ମୁମ୍ବାଇ: ଭାରତୀୟ ଟେଲିଭିଜନ ଇତିହାସର ସବୁଠୁ ଲୋକପ୍ରିୟ କ୍ରାଇମ ଥ୍ରୀଲର୍ ଶୋ’ ‘CID’ ଏବଂ ‘ଆହଟ୍’ର ପ୍ରଯୋଜକ-ନିର୍ଦ୍ଦେଶକ ବ୍ରଜେନ୍ଦ୍ର ପାଲ ସିଂହ (ବି.ପି. ସିଂହ)ଙ୍କ ଦେହାନ୍ତରେ ସମଗ୍ର ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି । ଗତ ଅକ୍ଟୋବର ୨୭ ତାରିଖରେ ୭୭ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।

ତାଙ୍କର ଏହି ଅକାଳ ବିୟୋଗରେ ‘CID’ ଶୋ’ରେ ‘ଏସସିପି ପ୍ରଦ୍ୟୁମ୍ନ’ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିବା ଅଭିନେତା ଶିବାଜୀ ସାଟମ୍ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଏକ ସାକ୍ଷାତକାରରେ ସେ ନିଜର ପ୍ରିୟ ବନ୍ଧୁ ତଥା ଗୁରୁଙ୍କୁ ମନେ ପକାଇ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ପଦ୍ମଶ୍ରୀ’ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଦାବି କରିଛନ୍ତି।

ବି.ପି. ସିଂହଙ୍କ ସହ ନିଜର ଦୀର୍ଘ ଦିନର ସମ୍ପର୍କକୁ ମନେ ପକାଇ ଶିବାଜୀ ସାଟମ୍ କହିଛନ୍ତି, “ଆଜି ମୋ ଜୀବନର ସବୁଠୁ ବଡ଼ ଅଧ୍ୟାୟ ସବୁଦିନ ପାଇଁ ସରିଗଲା। ସେ ଜଣେ ମହାନ ବ୍ୟକ୍ତି ଏବଂ ଜଣେ ପ୍ରକୃତ ବନ୍ଧୁ ଥିଲେ। ମୁଁ ଯାହା କିଛି ବି ଶିଖିଛି, ସବୁ ତାଙ୍କଠାରୁ ହିଁ ଶିଖିଛି। ମୁଁ ରଙ୍ଗମଞ୍ଚ (ଥିଏଟର) ଜଗତରୁ ଆସିଥିଲି ଏବଂ ମଞ୍ଚରେ କିପରି ଅଭିନୟ କରିବାକୁ ହୁଏ ତାହା ଜାଣିଥିଲି। କିନ୍ତୁ କ୍ୟାମେରା ସାମ୍ନାରେ କିଭଳି ପରଫର୍ମାନ୍ସ ଦେବାକୁ ପଡ଼େ ଏବଂ ଆବଶ୍ୟକ ପଡ଼ିଲେ ଦୃଶ୍ୟକୁ କିପରି ଅଧିକ ଜୀବନ୍ତ କରିବାକୁ ହୁଏ, ତାହା ମୋତେ ବି.ପି. ସିଂହ ହିଁ ଶିଖାଇଥିଲେ।”

Also Read: ସ୍ୱାମୀଙ୍କ କଥାରେ ଅଭିନୟ ଛାଡ଼ିଥିଲେ ମା’ ନିର୍ମଳା ଦେବୀ, ମୁଣ୍ଡ ଓ ଭ୍ରୂଲତାର କେଶ କାଟି ଆପଣାଇଥିଲେ ସାଧ୍ୱୀ ଜୀବନ ,ମା'ଙ୍କ ବିଷୟରେ କିଛି ଏପରି କହି ଭାବବିହ୍ୱଳ ହେଲେ ଗୋବିନ୍ଦା

‘‘କାମ ପ୍ରତି ଥିଲା ଅଦ୍ଭୁତ ନିଶା’’

ବି.ପି. ସିଂହଙ୍କ କାର୍ଯ୍ୟପ୍ରତି ନିଷ୍ଠା ଓ ପ୍ରଶଂସା କରି ଶିବାଜୀ ଏକ ରୋଚକ କାହାଣୀ ମଧ୍ୟ ସେୟାର କରିଛନ୍ତି। ସେ କହିଛନ୍ତି ଯେ, ହାର୍ଟ ସର୍ଜରୀର ମାତ୍ର ତିନି ମାସ ପରେ ସେ ପୁଣିଥରେ କାମକୁ ଫେରିଆସିଥିଲେ ଏବଂ ଜଙ୍ଗଲ ଭିତରେ କ୍ୟାମେରା ଧରି ଚେଜ୍ ସିକ୍ୱେନ୍ସର ସୁଟିଂ ପାଇଁ ଦୌଡ଼ାଦୌଡ଼ି କରୁଥିଲେ। ଏଥିସହ ଦୁଇଟି ସର୍ଜରୀ ପରେ ସେ 'CID' ପାଇଁ ଏକ ଅତି ଚ୍ୟାଲେଞ୍ଜିଂ ୧୧୧ ମିନିଟର ଏପିସୋଡ୍ ଗୋଟିଏ ଲଗାତାର ସଟ୍ରେ ସୁଟ୍ କରିଥିଲେ, ଯାହା ଭାରତୀୟ ଟେଲିଭିଜନ ଇତିହାସରେ ଏକ ବିରଳ ରେକର୍ଡ ଥିଲା।

“ତାଙ୍କୁ ମିଳିବା ଉଚିତ୍ ପଦ୍ମଶ୍ରୀ ସମ୍ମାନ”

ବି.ପି. ସିଂହଙ୍କୁ ମରୋତ୍ତର ଭାବେ ବା ଜୀବିତ ଅବସ୍ଥାରେ ‘ପଦ୍ମଶ୍ରୀ’ ସମ୍ମାନ ଦିଆଯିବା କଥା କହି ଶିବାଜୀ ସାଟମ୍ ମତ ପ୍ରକାଶ କରିଛନ୍ତି ଯେ, ତାଙ୍କ ଭଳି ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କୁ ଏହି ସମ୍ମାନ ମିଳିବା ଉଚିତ୍। ତେବେ ସେ କହିଛନ୍ତି ଯେ ବି.ପି. ସିଂହ କେବେହେଲେ ପୁରସ୍କାର କିମ୍ବା ସମ୍ମାନ ପାଇଁ ଚିନ୍ତା କରୁନଥିଲେ। ସେ ସବୁବେଳେ କହୁଥିଲେ, “ଏସବୁ ଛାଡ଼ନ୍ତୁ, ଏଥିରେ କ'ଣ ବା ବଦଳିଯିବ? ଆମର ଦର୍ଶକମାନେ ତ ଆମ ସାଥୀରେ ଅଛନ୍ତି, ଏହାହିଁ ମୋ ପାଇଁ ସବୁଠୁ ବଡ଼ପ୍ରାପ୍ତି।”