ଭୁବନେଶ୍ବର ୨୯।୧୦: ଆସନ୍ତା ୩, ୪ ଓ ୫ ତାରିଖରେ କୋଟିଆରେ ଆନ୍ଦୋଳନ କରିବ ବିଜେଡି । ଓଡ଼ିଶାର କୋଟିଆରେ ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଚଳାଇଥିବା ବେଳେ ଏହାକୁ ବିରୋଧ କରି ଗର୍ଜିବ ଦଳ । କୋଟିଆ ପାଇଁ ବିଜେଡି ତାର ଲଢେଇ ଜାରି ରଖିବ ବୋଲି କହିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ । କୋଟିଆ ପ୍ରସଙ୍ଗରେ ବିଜେପିର ୨୦ ସାଂସଦ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦୀପ ।

ସେପଟେ କୋଟିଆର ସୁରକ୍ଷା ପାଇଁ ଏକାଠି ହେଲେ ସବୁ ଦଳ । କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆରମ୍ଭ ହୋଇଥିବା ସର୍ବଦଳୀୟ ବୈଠକରେ ଯୋଗ ଦେଇଥିଲେ କୋରାପୁଟ, କୋଟପାଡ଼, ଜୟପୁର ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମଙ୍କ ସମେତ ସମସ୍ତ ଦଳର ନେତାଙ୍କ ସହ ସ୍ଥାନୀୟ ଜନପ୍ରତିନିଧି । ବୈଠକରେ କୋରାପୁଟ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସ୍ପିଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । କୋଟିଆ ପଞ୍ଚାୟତର ବିକାଶ ସହ ସୀମାନ୍ତ ଅଞ୍ଚଳରେ ଲୋକଙ୍କ ସ୍ୱାର୍ଥ ଓ କୋଟିଆ ମାଟିର ସୁରକ୍ଷାକୁ ନେଇ ହୋଇଥିଲା ଆଲୋଚନା । କୋଟିଆରେ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନରେ କୋଟିଆବାସୀ ଯେଭଳି ସାମିଲ ନହେବେ ସେନେଇ ହୋଇଥିଲା ଆଲୋଚନା । ଅନ୍ୟପଟେ ସରକାରଙ୍କ କୋଟିଆ ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ ସ୍ଥାନୀୟ ଜନପ୍ରତିନିଧି ।

Also Read:- ବିଜେଡିର ବିଦ୍ରୋହୀ ବିଧାୟକଙ୍କ ପାଇଁ ବଢ଼ିଲା ଅଡୁଆ, ହାଇକୋର୍ଟ ଜାରି କଲେ ନୋଟିସ୍

ନଭେମ୍ବର ୫ ତାରିଖରେ କୋଟିଆରେ ଆନ୍ଧ୍ର ପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ କରାଇବା ଉଦ୍ୟମକୁ ନେଇ ତୀବ୍ର ଆପତ୍ତି ଉଠାଇଛନ୍ତି ସର୍ବଦଳୀୟ ନେତା । କୋଟିଆ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ନିର୍ବାଚନୀ ବୁଥ୍ ସ୍ଥାପନକୁ ବିରୋଧ କରିବା ସହ ଏହି ନିର୍ବାଚନକୁ ରୋକିବା ପାଇଁ ଦୃଢ଼ ଆଭିମୁଖ୍ୟ ରଖିଛନ୍ତି ନେତାମାନେ । ଗତ ନିର୍ବାଚନ ଭଳି ଯଦି କୋଟିଆବାସୀଙ୍କୁ ନେଇ ନିର୍ବାଚନରେ ସାମିଲ କରିବାକୁ ଉଦ୍ୟମ ହୁଏ ତେବେ ପରିସ୍ଥିତି ଜଟିଳ ହୋଇପାରେ ବୋଲି ସର୍ବଦଳୀୟ ନେତାମାନେ ଚେତାବନୀ ଦେଇଛନ୍ତି । ଦଳୀୟ ମତଭେଦକୁ ପଛରେ ପକାଇ କୋଟିଆର ସୁରକ୍ଷା ପାଇଁ ଏକାଠି ଲଢ଼େଇ କରିବାକୁ ଦେଇଛନ୍ତି ଆହ୍ୱାନ ।