ମୁମ୍ବାଇ: ବଲିଉଡ୍ରୁ ହଲିଉଡ୍ ପର୍ଯ୍ୟନ୍ତ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୁଣି ଥରେ ନିଜର ରୋମାଣ୍ଟିକ୍ ଅନ୍ଦାଜକୁ ନେଇ ଚର୍ଚ୍ଚାରେ। କରୱା ଚୌଥ୍ ଅବସରରେ ସ୍ୱାମୀ ନିକ୍ ଜୋନାସଙ୍କ ସହ ଏକ ସୁନ୍ଦର ଫଟୋ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ଶେୟାର କରିଛନ୍ତି ପ୍ରିୟଙ୍କା। ଏହି ଅବସରରେ ସେ ପ୍ରତିବର୍ଷ ଏହି ଦିନରେ ‘ଫିଲ୍ମି ଫିଲ୍ମି ଅନୁଭବ କରିବା କଥା କହି ନିଜର ଭାବନା ପ୍ରକାଶ କରିଛନ୍ତି।

କରୱା ଚୌଥ୍ ପାଳନ ଅବସରରେ ପ୍ରିୟଙ୍କା ଏକ ଲାଲ୍ ରଙ୍ଗର ସୁଟ୍ ପିନ୍ଧିଥିବା ବେଳେ ମୁଣ୍ଡରେ ସମାନ ରଙ୍ଗର ଦୁପଟ୍ଟା ଘୋଡ଼ାଇଥିଲେ। ତାଙ୍କ ମଥାରେ ସିନ୍ଦୂର, ବେକରେ ମଙ୍ଗଳସୂତ୍ର ଏବଂ କପାଳରେ ଛୋଟ ଲାଲ୍ ବିନ୍ଦି ତାଙ୍କ ଲୁକ୍କୁ ଆହୁରି ଆକର୍ଷଣୀୟ କରିଥିଲା। ଅନ୍ୟପଟେ, ନିକ୍ ଜୋନାସ ଏକ କ୍ରିମ୍ ରଙ୍ଗର କୁର୍ତ୍ତା-ପାଇଜାମା ପିନ୍ଧିଥିଲେ। ଉଭୟଙ୍କ ପାରମ୍ପରିକ ପୋଷାକ ଫଟୋରେ ପର୍ବର ମାହୋଲକୁ ଆହୁରି ଖାସ୍ କରିଥିଲା। ପ୍ରିୟଙ୍କା ନିଜ କ୍ୟାପସନ୍ରେ ପ୍ରତିବର୍ଷ କରୱା ଚୌଥ୍ ଆସିଲେ ସେ ‘ଫିଲ୍ମି’ ହୋଇଯାଉଥିବା କଥା ଉଲ୍ଲେଖ କରିଛନ୍ତି। ତାଙ୍କର ଏହି ମଜାଳିଆ ଓ ରୋମାଣ୍ଟିକ୍ ଅନ୍ଦାଜ ପ୍ରଶଂସକଙ୍କୁ ଦମ୍ପତିଙ୍କ ପ୍ରେମଭରା ସମ୍ପର୍କର ଝଲକ ଦେଇଛି।

ALSO READ - ଜାମିଆ ଛାତ୍ର ଆନ୍ଦୋଳନକୁ ନେଇ ସରକାରଙ୍କୁ ନିଶାନା କଲେ ନସିରୁଦ୍ଦିନ ଶାହ, ନିଜକୁ କହିଲେ ‘ଗର୍ବିତ ଦିମାଗୀ ନକ୍ସଲ’

ପ୍ରିୟଙ୍କା ଚୋପ୍ରା ଓ ନିକ୍ ଜୋନସ ୨୦୧୮ ଡିସେମ୍ବରରେ ରାଜସ୍ଥାନର ଯୋଧପୁରସ୍ଥିତ ଉମୈଦ ଭବନ ପ୍ୟାଲେସ୍ରେ ବିବାହ କରିଥିଲେ। ସେମାନଙ୍କ ବିବାହ ଉତ୍ସବରେ ଖ୍ରୀଷ୍ଟିଆନ୍ ଓ ହିନ୍ଦୁ ପରମ୍ପରା ଅନୁଯାୟୀ ରୀତିନୀତି ପାଳନ କରାଯାଇଥିଲା। ଏହି ଦମ୍ପତି ୨୦୨୨ ଜାନୁଆରୀରେ ସରୋଗେସି ମାଧ୍ୟମରେ ଝିଅ ମାଲତୀ ମେରୀ ଚୋପ୍ରା ଜୋନାସଙ୍କୁ ମଧ୍ୟ ସ୍ୱାଗତ କରିଥିଲେ। ସବୁ ବେଳେ ଉଭୟେ ସୋସିଆଲ୍ ମିଡିଆରେ ନିଜ ପରିବାର ଓ ବ୍ୟକ୍ତିଗତ ଜୀବନର କିଛି ବିଶେଷ ମୁହୂର୍ତ୍ତ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ତେବେ କରୱା ଚୌଥ୍ରେ ପ୍ରିୟଙ୍କାଙ୍କ ଏହି ପାରମ୍ପରିକ ଓ ରୋମାଣ୍ଟିକ୍ ଅନ୍ଦାଜ ପୁଣି ଥରେ ତାଙ୍କ ପ୍ରଶଂସକଙ୍କ ମନ ଜିଣିଛି।