ଇନ୍ଦୋର: ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ଏକ ମ୍ୟାଚରେ ଗର୍ଜି ଉଠିଛି ବାମହାତୀ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟଙ୍କ ବ୍ୟାଟ୍। ତାମିଲନାଡ଼ୁ ବିପକ୍ଷ ମ୍ୟାଚରେ ଦିଲ୍ଲୀର ଅଧିନାୟକ ଆର୍ଯ୍ୟ ୬୮ ବଲରୁ ଖେଳିଛନ୍ତି ୧୮୧ ରନର ଧୂଆଁଧାର ଇନିଂସ। ଏହି ଶତକୀୟ ଇନିଂସ ବଳରେ ପ୍ରିୟାଂଶ ଟି-୨୦ କ୍ରିକେଟରେ ରେକର୍ଡ ବୁକରେ ନିଜର ନାଁ ଲିପିବଦ୍ଧ କରିଛନ୍ତି। ସେ ଅଧିନାୟକ ଭାବେ ଟି-୨୦ କ୍ରିକେଟରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ କରିଛନ୍ତି। ଇନ୍ଦୋରରେ ଖେଳା ଯାଇଥିବା ଏହି ମ୍ୟାଚରେ ଆର୍ଯ୍ୟଙ୍କ ଏହି ଶତକୀୟ ଇନିଂସରେ ୧୯ ଛକା ଓ ୭ ଚୌକା ସାମିଲ୍। ତାଙ୍କର ଶତକ ବଳରେ ଦିଲ୍ଲୀ ୨୦ ଓଭରରେ ୫ ଓ୍ଵିକେଟ୍ ହରାଇ ୨୭୫ ରନର ବିଶାଳ ସ୍କୋର କରିଛି।

Also Read: ଦଳ ଚୟନ ଉପରେ ପ୍ରଶ୍ନ ଉଠାଇଲେ ଗାଙ୍ଗୁଲି, ପ୍ରଥମ ଟେଷ୍ଟ ଡ୍ର ପରେ ପଚାରିଲେ- ସୁତାର-କୁଲଦୀପ କୁଆଡ଼େ ଗଲେ ? 

ଟି-୨୦ କ୍ରିକେଟ୍ ଇତିହାସରେ ସର୍ବାଧିକ ରନ ହାସଲକାରୀ ବ୍ୟାଟର ହୋଇଛନ୍ତି ପ୍ରିୟାଂଶ ଆର୍ଯ୍ୟ। ସେ କେଏଲ ରାହୁଲଙ୍କୁ ପଛରେ ପକାଇଛନ୍ତି। ଏହାସହ ଟି-୨୦ ଇନିଂସରେ ସର୍ବାଧିକ ଛକା ମାରିବାର ବିଶ୍ଵ ରେକର୍ଡ ସହ ସମକକ୍ଷ ହୋଇଛନ୍ତି। ୧୮୧ ରନର ଦମଦାର ଇନିଂସ ପୁରୁଷ ଟି-୨୦ କ୍ରିକେଟରେ ଦ୍ଵିତୀୟ ବ୍ୟକ୍ତିଗତ ସର୍ବୋଚ୍ଚ ସ୍କୋର। ପ୍ରଥମ ସ୍ଥାନରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଲୁଆନ ଡ୍ର ପ୍ରିଟୋରିୟସ। ସେ ୨୦୨୬ ଅକ୍ଟୋବରରେ ସିଏସଏ ପ୍ରୋ ୨୦ କପରେ ଟାଇଟନ୍ସ ପକ୍ଷରୁ ଖେଳି ନାଇଟ୍ସ ବିପକ୍ଷରେ ଅପରାଜିତ ୧୮୮ ରନର ଧୂଆଁଧାର ଶତକୀୟ ଇନିଂସ ଖେଳିଛନ୍ତି।

ସୂଚନାଯୋଗ୍ୟ, ମ୍ୟାଚରେ ଟସ୍ ଜିତି ତାମିଲନାଡୁ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆଉ ଅଧିନାୟକ ଆର ସାଇ କିଶୋରଙ୍କ ନିଷ୍ପତ୍ତି ଭୁଲ ପ୍ରମାଣିତ ହୋଇଛି।ପ୍ରିୟାଂଶ ଧମାକଦାର ବ୍ୟାଟିଂ କରି ଦଳର ସ୍କୋରକୁ ୨୭୫ ରନରେ ପହଞ୍ଚାଇଛନ୍ତି। ଜବାବରେ ତାମିଲନାଡୁ ପରାଜୟମୁହାଁ ହୋଇଛି।