ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ ବାଣିଜ୍ୟ ବନ୍ଦ ଥିଲେ ବି ଭାରତ ଠାରୁ ବହୁ ସଂଖ୍ୟାରେ ସାମଗ୍ରୀ ଆମଦାନୀ କରିଛି ପାକିସ୍ତାନ। ସେଠାରେ ଭାରତୀୟ ସାମଗ୍ରୀର ଚାହିଦା ଖୁବ୍ ବଢ଼ିଛି। ପାକିସ୍ତାନ ଗଣମାଧ୍ୟ ଦ ଡନରେ ଏଭଳି ଆଶ୍ଚର୍ଯ୍ୟକର ଖବର ପ୍ରକାଶ ପାଇଛି।

ରିପୋର୍ଟ ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷରେ ପାକିସ୍ତାନ ଭାରତ ଠାରୁ ୬୧.୭୪ ମିଲିଅନ (୫,୮୭୬ କୋଟି) ଡଲାରର ସାମଗ୍ରୀ ଆମଦାନୀ କରିଛି। ଗତ ବର୍ଷର ୩.୫୫ ମିଲିଅନ(୩,୪୭୮) ଡଲାର ତୁଳନାରେ ୬୯% ଅଧିକ ସାମଗ୍ରୀ ଆମଦାନୀ କରିଛି ପାକିସ୍ତାନ। ତେବେ ଏହି ଅବଧି ମଧ୍ୟରେ ପାକିସ୍ତାନ କିନ୍ତୁ ଭାରତକୁ କୌଣସି ଗୋଟିଏ ବି ସାମଗ୍ରୀ ରପ୍ତାନୀ କରି ନାହିଁ ବୋଲି ରିପୋର୍ଟରେ କୁହାଯାଇଛି।

ଏହି ଡାଟା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, ଯଦି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବ୍ୟାନ ଅଛି, ତେବେ ପାକିସ୍ତାନ ଭାରତ ଠାରୁ ସାମଗ୍ରୀ ଆମଦାନୀ କରୁଛି କେମିତି? ପ୍ରକୃତରେ ପାକିସ୍ତାନର ଷ୍ଟେଟ୍ ବ୍ୟାଙ୍କ ଏହି ଟାଟା ଦେଇଛି। ହେଲେ ଏନେଇ ପ୍ରଶ୍ନ କରିବାରୁ ପାକ୍ ଷ୍ଟେଟ୍ ବ୍ୟାଙ୍କ କୌଣସି ଉତ୍ତର ଦେଇ ନାହିଁ।

ଏକ୍ସପର୍ଟଙ୍କ ମତରେ ପାକିସ୍ତାନ ଭାରତ ଠାରୁ ସିଧାସଳକ ସାମଗ୍ରୀ ଆମଦାନୀ ନ କରି ତୃତୀୟ ପକ୍ଷ ଦ୍ୱାରା ଆମଦାନୀ କରୁଛି। ୟୁଏଇ ଓ ସିଙ୍ଗାପୁର ଭଳି ଦେଶ ମାଧ୍ୟମରେ ପାକିସ୍ତାନ ଭାରତ ଠାରୁ ଆମଦାନୀ କରୁଥାଇପାରେ ବୋଲି ଏକ୍ସପର୍ଟମାନେ ଦାବି କରୁଛନ୍ତି।

ଭାରତ ଠାରୁ କେଉଁସବୁ ସାମଗ୍ରୀ ଆମଦାନୀ କରିଛି ପାକିସ୍ତାନ ?

ଡାଟା ଅନୁସାରେ, ଭାରତ ଠାରୁ ଅଧିକ ଔଷଧ ସାମଗ୍ରୀ ମଗାଇଛି ପାକିସ୍ତାନ। ରୟଟର୍ସର ରିପୋର୍ଟ ଅନୁସାରେ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଭାରତ ପାକିସ୍ତାନକୁ ୨୦୮ ମିଲିଅନ ଡଲାରରେ ଔଷଧ ସାମଗ୍ରୀ ରପ୍ତାନୀ କରିଥିଲା। ଭାରତ ଠାରୁ ଆମଦାନୀର ଅନ୍ୟ ମୁଖ୍ୟ ସାମଗ୍ରୀଗୁଡ଼ିକ ହେଲା ପ୍ଲାଷ୍ଟିକ୍, ପେଟ୍ରୋଲିୟମ, ଅବିର, ଜୈବିକ ରାସାୟନିକ ପଦାର୍ଥ, ରବର, କଫି, ଚା, ପନିପରିବା, ମସଲା, ଦୁଗ୍ଧଜାତ ଦ୍ରବ୍ୟ ଏବଂ ଶସ୍ୟ।

ସେତେବେଳେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ପାଇଁ ୱାଘା ବର୍ଡର ଏକମାତ୍ର ସଡ଼କ ପଥ ଥିଲା। କିନ୍ତୁ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଯେତେବେଳେ ୱାଘା ବର୍ଡର ବନ୍ଦ କରିଦେଲା, ସେତେବେଳେ ବାଣିଜ୍ୟ ପୂରା ଶୂନ୍ୟକୁ ଖସି ଆସିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣଙ୍କର ଜୀବନ ଯାଇଥିଲା। ସେତେବେଳେ ଭାରତ କହିଥିଲା ଟେରର ଓ ଟ୍ରେଡ୍ ଏକା ସାଙ୍ଗରେ କେବେ ବି ହୋଇପାରିବ ନାହିଁ।

Also Read- ପଶ୍ଚିମ ଏସିୟା ଉତ୍ତେଜନା ଯୋଗୁ ୧୨୦ ଡଲାର ପାଖାପାଖି ହେଲା କ୍ରୁଡ, ଦେଶରେ ବଢିବ କି ତୈଳ ଦର?

ସେବେଠାରୁ, ଭାରତ ପାକିସ୍ତାନ ସହିତ ସମସ୍ତ ଆମଦାନୀ ଓ ରପ୍ତାନୀର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ବେପାର ବନ୍ଦ କରି ଦେଇଛନ୍ତି। ଅପର ପକ୍ଷରେ ପାକିସ୍ତାନ ମଧ୍ୟ ମେ ୪ ତାରିଖରେ, ତୃତୀୟ ଦେଶ ମାଧ୍ୟମରେ ଭାରତ ସହିତ ସମସ୍ତ ବାଣିଜ୍ୟକୁ ମଧ୍ୟ ସ୍ଥଗିତ କରିଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଲା ବ୍ୟାନ୍ ଲାଗିବା ସତ୍ତ୍ୱେ ପାକିସ୍ତାନ ଭାରତୀୟ ସାମଗ୍ରୀ ଆମଦାନୀ କରିବା ଜାରି ରଖିଛି।

ସବୁଠାରୁ ବଡ଼ କଥା ହେଲା ଅପରେସନ ସିନ୍ଦୁରର କିଛି ସପ୍ତାହ ପରେ ଅର୍ଥାତ୍ ଜୁଲାଇ ଏବଂ ସେପ୍ଟେମ୍ବର ୨୦୨୫ରେ ପାକିସ୍ତାନ ଭାରତ ଠାରୁ ୩୬.୬ ମିଲିଅନ ଡଲାର ସାମଗ୍ରୀ ଆମଦାନୀ କରିଥିଲା। ପାକିସ୍ତାନ ଷ୍ଟେଟ୍ ବ୍ୟାଙ୍କର ଡାଟା ନେଇ ଆରବ ନ୍ୟୁଜ୍ ଏହି ରିପୋର୍ଟ ପ୍ରକାଶ କରିଥିଲା। ଏହି ଆମଦାନୀ ପ୍ରାୟ କେବଳ ଔଷଧୀୟ ସାମଗ୍ରୀର କଞ୍ଚାମାଲ ଥିଲା।

ଏକ୍ସପର୍ଟଙ୍କ ମତ କଣ ?

ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ତଥ୍ୟ ସାମ୍ନାକୁ ଆସିବା ପରେ ଭୂରାଜନୈତିକ ଏକ୍ସପର୍ଟ ରବିନ୍ଦର ସିଂହ ରବିନ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ବନ୍ଦ ଥିବା ବେଳେ ପାକିସ୍ତାନ ଭାରତ ଠାରୁ ଆମଦାନୀ କଲା କେମିତି ? କେଉଁ ପଥ ଦେଇ ଆମଦାନୀ କରାଯାଇଛି ? ଏବଂ କେତେ ଆମଦାନୀ ହେଲା ତାର ରିପୋର୍ଟ କେମିତି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ତୃତୀୟ ଦେଶ ମାଧ୍ୟମରେ ଆମଦାନୀ କରାଯାଉଛି କି ବୋଲି ସନ୍ଦେହ ପ୍ରକାଶ କରିଛନ୍ତି ରବି। ତା ସହିତ ସେ କହିଛନ୍ତି ଯେ ଯଦି ପାକିସ୍ତାନରେ ଭାରତୀୟ ସାମଗ୍ରୀର ଚାହିଦା ବଢ଼ୁଛି, ତେବେ ସମ୍ପର୍କ ସୁଧାରିବାକୁ କଣ କରାଯାଇ ପାରିବ ସେ ବିଷୟରେ ପାକିସ୍ତାନ ବିଚାର କରିବା ଉଚିତ ନୁହେଁ କି ? ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଭାରତ ସହ ସମ୍ପର୍କ ସୁଧାରି ନେବା ଆବଶ୍ୟକ ବୋଲି ରବିନ ସିଂହ ଏକ୍ସରେ ପୋଷ୍ଟ କରି ପରାମର୍ଶ ଦେଇଛନ୍ତି।

ରବିନଙ୍କ କହିବା ଅନୁସାରେ କଟକଣା ଓ ଚେକିଂରୁ ବର୍ତ୍ତିବା ପାଇଁ ବ୍ୟବସାୟୀମାନେ ତୃତୀୟ ଦେଶ ମାଧ୍ୟମରେ ଭାରତରୁ ସାମଗ୍ରୀ ଆମଦାନୀ କରୁଛନ୍ତି। ସେଠାରେ ପହଞ୍ଚିବା ପରେ ଏହି ସାମଗ୍ରୀଗୁଡ଼ିକର ରି-ବ୍ରାଣ୍ଡିଂ କରାଯାଇ ଦର ବଢ଼ାଇ ବିକ୍ରି କରାଯାଉଛି। ଅନ୍ୟପଟେ ଗ୍ଲୋବାଲ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍(ଜିଟିଆର୍ଆଇ) ଆକଳନ କରିଛି ଯେ ପାକିସ୍ତାନକୁ ଭାରତର ଅନଅଫିସିଆଲ୍ ରପ୍ତାନୀ ବର୍ଷକୁ ପ୍ରାୟ ୧୦ ବିଲିଅନ ଡଲାର ହୋଇପାରେ। ଏହିସବୁ ସାମଗ୍ରୀଗୁଡ଼ିକ ଦୁବାଇ, କୋଲୋମ୍ବୋ ଓ ସିଙ୍ଗାପୁର ଦେଇ ପାକିସ୍ତାନକୁ ଯାଉଛି ବୋଲି ଜିଟିଆରଆଇ ଆନୁମାନ କରିଛି।

ଦିନେ ପାକିସ୍ତାନକୁ ଅଗ୍ରାଧିକାର ଦେଇଥିଲା ଭାରତ, ହେଲେ ଛଡ଼ାଇ ନେଲା

୨୦୧୯ ମସିହାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ୧୯୯୬ ମସିହାରେ, ଭାରତ ପାକିସ୍ତାନକୁ 'ମୋଷ୍ଟ-ଫେଭର୍ଡ ନେସନ୍' (MFN) ବା 'ସର୍ବାଧିକ ଅଗ୍ରାଧିକାର ପ୍ରାପ୍ତ ରାଷ୍ଟ୍ର'ର ମାନ୍ୟତା ଦେଇଥିଲା। ହେଲେ ୨୦୧୯ର ପୁଲୱାମା ଆକ୍ରମଣ ପରେ, ଭାରତ ପାକିସ୍ତାନ ଠାରୁ ଏହି ମାନ୍ୟତାକୁ ପ୍ରତ୍ୟାହାର କରି ନେଇଛି। ଫଳରେ ଏହି ବର୍ଷ ଠାରୁ ଦୁଇ ଦେଶ ମଧ୍ୟରେ ବ୍ୟବସାୟ ହ୍ରାସ ପାଇଛି।

ତଥ୍ୟ ଦେଖିଲେ ୨୦୧୮ରୁ ୨୦୨୪ ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ୨.୪୧ ବିଲିଅନରୁ ୧.୨ ବିଲିଅନକୁ ହ୍ରାସ ପାଇଥିଲା। ଭାରତକୁ ପାକିସ୍ତାନ ସାମଗ୍ରୀ ରପ୍ତାନୀର ପରିମାଣ ୨୦୧୯ ମସିହାର ୫୪୭.୫ ମିଲିଅନ ଡଲାରରୁ ହ୍ରାସ ପାଇ ୨୦୨୪ ମସିହାରେ ମାତ୍ର ୪,୮୦,୦୦୦ ଡଲାରକୁ ଖସିଆସିଥିଲା। ଏହି ମଧ୍ୟରେ କାଚ ସାମଗ୍ରୀ, ତମ୍ବା, ଗନ୍ଧକ, ଫଳ ଏବଂ ବାଦାମ ଆଦି ଅଧିକ ରପ୍ତାନୀ କରିଥିଲା ପାକିସ୍ତାନ।

Also Read- ସୁନା ତିଆରି କଲା ଆମେରିକା କମ୍ପାନୀ ! ଆଗକୁ ପ୍ଲାଣ୍ଟରେ ହେବ କି ଗୋଲ୍ଡ ପ୍ରଡକ୍ସନ, ହୀରା ଭଳି ଖସିଯିବନି ତ ରେଟ୍ ?

ତେବେ ଫୁଲ୍ ବ୍ୟାନ୍ ପିରିୟଡର ଶେଷ ଅବଧି- ଏପ୍ରିଲ ୨୦୨୪ରୁ ଜାନୁଆରୀ ୨୦୨୫ ମଧ୍ୟରେ ଭାରତ ପାକିସ୍ତାନକୁ ୪୪୭.୬୫ ମିଲିଅନ ଡଲାର ସାମଗ୍ରୀ ରପ୍ତାନୀ କରିଥିଲା। ସେତେବେଳେ ପାକିସ୍ତାନ ରପ୍ତାନୀ ଥିଲା ୦.୪୨ ମିଲିଅନ ଡଲାର। ତେବେ ସଦ୍ୟତମ ଡାଟା ଅନୁସାରେ ପାକିସ୍ତାନରେ ଏବେ ବି ଭାରତୀୟ ସାମଗ୍ରୀର ଚାହିଦା ରହିଛି। ପାକିସ୍ତାନର ବ୍ୟବସାୟୀମାନେ ତୃତୀୟ ଦେଶକୁ ଗଳାବାଟ କରି ଭାରତ ଠାରୁ ସାମଗ୍ରୀ ଆମଦାନୀ କରୁଛନ୍ତି।