ମୁମ୍ବାଇ: ପାହାଡ଼ ଧାରରେ ଛିଡ଼ା ହୋଇ ଆତ୍ମହତ୍ୟା କରିଦେବ ବୋଲି ବାରମ୍ବାର ବାପାମା’କୁ ଧମକାଉଥିଲା ପୁଅ। ଧନ ଫେରିଆ… ଏ ଦୁର୍ବୁଦ୍ଧି କର ନା… ତୁ ଯାହା କହିବୁ ଆମେ ମାନିବୁ ବୋଲି କହି କେତେ ବୁଝାଇଲେ ବାପା ମାଆ, ଗାଁ ଲୋକେ ଓ ବନ୍ଧୁ ପରିବାର। ଶେଷରେ ଘଟଣାର ଏକ ଦୁଃଖଦ ଅନ୍ତ ଦେଖିଲା ପୂରା ଗାଁ। ପୁଅକୁ ବଞ୍ଚାଇବାକୁ ଯାଇ ପ୍ରଥମେ ବାପା ଓ ପରେ ମାଆ ବି ପାହାଡ଼ରୁ ଡେଇଁ ଜୀବନ ହାରିଲା। ଅକାଳରେ ପୂରା ପରିବାର ଶେଷ ହୋଇଗଲା।ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ଖାଭଡା ପାହାଡ଼ରେ ଘଟିଛି ଏକ ଦୁଃଖଦ ଘଟଣା। ଆତ୍ମହତ୍ୟା କରିବାକୁ ଧମକ ଦେଇ ପାହାଡ଼ ଧାରରେ ଠିଆ ହୋଇଥିବା ୧୮ ବର୍ଷୀୟ ପୁଅକୁ ବଞ୍ଚାଇବାକୁ ଯାଇ ତାଙ୍କ ବାପା ଓ ମାଆଙ୍କ ସହ ତିନିଜଣଙ୍କ ମୃତ୍ୟୁ ଘଟିଛି। ଶୁକ୍ରବାର ଦିନ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ଦେଭଲାଇ ଅଞ୍ଚଳର ୧୮ ବର୍ଷୀୟ ଯୁବକ ଶୁକ୍ରବାର ସକାଳ ପ୍ରାୟ ୧୦ଟାରେ ଖାଭଡା ପାହାଡ଼ ଉପରକୁ ଯାଇଥିଲେ। ସେଠାରେ ପାହାଡ଼ର ଧାରରେ ଠିଆ ହୋଇ ସେ ଆତ୍ମହତ୍ୟା କରିବେ ବୋଲି ବାରମ୍ବାର ଧମକ ଦେଉଥିଲେ। ତାଙ୍କୁ ଅଟକାଇବା ପାଇଁ ପରିବାର ଲୋକ, ଗ୍ରାମବାସୀ ଏବଂ ପରେ ପୁଲିସ ମଧ୍ୟ ଉଦ୍ୟମ କରିଥିଲା।

Also Read- ନିଜ ଦାମିକିଆ ଗାଡିରେ ଧକ୍କା ଦେଇ ଯୁବତୀଙ୍କୁ ମାରିଦେଲା ସାଂସଦଙ୍କ ପୁଅ: ଗିରଫ ନ କରି ନୋଟିସ୍ ଜାରି କଲା ପୁଲିସ

ପ୍ରାୟ ୩ ଘଣ୍ଟା ଧରି ସମସ୍ତେ ଯୁବକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ନିଜ ଭବିଷ୍ୟତ ଏବଂ ବାପା-ମାଆଙ୍କ କଥା ଭାବିବାକୁ ଅନୁରୋଧ କରିଥିଲେ। କିନ୍ତୁ ଯୁବକ ନିଜ ଜିଦ୍ରେ ଅଟଳ ରହିଥିଲେ। ଘଟଣାସ୍ଥଳରେ ଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକମାନେ ଏହି ଘଟଣାର ଭିଡିଓ ମଧ୍ୟ ରେକର୍ଡ କରିଥିଲେ।

ଘଟଣାର ଘଟିବାର ୧୫ରୁ ୨୦ ମିନିଟ୍ ପୂର୍ବରୁ ଯୁବକଙ୍କ ବାପା ପାହାଡ଼ ଉପରକୁ ଚଢ଼ି ପୁଅ ନିକଟକୁ ଯାଇଥିଲେ, ତାକୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଦିନ ପ୍ରାୟ ୧ଟା ସମୟରେ ପୁଅ ପାହାଡ଼ର ଧାର ଆଡ଼କୁ ଯିବାରୁ ବାପା ତାକୁ ଧରି ପକାଇଥିଲେ। ଅଟକାଇବାକୁ ଚେଷ୍ଟା କରୁଥିବା ସମୟରେ ଦୁଇଜଣ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସିପଡ଼ିଥିଲେ। ଏହା ଦେଖି ଭୟଭୀତ ହୋଇପଡ଼ିଥିବା ଯୁବକଙ୍କ ମାଆ ମଧ୍ୟ କିଛି ସମୟ ପରେ ପାହାଡ଼ରୁ ଖସି ପଡ଼ି ଜୀବନ ହାରିଛନ୍ତି। ଘଟଣାରେ ୧୮ ବର୍ଷୀୟ ଯୁବକ ଓ ତାଙ୍କ ବାପା ଓ ମାଆଙ୍କ ସମେତ ମୋଟ ତିନିଜଣଙ୍କ ମୃତ୍ୟୁ ଘଟିଛି।

ପ୍ରତ୍ୟକ୍ଷଦର୍ଶୀ ସଞ୍ଜୟ ଯାଧବଙ୍କ କହିବା ଅନୁସାରେ, ପରିବାର ଲୋକ ଓ ଅନ୍ୟମାନେ ଯୁବକଙ୍କୁ ବୁଝାଇବା ପାଇଁ ବହୁତ ଚେଷ୍ଟା କରିଥିଲେ। ତାଙ୍କ ମାଆ ବାରମ୍ବାର ପୁଅକୁ ପାହାଡ଼ରୁ ଡେଇଁ ନପଡ଼ିବାକୁ ନିବେଦନ କରୁଥିଲେ। ପୁଲିସ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଯୁବକଙ୍କୁ ସୁରକ୍ଷିତ ସ୍ଥାନକୁ ଆସିବାକୁ ବୁଝାଇଥିଲା।

କିନ୍ତୁ ପ୍ରାୟ ତିନି ଘଣ୍ଟାର ଚେଷ୍ଟା ପରେ ମଧ୍ୟ ତାଙ୍କୁ ଅଟକାଇବା ସମ୍ଭବ ହୋଇନଥିଲା। ଶେଷରେ ପୁଅକୁ ବଞ୍ଚାଇବାର ଚେଷ୍ଟା କରିବା ସମୟରେ ବାପା ଓ ପରେ ମାଆ ମଧ୍ୟ ପାହାଡ଼ରୁ ଖସିପଡ଼ିବାରୁ ଗୋଟିଏ ପରିବାରର ତିନିଜଣଙ୍କ ଜୀବନ ଦୀପି ଲିଭିଯାଇଛି। ଏହି ହୃଦୟବିଦାରକ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବିଦ୍ର- ଆତ୍ମହତ୍ୟା ଏକ ପାପ। ନିଜ ଭିତରେ ଥିବା ଜୀବନକୁ ଶେଷ କରିବା ହତ୍ୟା ସହ ସମାନ। ଜୀବନର ପ୍ରବହମାନ ଧାରା ମଧ୍ୟରେ ଚାପ, ମାନସିକ ଅଶାନ୍ତି ଆସିବ। ହେଲେ ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ। ବିଫଳ ମଣିଷକୁ ଦେଖି ହତୋତ୍ସାହିତ ହେବା ଅପେକ୍ଷା ସଂଘର୍ଷ କରି ସଫଳତା ପାଇଥିବା ମଣିଷର କାହାଣୀ ଦେଖି ଅନୁପ୍ରାଣିତ ହେବା ଶ୍ରେୟସ୍କର। ଯଦି ଏଭଳି ମାନସିକ ଚାପରେ ରହୁଛନ୍ତି, ତେବେ ତୁରନ୍ତ ଡାକ୍ତର ସହ ପରାମର୍ଶ କରନ୍ତୁ, ସେହି ବ୍ୟକ୍ତିଙ୍କ ସହିତ ଘଟଣା ଶେୟାର କରନ୍ତୁ ଯିଏ ହୁଏତ ଆପଣଙ୍କୁ ଏକ ନୂଆ ରାସ୍ତା ଦେଖାଇ ପାରିବେ। ଆଉ ଜୀବନ ସବୁବେଳେ ସମ୍ଭାବନାମୟ। କିଏ ଜାଣେ କେତେବେଳେ କେଉଁ ମୋଡ଼ରେ ପୁଣି ଏକ ନୂଆ ରାସ୍ତା ଆରମ୍ଭ ହୋଇପାରେ। ହେଲେ ଏହି ନୂଆ ରାସ୍ତା ପାଇଁ ଜୀବନ ଥିଲେ ହେଲା…।