ଭୁବନେଶ୍ୱର ୨୮।୧୦ : ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ଆକ୍ସନ । ବିଶୃଙ୍ଖଳିତ ଆଚରଣ ପାଇଁ ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ୩ ଜଣ ଅଧ୍ୟାପକ ଓ ଅଧ୍ୟାପିକା ନିଲମ୍ବିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ନିଲମ୍ବିତ ହୋଇଥିବା ଅଧ୍ୟାପକମାନେ ହେଲେ ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପକ ସନ୍ଦୀପ ମହାପାତ୍ର ଏବଂ ଅଧ୍ୟାପିକା ପି. ଆରାଧନା।

ଖବର ଅନୁଯାୟୀ, ଗତ ଅକ୍ଟୋବର ୨୬ ତାରିଖରେ ଯାଜପୁର ସରକାରୀ ପଲିଟେକ୍‌ନିକ୍‌ରେ ଏକ ବୈଠକ ବସିଥିଲା । ଏହି ବୈଠକ ବସିଥିବା ସମୟରେ ଏହି ତିନି ଜଣ ଅଧ୍ୟାପକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଦେଖୁ ଦେଖୁ ବିବାଦ ଏତେ ବଢିଥିଲା ଯେ, ମାରପିଟ୍‌ ଓ ଅନ୍ୟାନ୍ୟ ଅଶୋଭନୀୟ ଆଚରଣ ମଧ୍ୟ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି।

Also Read:-'ବୈଭବଙ୍କୁ ଚକଲେଟ୍ ଦେଲେ ଗମ୍ଭୀର, କାନ୍ଦିଲା ନ୍ୟୁଜିଲାଣ୍ଡ' : କାହିଁକି ଏମିତି କହିଲେ ପୂର୍ବତନ ବ୍ୟାଟର ?

ଅଧ୍ୟାପନା ଭଳି ଏକ ମର୍ଯ୍ୟାଦାଜନକ ବୃତ୍ତିରେ ରହି ଏଭଳି ଆଚରଣ ଶିକ୍ଷାନୁଷ୍ଠାନର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ସହ ଶୈକ୍ଷିକ ପରିବେଶ ଉପରେ ଗୁରୁତର ପ୍ରଭାବ ପକାଇଛି। ଏହାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ତିନି ଜଣଙ୍କୁ ନିଲମ୍ବନ କରିବା ସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ଏହି ତିନି ଅଧ୍ୟାପକଙ୍କୁ ନିଲମ୍ବିତ କରାଯାଇଛି ।