ନୂଆଦିଲ୍ଲୀ: ୩୫୨ ରନ ଆଗରେ ରହିବା ପରେ ଲାଗିଲା ଭାରତ ମ୍ୟାଚ୍ ଜିତିଯିବ। ହେଲେ ଥକି ଗଲେ ବୋଲର ଏବଂ ମ୍ୟାଚ୍ ଡ୍ର ରଖିଲା ଭାରତ। ଭାରତୀୟ ଦଳର ଏମିତି ପ୍ରଦର୍ଶନ ଦେଖି ଭାରତୀୟ କ୍ରିକେଟ୍ ପ୍ରେମୀଙ୍କଠୁ ନେଇ ପୂର୍ବତନ ଖେଳାଳି ଏବଂ ସମୀକ୍ଷକ ନିରାଶ। ବିଶେଷ କରି ଦ୍ରୁତ ବୋଲରଙ୍କ ପ୍ରଦର୍ଶନ ଆଶାନୁରୂପ ନ ଥିବା କହିଛନ୍ତି କ୍ରିକେଟ୍ ସମୀକ୍ଷକ। ତେବେ ପ୍ରଥମ ଟେଷ୍ଟ ଆରମ୍ଭ ହେବାଠୁ ନେଇ ଶେଷ ଯାଏ ଏବେ ବି ଗୋଟିଏ ପ୍ରଶ୍ନ ସଭିଙ୍କ ମନରେ ଉଙ୍କି ମାରୁଛି, ମହମ୍ମଦ ସିରାଜଙ୍କୁ କାହିଁକି ସୁଯୋଗ ଦିଆଗଲା ନାହିଁ ? ଏହାକୁ ନେଇ ଅନେକ ବିତର୍କ ହୋଇ ସାରିଲାଣି। ଏହା ଉପରେ ଏବେ ମୁହଁ ଖୋଲିଛନ୍ତି ଅଧିନାୟକ ଶୁଭମନ ଗିଲ୍। ସିରାଜଙ୍କୁ ବାହାରେ ବସାଇବା ଦଳ ପ୍ରବନ୍ଧକଙ୍କ ନିଷ୍ପତ୍ତିକୁ ସଠିକ୍ ବୋଲି ଦର୍ଶାଇଛନ୍ତି ଭାରତୀୟ ଅଧିନାୟକ।

Also Read: 'ପିଚ୍ ପାଇଁ ଆମେ ଜିତିପାରିଲୁନି'... ପ୍ରଥମ ଟେଷ୍ଟ୍ ଡ୍ର' ପରେ କାହିଁକି ଏମିତି କହିଲେ ଗିଲ୍ ?

ଗିଲ୍ କହିଛନ୍ତି, ସିରାଜ ଜଣେ ଚମତ୍କାର ବୋଲର। ସେ ଭାରତ ପାଇଁ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଏସବୁ ପୂର୍ବରୁ ସେ ମୋର ଜଣେ ଭଲ ବନ୍ଧୁ। ଆମେ ଏକ ସଙ୍ଗେ ପଦାର୍ପଣ କରିଥିଲୁ ଏବଂ ଭାରତ ପାଇଁ ଖେଳିବା ପୂର୍ବରୁ ବହୁତ ଭଲ ସାଙ୍ଗ ଥିଲୁ। ଏଥିପାଇଁ ତାଙ୍କୁ ଦଳରୁ ବାହାରେ ରଖିବା ମୋ ପାଇଁ ବାସ୍ତବରେ ମୁସ୍କଲି ନିଷ୍ପତ୍ତି ଥିଲା। ମାତ୍ର ବେଳେ ବେଳେ ଆପଣଙ୍କୁ ଦେଖିବାକୁ ପଡ଼ିଥାଏ ଯେ, କେଉଁ କେଉଁ ବୋଲର ଭଲ ଫର୍ମରେ ଅଛନ୍ତି ଏବଂ କିଏ ସର୍ବଶ୍ରେଷ୍ଠ ବୋଲିଂ କରି ପାରୁଛି।

ପ୍ରଥମରୁ ହିଁ ସିରାଜଙ୍କୁ ଜଣାଇ ଦିଆଯାଇଥିଲା

ଗିଲ୍ କହିଛନ୍ତି, ମ୍ୟାଚ୍ ପୂର୍ବରୁ ବ୍ୟକ୍ତିଗତ ଭାବେ ସିରାଜଙ୍କ ସହ କଥା ହୋଇ ନିଷ୍ପତ୍ତି ବିଷୟରେ ଜଣାଇ ଦିଆଯାଇ ଥିଲା। ପ୍ରଥମ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବ ନାହିଁ ବୋଲି ସିରାଜଙ୍କୁ ମୁଁ ଜଣାଇ ଦେଇଥିଲି। ମୋତେ ଜଣା ନାହିଁ ଏହି ନିଷ୍ପତ୍ତିରେ ସେ କେତେ ସହମତ ଥିଲେ। ମାତ୍ର ତାଙ୍କୁ ଏହା ପଛର ତର୍କ ଜଣା ଥିଲା। ସେ ଜାଣି ପାରିଥିଲେ ଯେ, ଆମେ ତାଙ୍କ ସ୍ଥାନରେ ଅନ୍ୟ ବୋଲରଙ୍କୁ କାହିଁକି ଚୟନ କଲୁ। ଗିଲ୍ କହିଛନ୍ତି, ମୋ ମତରେ ପ୍ରତ୍ୟେକ ଖେଳାଳିଙ୍କ କ୍ୟାରିୟର କିମ୍ବା ଜୀବନରେ ଏମିତି ଏକ ସମୟ ଆସେ ଯେବେ ଆପଣ କ୍ୟାରିୟରର ଚରମରେ ନ ଥାନ୍ତି। ମୋତେ ଲାଗୁଛି ସିରାଜ ଏହି କଥାକୁ ବେଶ ଭଲ ଭାବେ ବୁଝି ପାରୁଥିବେ।

Also Read: ଫିଲ୍ଡରେ ସୁପରମ୍ୟାନ୍ ହୋଇଗଲେ ଧୃବ ଜୁରେଲ : ଡାଇଭ୍ ମାରି ଧରିଲେ ଅସମ୍ଭବ କ୍ୟାଚ୍, ଦେଖନ୍ତୁ ଭିଡିଓ

କଣ ଦ୍ଵିତୀୟ ଟେଷ୍ଟରେ ମିଳିବ ସୁଯୋଗ ?

ଗିଲ୍ ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ଭାରତ ଖ୍ରୀଷ୍ଟଚର୍ଚ୍ଚରେ ଖେଳା ଯିବାକୁ ଥିବା ଦ୍ଵିତୀୟ ଟେଷ୍ଟରେ ନିଜର ଦଳ ସଂଯୋଜନାରେ ଅଧିକ କିଛି ପରିବର୍ତ୍ତନ କରିବ ନାହିଁ। ମାତ୍ର ପିଚକୁ ଦେଖିବା ପରେ ଟସ୍ ପୂର୍ବରୁ ଅନ୍ତିମ ନିଷ୍ପତ୍ତି ନିଆଯିବ। ଆମେ ପ୍ରଥମେ ପିଚର ଆକଳନ କରିବୁ, କିନ୍ତୁ ମୋତେ ଲାଗୁଛି ଅଧିକାଂଶ ଖେଳାଳି ଚୂଡ଼ାନ୍ତ ଏକାଦଶରେ ରହିବେ।