ପୁଣେ: ମହାରାଷ୍ଟ୍ର ନସରପୁରରେ ୪ ବର୍ଷର ନା ବାଳିକା ପ୍ରତି ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଣେ ସ୍ପେଶାଲ ଫାଷ୍ଟ-ଟ୍ରାକ୍ କୋର୍ଟ ଅଭିଯୁକ୍ତ ଭୀମ ରାଓ କାମ୍ବଲେ (୬୫)କୁ ମୃତ୍ୟୁଦାଣ୍ଡାଦେଶ କରାଯାଇଛି। ପକସୋ ଆକ୍ଟରେ ଚାଲିଥିବା ଏହି ମୋକଦ୍ଦମାର ଶୁଣାଣିରେ କୋର୍ଟ ୫୫ ଦିନରେ ତାଙ୍କର ରାୟ ଘୋଷଣା କରିଛନ୍ତି। ଭୋର ତହସିଲରେ ନାବାଳିକାକୁ ନିର୍ମମ ହତ୍ୟାର ଏହି ମାମଲାରେ ଭୀମରାଓ କାମ୍ବଲେକୁ ପୂର୍ବରୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଅପରାଧୀକୁ ଆଜୀବନ ଜେଲଦଣ୍ଡ ଅଥବା ଫାଶୀ କୌଣସି ଏକ ଦଣ୍ଡରୁ ଗୋଟିଏ ଉପରେ ନିଷ୍ପତ୍ତି ନେବାର ଥିଲା। ତେବେ ଏହା ଏକ ବିରଳତମ ମାମଲା ହୋଇଥିବାରୁ କୋର୍ଟ ମୃତ୍ୟୁଦଣ୍ଡାଦେଶ କରିଛନ୍ତି।

ଏହି ମାମଲାର ଉଲ୍ଲେଖ ମହାରାଷ୍ଟ୍ର ବିଚାର ବିଭାଗୀୟ ଇତିହାସରେ ସବୁଠୁ ଦ୍ରୁତ ଶେଷ ହୋଇଥିବା ମାମଲା ମଧ୍ୟରୁ ଗୋଟିଏ ରୂପେ ଏବେ ଗଣାଯାଉଛି। ଏହି କାରଣରୁ ପୋଲିସକୁ ମାମଲାରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ କରିବାକୁ ପଡିଥିବା ବେଳେ ୧,୨୦୦ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ(ଚାର୍ଜସିଟ୍) ଦାଖଲ କରିଥିଲା। ସେହିପରି ସ୍ପେଶାଲ ଜଜ୍ ଏସ.ଆର. ସାଲୁଁଖେ ଦୈନିକ ଇନ୍-କ୍ୟାମେରା ଶୁଣାଣି କରିଥିଲେ। ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ଅଜୟ ମିସର ଅପରାଧୀକୁ ମୃତ୍ୟୁଦଣ୍ଡାଦେଶ ଉପରେ ଜୋର ଦେଇଥିଲେ। ଅପରାଧର କ୍ରୁରତା ସୁପ୍ରିମକୋର୍ଟଙ୍କ ରେୟାରେଷ୍ଟ ଅଫ ରେୟାର ସିଦ୍ଧାନ୍ତକୁ ପୁରା କରୁଥିବାର କହି ଏହି ଦଣ୍ଡାଦେଶ ଦାବି କରିଥିଲେ।

ତେବେ ଡିଫେନ୍ସ ଓକିଲ ଅଭିଯୁକ୍ତର ବୟସ ଓ ଅପରାଧକୁ ଅସ୍ୱୀକାର କରୁଥିବାରୁ ଦଣ୍ଡ କୋହଳ କରିବାକୁ ନିବେଦନ କରିଥିଲେ। ତେବେ କୋର୍ଟ ଅନେକ ସାକ୍ଷ୍ୟଙ୍କ ସାକ୍ଷୀ ସମେତ ମାମଲାରେ ମିଳିଥିବା ପର୍ଯ୍ୟାପ୍ତ ଫରେନସିକ୍ ପ୍ରମାଣ ଓ ପରିସ୍ଥିତିର ଯାଞ୍ଚ କରିଥିଲେ। ପରେ କୋର୍ଟ ଜୁନ ୨୫ ତାରିଖଦିନ ମାମଲାରେ ଦଣ୍ଡାଦେଶ କରିଛନ୍ତି।