ନୂଆଦିଲ୍ଲୀ, ୨୩।୧୧ : ନ୍ୟୁଜିଲାଣ୍ଡ ବିପକ୍ଷ ଓ୍ୱେଲିଂଟନ୍ ଟେଷ୍ଟରେ ଭାରତୀୟ ବ୍ୟାଟର ଦମଦାର ପ୍ରଦର୍ଶନ କରିଥିଲେ । କିନ୍ତୁ ମୁକାବିଲା ଡ୍ର ରେ ଶେଷ ହୋଇଛି । ଏବେ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ଅଧିନାୟକ ଶୁଭମନ ଗିଲଙ୍କ ନଜର ପିଚ୍ ଉପରେ ରହିଛି । ଖ୍ରୀଷ୍ଟଚର୍ଚ୍ଚର ହେଗଲେ ଓଭାଲରେ ବୋଲରଙ୍କୁ ପିଚରୁ କିଛି ସାହାଯ୍ୟ ମିଳିବା ନେଇ ଗିଲ୍ ଆଶା ରଖିଛନ୍ତି । ଯାହା ଦ୍ୱାରା ଭାରତ ସିରିଜରେ ଆଗୁଆ ରହିପାରିବ ।

ଦୁଇ ଦେଶ ମଧ୍ୟରେ ଟେଷ୍ଟ୍ ସିରିଜର ଦ୍ୱିତୀୟ ତଥା ଶେଷ ମୁକାବିଲା ନଭେମ୍ବର ୨୭ ତାରିଖରେ ଖେଳାଯିବ । ପ୍ରଥମ ଟେଷ୍ଟ୍ ପରେ ଶୁଭମନ ଗିଲଙ୍କୁ ଭାରତୀୟ ଦଳକୁ କେଉଁ କ୍ଷେତ୍ରରେ ସୁଧାର ଆବଶ୍ୟକ ବୋଲି ପଚରା ଯାଇଥିଲା । ଏହାର ଉତ୍ତରରେ ସେ କହିଛନ୍ତି ଯେ, ଦଳରେ ସେପରି କିଛି ଖାସ୍ ପରିବର୍ତ୍ତନର ଆବଶ୍ୟକତା ନାହିଁ । କିନ୍ତୁ ଆଗାମୀ ମ୍ୟାଚରେ ପିଚ୍ ବୋଲରଙ୍କୁ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

Also Read :- ମୋଦୀଙ୍କୁ ଭେଟିଲେ ବାଲେନ୍ ଶାହ : ନୂଆ ଶିଖର ଛୁଇଁବ ଭାରତ-ନେପାଳ ସମ୍ପର୍କ

ସେ ଆହୁରି କହିଛନ୍ତି ଯେ, ଭାରତୀୟ ଦଳ ଭଲ ଖେଳୁଛି । ଏପରି ଭାବେ ଖେଳିଲେ ଦଳ ଭଲ ସ୍ଥିତିରେ ରହିବ । ବୋଲର ଏବଂ ବ୍ୟାଟରମାନେ ରଣନୀତିକୁ ଠିକ୍ ଭାବେ ଲାଗୁ କରିପାରିଲେ ଫାଇଦାରେ ରହିବେ । ମ୍ୟାଚର ରେଜଲ୍ଟ ମଧ୍ୟ ଭାରତ ସପକ୍ଷରେ ଯିବ । ବୋଲରମାନେ କିଓ୍ୱି ବ୍ୟାଟରଙ୍କୁ ଚ୍ୟାଲେଞ୍ଜ୍ ଦେବାରେ ସଫଳ ହୋଇଥିଲେ । ବ୍ୟାଟରମାନେ ମଧ୍ୟ ବଡ ସ୍କୋର କରିବାରେ ସଫଳ ହୋଇଥିଲେ । ସବୁ ବିଭାଗରେ ଦଳ ଉନ୍ନତ ପ୍ରଦର୍ଶନ କରିଛି ।

ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୭୨୦ ରନର ବିଶାଳ ସ୍କୋର କରିଥିଲା । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୬୮ରେ ଅଲଆଉଟ୍ ହୋଇଯାଇଥିଲା । ଦ୍ୱିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ସଅଳ ଓପନରଙ୍କୁ ହରାଇଥିଲେ ମଧ୍ୟ ଅନ୍ୟ ବ୍ୟାଟର କ୍ରିଜରେ ଜମି ରହିଥିଲେ । ଫଳରେ ମ୍ୟାଚ୍ ଡ୍ର ରହିଥିଲା ।