲାଣି। ଏଥିରୁ ଆୟୋଗଙ୍କ ଆଭିମୁଖ୍ୟ ପକ୍ଷପାତପୂର୍ଣ୍ଣ ଲାଗୁଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ସପ୍ଲିମିଣ୍ଟାରୀ ଭୋଟର ଲିଷ୍ଟ ପ୍ରକାଶ କରାଯାଇ ନାହିଁ, ଯାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଏକ ପ୍ରକାର ଅଣଦେଖା କୁହାଯାଇପାରେ। ଏଣୁ ସାଧାରଣ ନାଗରିକ ଏହାକୁ ନେଇ ଏବେ ଅସମଞ୍ଜସ ସ୍ଥିତିରେ ଥିବା ମମତା ବାନାର୍ଜୀ କହିଛନ୍ତି।

ପ୍ରଶାସନିକ ଢାଞ୍ଚାକୁ ଦୁର୍ବଳ କରାଯାଉଛି
ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଆଇବି, ଏସଟିଏଫ ଓ ସିଆଇଡି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗଙ୍କ ବରିଷ୍ଠ ଅଧିକାରୀଙ୍କୁ ବାଛି ବାଛି ରାଜ୍ୟରୁ ବାହାରକୁ ପଠା ଯାଉଛି, ଏହା ଦ୍ୱାରା ପ୍ରଶାସନିକ ଢା଼ଞ୍ଚାକୁ ଦୁର୍ବଳ କରିବାକୁ ଉଦ୍ୟମ ହେଉଛି। ମମତା ବିଜେପି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ବିଜେପି ଏତେ ବ୍ୟାକୁଳ କାହିଁକି, ବେଙ୍ଗଲକୁ କାହିଁକି ବାରମ୍ବାର ଟାର୍ଗେଟ୍ କରୁଛି? ସେ କହିଛନ୍ତି ଯେ ସ୍ୱାଧୀନତାର ୭୮ ବର୍ଷ ପରେ ଲୋକଙ୍କୁ ସେମାନଙ୍କ ନାଗରିକତା ସାବ୍ୟସ୍ତ କରିବା ପାଇଁ ଦୀର୍ଘ ଧାଡିରେ ଛିଡା କରାଯିବା ବାସ୍ତବିକ ଦୁର୍ଭାଗ୍ୟପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିରେ ବିରୋଧାଭାଷର ଉଲ୍ଲେଖ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ଆୟୋଗ ଗୋଟେ ପଟେ କହୁଛନ୍ତି ହଟାଯାଇଥିବା ଅଧିକାରୀଙ୍କୁ ନିର୍ବାଚନ ଡ୍ୟୁଟି ଦିଆଯିବନି, ଅନ୍ୟପଟେ ମାତ୍ର କିଛି ଘଣ୍ଟା ପରେ ସେମାନଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ କରି ବାହାରକୁ ପଠାଇ ଦେଇଛନ୍ତି।

ଲାଗୁଛି ଜାରି ହୋଇଛି ରାଷ୍ଟ୍ରପତି ଶାସନ
ସିଲିଗୁଡି ଓ ବିଧାନନଗର ପୋଲିସ କମିଶନରଙ୍କ ବିକଳ୍ପ ନ ଦେଇ ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା। କହିଛନ୍ତି ଏହାଦ୍ୱାର ପଶ୍ଚିମବଙ୍ଗର ଦୁଇ ଗୁରୁତ୍ୱପୂର୍ଣ୍ଣ ସହର ଏବେ ମୁରବୀ ବିହୀନ ହୋଇପଡିଛି। ତେବେ ପରେ ନିର୍ବାଚନ ଆୟୋଗ ନିଜ ତ୍ରୁଟି ସୁଧାର କରିଛନ୍ତି। ମମତା ବାନାର୍ଜୀ ଏହାକୁ ଅରାଜକତା, ଭ୍ରମ ଓ ଅକ୍ଷମତା ଏବଂ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର, ଯାହାର ଉଦ୍ଦେଶ୍ୟ ସଂସ୍ଥାଙ୍କ ମାଧ୍ୟମରେ ବେଙ୍ଗଲକୁ ନିୟନ୍ତ୍ରଣ କରିବା ବୋଲି କହିଛନ୍ତି। ସେ ଉପୁଜିଥିବା ପରିସ୍ଥିତିକୁ ଅଘୋଷିତ ଜରୁରିକାଳୀନ ପରିସ୍ଥିତି ଓ ରାଷ୍ଟ୍ରପତି ଶାସନ ଭଳି ସ୍ଥିତି ବୋଲି କହିଛନ୍ତି।

ମମତା କହିଲେ ବେଙ୍ଗଲ ଲଢି
ମମତା କହିଛନ୍ତି ଯେ ବିଜେପି ଜନତାଙ୍କ ଭରସା ଜିତିବାରେ ବିଫଳ ହୋଇଛି। ଏଣୁ ଏବେ ଚାପ, ଭୟ ଓ ସଂସ୍ଥାଙ୍କ ଦୂରୁପଯୋଗରେ କ୍ଷମତା ହାସଲ କରିବାକୁ ଚାହୁଁଛି। ମୁଖ୍ୟମନ୍ତ୍ରୀ ରାଜ୍ୟର ଅଧିକାରୀ ଓ ସେମାନଙ୍କ ପରିବାର ପ୍ରତି ନିଜର ସମର୍ଥନ ଜଣାଇଛନ୍ତି ଓ କହିଛନ୍ତି ପଶ୍ଚିମବଙ୍ଗ କେବେ ଡରରେ ନଇଁଯିବ ନାହିଁ। ସେ ଦୃଢତାର ସହ କହିଛନ୍ତି ଯେ ବେଙ୍ଗଲ ଲଢିବ, ବିରୋଧ କରିବ ଓ ସବୁ ଷଡ଼ଯନ୍ତ୍ରକୁ ଭଣ୍ଡୁର କରିବ।

Also Read..
Assam Assembly: ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ଏଥର କେଉଁଠୁ ଲଢ଼ିବେ ହିମନ୍ତ ଜାଣନ୍ତୁ