ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଡ୍ର ରହିବା ପରେ ଭାରତୀୟ ଦଳର ରଣନୀତି ଉପରେ ପ୍ରଶ୍ନ ଉଠିଛି। ୩୫୨ ରନର ଅଗ୍ରଣୀ ରହିବା ପରେ ବି ଭାରତ ମ୍ୟାଚ୍ ଡ୍ର ରଖିବା ଭାରତୀୟ କ୍ରିକେଟ୍ ପ୍ରେମୀ ଓ ପୂର୍ବତନ କ୍ରିକେଟରକୁ ନିରାଶ କରିଛି। ଏହି କ୍ରମରେ ଏବେ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ ମାନବ ସୁତାର ଓ କୁଲଦୀପ ଯାଦବଙ୍କୁ ଦଳରୁ ବାହାରେ ରଖିବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।

ଗାଙ୍ଗୁଲି କହିଛନ୍ତି, ଫ୍ଲାଟ ପିଚରେ ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ଶୀର୍ଷ ସ୍ତରର ସ୍ପିନରଙ୍କ ଆବଶ୍ୟକତା ରହିଛି। ଗାଙ୍ଗୁଲି ଏକ୍ସରେ ଲେଖିଛନ୍ତି, ଭାରତ ନ୍ୟୁଜିଲାଣ୍ଡ ଗସ୍ତରେ ଟି-୨୦ ଓ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରିଛି। ବ୍ୟାଟର ଭଲ ଯୋଗଦାନ ଦେଇଛନ୍ତି ମାତ୍ର, ବିଦେଶରେ ଟେଷ୍ଟ ମ୍ୟାଚ୍ ଜିତିବା ପାଇଁ ଫ୍ଲାଟ୍ ପିଚରେ ଜଣେ ଭଲ ସ୍ପିନରଙ୍କ ଆବଶ୍ୟକତା ରହିଛି। ଏହା ଟେଷ୍ଟ କ୍ରିକେଟରେ ବହୁତ ଜରୁରୀ। ଓ୍ଵାଶିଂଟନ ସୁନ୍ଦର ଅଲରାଉଣ୍ଡର ଭାବେ ଖେଳି ପାରନ୍ତି, ମାତ୍ର କୁଲଦୀପ କିମ୍ବା ମାନବ ସୁତାର କୁଆଡ଼େ ଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି।

Also Read: ମହମ୍ମଦ ସିରାଜଙ୍କୁ ପ୍ରଥମ ଟେଷ୍ଟର ଚୂଡ଼ାନ୍ତ ଏକାଦଶରୁ କାହିଁକି ବାଦ୍ ଦିଆଗଲା ? ମୁହଁ ଖୋଲିଲେ ଗିଲ୍

ଗାଙ୍ଗୁଲି କହିଛନ୍ତି, କୁଲଦୀପ ଆରମ୍ଭରୁ ଟେଷ୍ଟ ଦଳ ପାଇଁ ଚୟନ ହୋଇଥିଲେ, ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ସ୍ଥାନରେ ଅଂଶୁଲ କମ୍ବୋଜଙ୍କୁ ସାମିଲ କରାଗଲା। ପୁଣି ତିନୋଟି ଟେଷ୍ଟରେ ୨୩ ଓ୍ଵିକେଟ୍ ନେଇ ସାରିଥିବା ସୁତାରଙ୍କୁ ୧୫ ଜଣିଆ ଟିମରେ ସ୍ଥାନ ମିଳିଲାନି। ଭାରତୀୟ ଟିମରେ ଏକମାତ୍ର ସ୍ପିନର ସୁନ୍ଦର ରହିଛନ୍ତି , ଯାହା ଦଳ ପାଇଁ ଫଳପ୍ରଦ ହୋଇନି।

ଭାରତର ପୂର୍ବତନ ସ୍ପିନର ଆର ଅଶ୍ଵିନ କହିଛନ୍ତି, ଭାରତୀୟ ଟିମକୁ ଶେଷ ୧୫ ଓଭର ବୋଲିଂ କରିବାର ଥିଲା। ପାଞ୍ଚ ଓ୍ଵିକେଟ୍ ନେବା ପାଇଁ ଉଦ୍ୟମ କରିବାର ଥିଲା। ପୂରା ଓଭର ଖେଳ ହୋଇଥିଲେ କିଛି ବି ପରିଣାମ ଆସିଥାନ୍ତା। ଜିତିବା ପାଇଁ ଟିମ୍ ଇଣ୍ଡିଆକୁ ତତ୍ପର ହେବାର ଥିଲା।

Also Read: 'ପିଚ୍ ପାଇଁ ଆମେ ଜିତିପାରିଲୁନି'... ପ୍ରଥମ ଟେଷ୍ଟ୍ ଡ୍ର' ପରେ କାହିଁକି ଏମିତି କହିଲେ ଗିଲ୍ ?

ଭାରତର ପୂର୍ବତନ ଅଲରାଉଣ୍ଡର ଇରଫାନ ପଠାନ ମିଚେଲ୍ ଓ ଫିଲିପ୍ସଙ୍କ ପ୍ରଶଂସା କରି କହିଛନ୍ତି, ଦୁଇ ବ୍ୟାଟର ୩୦୦ରୁ ଅଧିକ ବଲ୍ ଖେଳି ମ୍ୟାଚକୁ ଡ୍ର କରାଇଛନ୍ତି। ଏଥିରୁ ପ୍ରମାଣିତ ହୋଇଛି ଯେ, ଏହି ଭାଗିଦାରୀ କେତେ ଗୁରୁତ୍ଵପୂର୍ଣ୍ଣ ଥିଲା। ସୂଚନାଯୋଗ୍ୟ, ପଞ୍ଚମ ଦିନରେ ୧୫ ଓଭର ବାକି ଥିବା ବେଳେ ପ୍ରଥମେ ଅଧିନାୟକ ଶୁଭମନ ଗିଲ୍ କିଓ୍ଵି ଦଳର ଖେଳାଳିଙ୍କ ସହ ହାତ ମିଳାଇ ମ୍ୟାଚ୍ ଡ୍ର ବୋଲି ଆନୁଷ୍ଠାନିକ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ମ୍ୟାଚରେ ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିଓ୍ଵି ପ୍ରଥମ ଇନିଂସରେ ହେନରି ନିକୋଲାସ ଓ ଗ୍ଲେନ ଫିଲିପ୍ସଙ୍କ ଶତକ ବଳରେ ୩୬୮ ରନ କରିଥିଲା। ଜବାବରେ ଭାରତ ୭୨୦ ରନର ବିଶାଳ ସ୍କୋର କରି ୩୫୨ ରନର ବିଶାଳ ଅଗ୍ରଣୀ ହାସଲ କରିଥିଲା। ହେଲେ ଭାରତୀୟ ବୋଲରଙ୍କ ଦୁର୍ବଳ ପ୍ରଦର୍ଶନ ଯୋଗୁଁ ମ୍ୟାଚ୍ ଡ୍ର ରହିଛି।