କୋଲକାତା: ବୁଧବାର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ମହୂଆ ମୋଇତ୍ରା ଅଣ୍ଡା ଓ ବାଇଗଣ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି। ଏହି ଆକ୍ରମଣର ସେ ଫେସବୁକ୍ ଲାଇଭ କରି ଅଭିଯୋଗ କରିଛନ୍ତି ଯେ କୃଷ୍ଣ ନଗରର ଏକ ଭୋଜନାଳୟରେ ତାଙ୍କ ଉପରକୁ କିପରି ବିଜେପି ଗୁଣ୍ଡା ଆକ୍ରମଣ କରୁଛନ୍ତି । ତେବେ ସବୁଠୁ ମଜାଦାର କଥା ହେଉଛି ଏହି ଘଟଣା ସେହି ଦିନ ଘଟିଛି ଯେଉଁଦିନ କୋଲକାତା ଉଚ୍ଚନ୍ୟାୟାଳୟ ଟିଏମସି ନେତାଙ୍କ ଉପରକୁ ଅଣ୍ଡାମାଡ଼ ଘଟଣାକୁ ନେଇ ବିଜେପି ନେତୃତ୍ୱାଧୀନ ବେଙ୍ଗଲ ସରକାରଙ୍କୁ ତାଗିଦ କରିଛନ୍ତି।

କୋର୍ଟ କହିଛନ୍ତି ଯେ ନେତାଙ୍କ ଉପରକୁ ଏପରି ଆକ୍ରମଣ ଏବେ ରାଜ୍ୟରେ ସାମାଜିକ ବିଦ୍ରୁପରେ ପରିଣତ ହୋଇଛି। ବୁଧବାର ପ୍ରଦର୍ଶନକାରୀଙ୍କ ଏକ ସମୂହ କୃଷ୍ଣନଗରର ସେହି ଭୋଜନାଳୟ ଆଗରେ ଠୁଳ ହୋଇଥିଲେ ଯେଉଁଠି ମହୂଆ ମୋଇତ୍ରା ଟିଏମସି ନେତାଙ୍କ ବୈଠକ କରୁଥିଲେ। ଭିଡିଓରେ ଠୁଳ ହୋଇଥିବା ଲୋକଙ୍କୁ ମୋଇତ୍ରାଙ୍କୁ ଲକ୍ଷ୍ୟ କରି ବିଲ୍ଡିଂ ଉପରକୁ ଅଣ୍ଡା ଓ ପରିବା ମାଡ଼ କରୁଥିବାର ଦେଖା ଯାଇଛି। ଉପର ମହଲାରୁ ମୋଇତ୍ରା ଲାଇଭ ପ୍ରସାରଣ କରି କହିଛନ୍ତି ଯେ ଏବେ ରାଜ୍ୟରେ ଆଇନ ବ୍ୟବସ୍ଥା ପରିସ୍ଥିତି ଏପରି। ଏମାନଙ୍କ ମଧ୍ୟରେ କେହି ବି ସାଧାରଣ ଜନତା ନାହାନ୍ତି। ଏମାନେ ସମସ୍ତେ ବିଜେପି ଗୁଣ୍ଡା।

ଭିଡିଓରେ ଏହା ବି ଦେଖା ଯାଉଛି ଯେ ପ୍ରଦର୍ଶନକାରୀ ଅଣ୍ଡା ଓ ପରିବା ଫିଙ୍ଗୁଥିବା ବେଳେ ମୋଇତ୍ରା ପର୍ଦ୍ଦାର ସାହାରା ନେଇ ନିଜକୁ ବଞ୍ଚାଉଛନ୍ତି। ମୋଇତ୍ରା କହିଛନ୍ତି ଯେ ପୋଲିସ ଓ ସିଆରପିଏଫ ଘଟଣାର ୧୫ ମିନିଟ୍ ପରେ ପହଞ୍ଚିଥିଲେ। ଏ ବାବଦେ ସେ ଡିଜିପି ଓ ଅନ୍ୟମାନଙ୍କୁ ଫୋନ କରି ଜଣାଇଥିଲେ, ହେଲେ ସେମାନେ ତାମସା ଦେଖୁଥିଲେ। ଏଣୁ ମୁଁ ଚାହୁଁଛି ସାରା ଭାରତ ଘଟଣାକୁ ଦେଖୁ। କାରଣ ପୋଲିସ ଓ ସିଆରପି ପହଞ୍ଚିଥିଲେ ବି ଭିଡକୁ ଘଉଡେଇବା ବଦଳେ ଛିଡା ହୋଇଛନ୍ତି। ଭଡିଓରେ ଅଣ୍ଡା ଓ ପରିବା ଫିଙ୍ଗୁଥିବା ଲୋକଙ୍କ ମୁହଁ ସ୍ପଷ୍ଟ ଦେଖା ଯାଉଛି। ହେଲେ ପରେ ପୋଲିସ କହିବ ଆମେ ସେମାନଙ୍କୁ ଚିହ୍ନଟ କରିପାରିବୁନି।

ତେବେ ମହୁଆ କହିଛନ୍ତି ଯେ ସେ ନଇଁବା ଲୋକଙ୍କ ମଧ୍ୟରେ ନୁହନ୍ତି ଓ ମୋର ପୋଲିସ ସୁରକ୍ଷା ଲୋଡା ନାହିଁ। ଏହା ମୋ ଅଞ୍ଚଳ ଓ ମୁଁ ଏଠାକାର ସାଂସଦ, ମୁଁ ଏଠୁ ହଟିବା ଲୋକ ନୁହେଁ ପୁରା ବେଙ୍ଗଲ ଘଟଣା ଦେଖୁ ଏହା ପରେ ମହୁଆ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ବେଙ୍ଗଲ ପୋଲିସ ମୁଖ୍ୟଙ୍କୁ ଟ୍ୟାଗ୍ କରିଛନ୍ତି। ଏଥିରେ ମୋଇତ୍ରା ଲେଖିଛନ୍ତି ଗତ ୨ ଘଣ୍ଟା ହେଲା ଆପଣଙ୍କ ପୋଲିସ ତାମସା ଦେଖୁଛି ହେଲେ ଭିଡକୁ ଘଉଡାଉ ନାହିଁ। ସେମାନେ ଭାବୁଛନ୍ତି ମୁଁ ପଳେଇ ଯିବି ଓ ଯେବେ ମୋ ଗାଡିରେ ବସିବି ସେମାନେ ମୋ ଗାଡ଼ି ଉପରକୁ ଅଣ୍ଡା ଓ ପଥର ମାରିବେ।

ଚଳିତମାସ ପ୍ରାରମ୍ଭରେ ମହୂଆ ମୋଇତ୍ରା ଏଇଭଳି ଏକ ଘଟଣାରୁ ନିଜକୁ ବଞ୍ଚାଇଥିଲେ। ତାଙ୍କର କୋର୍ଟରେ ହାଜର ହେବାର ଥିଲା, ଖବର ପାଇ ଶତାଧିକ ସଂଖ୍ୟାରେ ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ ଅଣ୍ଡା ଓ ଟମାଟର ନେଇ କୋର୍ଟ ବାହାରେ ଠୁଳ ହୋଇଥିଲେ। ମହୁଆ ପହଞ୍ଚିଥିଲେ ତାଙ୍କ ଉପରକୁ ଫୋପାଡି ଥାନ୍ତେ। ହେଲେ ସେଦିନ ମହୁଆ କୋର୍ଟକୁ ଯାଇ ନଥିଲେ। ଏଣୁ ମହିଳା ମୋର୍ଚ୍ଚା ନିରାଶ ହୋଇ ଫେରିଥିଲା।