ନୂଆଦିଲ୍ଲୀ: ସନ୍ଧ୍ୟା ସମୟରେ ଗରମାଗରମ କଚୋଡ଼ି ଖାଇବାର ମଜା ନିଆରା । କିନ୍ତୁ ମଜା ଯେ, ବଡ଼ ସଜା ପାଲଟିଯିବ ସେକଥା ଜାଣିନଥିଲେ ଜଣେ ବ୍ୟବସାୟୀ । ସନ୍ଧ୍ୟା ସମୟରେ ଘରକୁ ଫେରିବା ବାଟରେ ପଡ଼ିଲା କଚୋଡ଼ି ଦୋକାନ । ବ୍ୟବସାୟୀ ରାସ୍ତା କଡ଼ରେ ସ୍କୁଟର ଛିଡ଼ା କରି ଦୋକାନକୁ ଗଲେ, ୨୦ ଟଙ୍କାର କଚୋଡ଼ି କିଣିଲେ । ଖାଇବା ଆରମ୍ଭ କରିଛନ୍ତି କି ନାହିଁ, ସବୁକିଛି ଗଡ଼ବଡ଼ ହୋଇଗଲା । ହଠାତ କଚୋଡ଼ି ଧରି ଦୌଡ଼ିଲେ ବ୍ୟବସାୟୀ, କିନ୍ତୁ କିଛି ଫାଇଦା ହେଲା ନାହିଁ । 

ରାଜସ୍ଥାନର ଜୟପୁରରେ ଜଣେ ବ୍ୟବସାୟୀଙ୍କ ପାଇଁ ୨୦ ଟଙ୍କାର କଚୋଡ଼ି ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛି। କଚୋଡ଼ି ଖାଉଥିବା ସମୟରେ, ଦୁଇଜଣ ସ୍କୁଟର ଚାଳକ ଲୁଟେରା ତାଙ୍କ ଗାଡ଼ିରେ ରଖାଯାଇଥିବା ୨୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ନେଇ ଫେରାର ହୋଇଗଲେ । ମାତ୍ର କିଛି ମିନିଟ ମଧ୍ୟରେ କଚୋଡ଼ି ସହିତ ତାଙ୍କର ୨୦ ଲକ୍ଷ ଟଙ୍କା ବି ଚାଲିଗଲା । ବ୍ୟବସାୟୀଙ୍କୁ କଚୋଡ଼ି ମୂଲ୍ୟଠାରୁ ଲକ୍ଷେ ଗୁଣା ଅଧିକ କ୍ଷତି ସହିବାକୁ ପଡ଼ିଛି।

ସୋମବାର ସନ୍ଧ୍ୟା ସମୟରେ ନାହରଗଡ଼ ଥାନା ଅଞ୍ଚଳରେ ଏହି ଲୁଟପାଟ ଘଟିଛି। ଚମ୍ପାଲାଲ ନାମକ ଜଣେ ବ୍ୟବସାୟୀ ସ୍କୁଟରରେ ୨୦ ଲକ୍ଷ ଟଙ୍କାର ବ୍ୟାଗ ରଖି ରାସ୍ତାକଡ଼ରେ କଚୋଡ଼ି ଖାଉଥିଲେ। ଏହି ସମୟରେ ହେଲମେଟ ପିନ୍ଧିଥିବା ଦୁଇଜଣ ଯୁବକ ସ୍କୁଟରରେ ଆସି ସେଠାରେ ଅଟକିଥିଲେ ।  ପଛରେ ବସିଥିବା ଯୁବକ ଚମ୍ପାଲାଲଙ୍କ ସ୍କୁଟରରେ ଥିବା ଟଙ୍କା ବ୍ୟାଗଟିକୁ ନେବା ପରେ ଦୁହେଁ ଫେରାର ହୋଇଯାଇଥିଲେ।

ହାତରେ କଚୋଡ଼ି ଧରି ବ୍ୟବସାୟୀ ଚମ୍ପାଲାଲ ଲୁଟେରାଙ୍କ ପଛରେ ଗୋଡ଼ାଇଥିଲେ ।   ସ୍ଥାନୀୟ ଲୋକମାନେ ମଧ୍ୟ ତାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ। ମାତ୍ର ଲୁଟେରା ଖସି ଯିବାରେ ସଫଳ ହୋଇଥିଲେ। ଏହି ଲୁଟର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ସେପଟେ ଚମ୍ପାଲାଲଙ୍କ ଅଭିଯୋଗ ଆଧାରରେ ନାହରଗଡ଼ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।