ଭୁବନେଶ୍ୱର ୨୮।୧୦ : ବାତ୍ୟା ଅର୍ଣ୍ଣବକୁ ନେଇ ବଢ଼ୁଛି ଚିନ୍ତା। ଆଜି ସନ୍ଧ୍ୟାରେ ମାଲକାନଗିରିରେ ପହଞ୍ଚିବ ବାତ୍ୟା ଅର୍ଣ୍ଣବ। ଏହାର ପ୍ରଭାବରେ ସନ୍ଧ୍ୟା ସମୟରେ ଓଡ଼ିଶାରେ ପାଗ ଅଧିକ ଖରାପ ହେବାର ଆଶଙ୍କା ରହିଛି। ବାତ୍ୟାର ଗତିବିଧି ଏବଂ ସ୍ଥିତିକୁ ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା । ସନ୍ଧ୍ୟା ସମୟରେ ବାତ୍ୟାର ପ୍ରଭାବ ଅଧିକ ରହିବାକୁ ଥିବାରୁ ସତର୍କ ରହିବା ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଜାରି ରହିଥିବା ବେଳେ ବିଭିନ୍ନ ଜିଲ୍ଲାରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଛି। ତେବେ ୮୫ ପ୍ରତିଶତରୁ ଅଧିକ ସ୍ଥାନରେ ରାସ୍ତା ସଫା କରାଯାଇଥିବା ଏବଂ ୬୫ ପ୍ରତିଶତ କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପିତ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଏଯାଏଁ କୌଣସି ମୃତାହତ ହୋଇନଥିବା କହିବା ସହ ଲୋକଙ୍କୁ ବିଚଳିତ ନହେବାକୁ ଆଶ୍ୱାସନା ଦେଇଛନ୍ତି ମନ୍ତ୍ରୀ। ଫସଲ ଓ ଘର କ୍ଷୟକ୍ଷତି ପାଇଁ ସରକାର ସହାୟତା ଯୋଗାଇଦେବେ ବୋଲି କହିଛନ୍ତି।

Also Read:-Cyclone Arnab latest update: ବାତ୍ୟା ‘ଅର୍ଣ୍ଣବ’କୁ ନେଇ IMD ଡିଜିଙ୍କ ବଡ଼ ସୂଚନା, ୯୦ କି.ମି. ବେଗରେ ବହିପାରେ ପବନ

ସେହିପରି ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି। ଆନ୍ଧ୍ରପ୍ରଦେଶରେ ବାତ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଏହା ଓଡ଼ିଶାରେ ପ୍ରଥମେ ମାଲକାନଗିରି ଜିଲ୍ଲା ଦେଇ ପ୍ରବେଶ କରିବାର ଆକଳନ କରାଯାଇଛି। ଆଜି ସନ୍ଧ୍ୟା ସମୟରେ ମାଲକାନଗିରିରେ ବାତ୍ୟାର ପ୍ରଭାବ ଅଧିକ ରହିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ରାସ୍ତା ଅବରୋଧ ହୋଇଥିଲା। ପ୍ରଶାସନ ଓ ଉଦ୍ଧାରକାରୀ ଟିମଙ୍କ ଉଦ୍ୟମରେ ୮୫ ପ୍ରତିଶତରୁ ଅଧିକ ସ୍ଥାନରେ ରାସ୍ତା ସଫା କରାଯାଇଛି। ବାତ୍ୟା ପ୍ରଭାବରେ କେତେକ ଅଞ୍ଚଳରେ ଭୂସ୍ଖଳନ ମଧ୍ୟ ହୋଇଥିବା ସୂଚନା ମିଳିଛି।

ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରାୟ ୫୦ଟି ଟ୍ରେନ୍ ବାତିଲ କରାଯାଇଥିବା ବେଳେ କେତେକ ବିମାନ ସେବା ମଧ୍ୟ ବାତିଲ ହୋଇଛି। ବିଭିନ୍ନ ସ୍ଥାନରେ ୩୩ କେଭି ବିଦ୍ୟୁତ୍ ଲାଇନ୍ କ୍ଷତିଗ୍ରସ୍ତ ହୋଇଛି। ତେବେ କ୍ଷତିଗ୍ରସ୍ତ ବିଦ୍ୟୁତ୍ ବ୍ୟବସ୍ଥା ମଧ୍ୟରୁ ୬୫ ପ୍ରତିଶତ ଅଞ୍ଚଳରେ ମରାମତି କରାଯାଇ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପିତ ହୋଇସାରିଛି। ସକାଳ ୮ଟା ସୁଦ୍ଧା ଗଜପତି ଜିଲ୍ଲାରେ ସର୍ବାଧିକ ୧୨୧ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ୩୬୦ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୧ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେହିପରି ସମଗ୍ର ରାଜ୍ୟରେ ପ୍ରାୟ ୨ ହଜାର ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତର କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ବାତ୍ୟା ଅର୍ଣ୍ଣବର ପ୍ରଭାବରେ ରାଜ୍ୟର କୌଣସି ସ୍ଥାନରେ ମୃତାହତ ହୋଇନଥିବା କହିଛନ୍ତି।