ନୂଆଦିଲ୍ଲୀ ୨୮।୧୦: ଆନ୍ଧ୍ର ଉପକୂଳରେ ଖୁବ୍ ଧିରେ ଧିରେ ଗତି କରୁଛି ବାତ୍ୟା 'ଅର୍ଣ୍ଣବ' । ଆସନ୍ତା ୩ରୁ ୪ ଘଣ୍ଟା ପରେ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ ବୋଲି ସୂଚନା ଦେଇଛନ୍ତି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସଂଧ୍ୟାରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବ । ପବନ ବେଗ ଘଣ୍ଟାପ୍ରତି ୬୦ରୁ ୮୦ କି.ମି. ସର୍ବାଧିକ ୯୦ କି.ମି. ରହିବ । ସମୁଦ୍ର ବର୍ତ୍ତମାନ ପର୍ଯ୍ୟନ୍ତ ଅଶାନ୍ତ ରହିଛି ।୨୯ ତାରିଖ ଦ୍ବିପ୍ରହର ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବ । ପବନ ପ୍ରଭାବରେ ଛୋଟ ଛୋଟ ଗଛ ଭାଙ୍ଗିପାରେ । ଖାଲୁଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି । ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସରିବାକୁ ପ୍ରାୟ ୬ ଘଣ୍ଟା ଲାଗିଲା । ଯେତେବେଳେ ବାତ୍ୟା ଧିର ଗତି କରେ ସେତେବେଳେ ଉପକୂଳରେ ବର୍ଷା ହୋଇଥାଏ । ଏହାର ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଅତିକ୍ରମ ଏବଂ ପବନର ବେଗ:

- ଏହା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ସର୍ବାଧିକ ୧୨୫ ରୁ ୧୩୫ କି.ମି. ଏବଂ କେତେକ ସ୍ଥାନରେ ୧୫୦ କି.ମି. ପ୍ରତି ଘଣ୍ଟା ଥିଲା ।

- ସାମୁଦ୍ରିକ ଜୁଆରର ସର୍ବାଧିକ ଉଚ୍ଚତା ୧.୫ ମିଟର ରୁ ୨.୫ ମିଟର ପର୍ଯ୍ୟନ୍ତ ରହିଥିଲା ।

ବର୍ଷାର ପରିମାଣ:

- ୨୭ ତାରିଖରୁ ଆରମ୍ଭ ହୋଇ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି ।

- ଆଜି ସାଢ଼େ ୮ଟା ସମୟରେ ୨୪ ଘଣ୍ଟାର ବର୍ଷା ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୪୦ ସେ.ମି. ରେକର୍ଡ କରାଯାଇଛି ।

- ଓଡ଼ିଶାରେ ମଧ୍ୟ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଛି ଏବଂ ଦକ୍ଷିଣ କୋଷ୍ଟାଲ ଓଡ଼ିଶାରେ ସର୍ବାଧିକ ୨୫ ସେ.ମି. ବର୍ଷା ରେକର୍ଡ ହୋଇଛି ।

ବର୍ତ୍ତମାନର ସ୍ଥିତି ଓ ଆଗାମୀ ପୂର୍ବାନୁମାନ:

- ଏହା ଉପକୂଳ ଅତିକ୍ରମ କରିବା ପରେ ବର୍ତ୍ତମାନ ବହୁତ ଧୀରେ ଧୀରେ ଗତି କରୁଛି ଏବଂ କୋଷ୍ଟାଲ ଆନ୍ଧ୍ରପ୍ରଦେଶ ଉପରେ କେନ୍ଦ୍ରୀଭୂତ ଅଛି ।

- ଏହା ଦୁର୍ବଳ ହୋଇ ଏକ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଯାଇଛି ।

- ଆସନ୍ତା ୩ ରୁ ୪ ଘଣ୍ଟା ଭୀତରେ ଏହା ଏକ ସାଇକ୍ଲୋନ୍ ଷ୍ଟର୍ମ ଏବଂ ଆଜି ସନ୍ଧ୍ୟାବେଳକୁ ଏହା ଏକ ଡିପ୍ ଡିପ୍ରେସନରେ ପରିଣତ ହେବ ।

- ଏହା ଦକ୍ଷିଣ-ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକ ଯଥା- କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ତଥା ଦକ୍ଷିଣ ଛତିଶଗଡ଼ର ବସ୍ତର ଓ ତାନ୍ତେଓଡ଼ା ଆଖପାଖରେ କେନ୍ଦ୍ରୀଭୂତ ହେବ ।

- ୨୯ ତାରିଖ ସନ୍ଧ୍ୟାବେଳକୁ ଏହା ଦୁର୍ବଳ ହୋଇ ଏକ ଲୋ-ପ୍ରେସର ସିଷ୍ଟମ୍ରେ ପରିଣତ ହେବାର ପୂର୍ବାନୁମାନ କରାଯାଇଛି ।

- ଏହି ବାତ୍ୟାର ପ୍ରଭାବରେ ଓଡ଼ିଶା ଉପରେ ଆଜି ମଧ୍ୟ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି ।

Also Read:- ବାତ୍ୟାର ଗତିପଥ ବଦଳିବା ପରେ କୋରାପୁଟରେ ତୁହାକୁ ତୁହା ବର୍ଷା, ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ବାତ୍ୟା ଓ ବର୍ଷା ପ୍ରଭାବ: ସତର୍କ ରହିବାକୁ ପରାମର୍ଶ

ବର୍ଷା ଓ ପବନର ପ୍ରଭାବ: ଆଜି ଦ୍ୱିପ୍ରହରରୁ ଆରମ୍ଭ କରି ରାତି ଯାଏଁ ଏହାର ପ୍ରଭାବ ଜାରି ରହିବ । ଛତିଶଗଡ଼କୁ ଲାଗିଥିବା ସେଠାକାର ଅଞ୍ଚଳରେ ଆଜି ରାତି ପାଖରୁ କାଲି ସକାଳ ଯାଏଁ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର (ଗୁଷ୍ଟିଂ ସମୟରେ ୬୫ କିଲୋମିଟର) ପର୍ଯ୍ୟନ୍ତ ରହିପାରେ ।

ସମୁଦ୍ର ଅଶାନ୍ତ: ବର୍ତ୍ତମାନ ସମୁଦ୍ର ଅଶାନ୍ତ ରହିଛି ଏବଂ ଆସନ୍ତା ୨୯ ତାରିଖ ଦ୍ୱିପ୍ରହର ଯାଏଁ ଏହା ଅଶାନ୍ତ ରହିବ । ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ସମ୍ଭାବ୍ୟକ୍ଷତି ଓ ପ୍ରଭାବ: ଏହି ବର୍ଷା ଓ ପବନ ପ୍ରଭାବରେ ବଡ଼ଧରଣର କ୍ଷତି ନ ହେଲେ ମଧ୍ୟ ଲୁଜ୍ ଅବ୍ଜେକ୍ଟ, ଛୋଟଛୋଟ ଗଛ ଓ ଡାଳ ଭାଙ୍ଗିପାରେ । ତଳୁଆ ଅଞ୍ଚଳ ଜଳମଗ୍ନ ହେବା ସହ ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇପାରେ । ସହରାଞ୍ଚଳରେ ପାଣି ଜମିବା ଏବଂ ଯାନବାହନ ଚଳାଚଳରେ ଅସୁବିଧା ହେବାର ସମ୍ଭାବନା ରହିଛି ।

ଲ୍ୟାଣ୍ଡଫଲ୍ ପ୍ରକ୍ରିୟା: ବାତ୍ୟାଟି ବହୁତ ଧୀରେ ଧୀରେ ଚାଲି, ଉପକୂଳ ନିକଟରେ ପହଞ୍ଚିଥିଲା ଏବଂ ଉପକୂଳ ଅତିକ୍ରମ କରିବା ପାଇଁ ପ୍ରାୟ ୬ ଘଣ୍ଟା ସମୟ ନେଇଥିଲା । ସିଧା ରାସ୍ତା ବଦଳରେ ବକ୍ର ରାସ୍ତାରେ ଗମନ କରିବା ଏବଂ ଦିଗ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିବାରୁ ଏହା ବହୁତ ଧୀରେ ଗତି କରିଥିଲା ।

ଆଗାମୀ ସ୍ଥିତି: ବାତ୍ୟାଟି ଏବେବି ଧୀରେ ଗତି କରୁଛି ଏବଂ ସମୁଦ୍ର ପାଖରୁ ବିଶେଷ ଦୂରରେ ନାହିଁ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ । ଏହାଛଡ଼ା ଆଣ୍ଡମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହାର ପ୍ରଭାବରେ ଆଗାମୀ ଦିନରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ।

Watch Video: