ରାଇରଙ୍ଗପୁର ୨୮।୧୦ : କବିରାଜ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଖେଜୁରୀ ଜଙ୍ଗଲରେ ଘଟିଥିବା ଚାଞ୍ଚଲ୍ୟକର କବିରାଜ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ମାମଲାରେ ଟାଣ୍ଡିପାଣି ଗାଁର ଜେନା ନାଏକଙ୍କୁ ଗିରଫ କରିଛି ପୋଲିସ। ପୂର୍ବ ଶତ୍ରୁତା ଓ ଗ୍ରାମୀଣ ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସ୍ପି ସୁରେଶ ଚନ୍ଦ୍ର ପାତ୍ର।

ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ୨୪ ତାରିଖରେ ବିଶୋଇ ହାଟରେ ଚେରମୂଳି ଔଷଧ ବିକ୍ରି କରି ବାଇକ୍ ଯୋଗେ ଘରକୁ ଫେରୁଥିଲେ ଟାଣ୍ଡିପାଣି ଗାଁର କବିରାଜ ରାମେଶ୍ୱର ପିଙ୍ଗୁଆ। ଏହି ସମୟରେ ଖେଜୁରୀ ଜଙ୍ଗଲ ନିକଟରେ ତାଙ୍କୁ ଅତି ନୃଶଂସ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା। ଘଟଣା ପରେ ହତ୍ୟାକାଣ୍ଡର କାରଣ ଓ ଅଭିଯୁକ୍ତକୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା ପୋଲିସ।

Also Read:-Chameli Ojha: ଚାମେଲି ଓଝାଙ୍କୁ ଆଶ୍ୱସ୍ତି, ଅନାସ୍ଥା ପ୍ରସ୍ତାବକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

ତଦନ୍ତରୁ ଏହି ହତ୍ୟାକାଣ୍ଡରେ ଟାଣ୍ଡିପାଣି ଗାଁର ଜେନା ନାଏକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା । ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଚୋରି ମାମଲା ଥିବା ବେଳେ ସେ ଜେଲ୍ ଦଣ୍ଡ ମଧ୍ୟ ଭୋଗିଥିଲେ। ମୃତକ ରାମେଶ୍ୱର ପିଙ୍ଗୁଆ ଗାଁର ମୁଖିଆ ବା ମାଝୀବାବା ଥିଲେ। ତାଙ୍କ ପଦକ୍ଷେପ ଯୋଗୁଁ ଜେନାଙ୍କୁ ପୂର୍ବରୁ ଜେଲ୍ ଯିବାକୁ ପଡ଼ିଥିବାରୁ ସେ ମୃତକଙ୍କ ପ୍ରତି ଆକ୍ରୋଶ ରଖିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ତେବେ ଏହି ଆକ୍ରୋଶରୁ ରାମେଶ୍ୱର ପିଙ୍ଗୁଆଙ୍କୁ ହତ୍ୟା କରିବାକୁ ଯୋଜନା କରିଥିବା ନେଇ ଅଭିଯୁକ୍ତ ଜେନା ନାଏକ ପୋଲିସ ଆଗରେ ସ୍ୱୀକାର କରିଥିବା ଏସ୍ପି ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ତେଲେଙ୍ଗାନା କଟୁରୀ ଓ ଗୋଟିଏ ବାଇକ୍ ଜବତ କରିଛି ପୋଲିସ। ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅନ୍ୟାନ୍ୟ ଦିଗକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ।