ନୂଆଦିଲ୍ଲୀ: ଅଗଷ୍ଟ ୨୭ରେ ହେବାକୁ ଥିବା ଆଂଶିକ ଚନ୍ଦ୍ରଗ୍ରହଣରେ ଚନ୍ଦ୍ରର ପାଖାପାଖି ୯୬% ପୃଥିବୀ ଛାୟାରେ ଢାଙ୍କି ହୋଇଯିବ। ଏହି ଗ୍ରହଣ ଦିନବେଳା ହେବ, ଏଣୁ ଭାରତରେ ଦେଖା ଯିବ ନାହିଁ। ଗ୍ରହଣ ସମୟରେ ଚନ୍ଦ୍ରପୃଷ୍ଠ ଲାଲ ଓ ନାରଙ୍ଗୀ ରଙ୍ଗର ଦେଖାଯିବ। କାରଣ ଚନ୍ଦ୍ରର ସାମାନ୍ୟ ଅଂଶ ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ହେବ। ଏହି ଚନ୍ଦ୍ରଗ୍ରହଣ ଉତ୍ତର ଓ ଦକ୍ଷିଣ ଆମେରିକା ସହିତ ୟୁରୋପ ଏବଂ ଆଫ୍ରିକାରେ ଦେଖାଯିବ। ଗ୍ରହଣ ପାଶ୍ଚାତ୍ୟ ସମୟାନୁସାରେ ରାତି ୯ଟା ୨୩ ମିନିଟ୍ ରେ ଆରମ୍ଭ ହେବ। ଏହି ସମୟରେ ଚନ୍ଦ୍ର ପୃଥିବୀର ବାହ୍ୟ ଛାୟା ମଧ୍ୟକୁ ପ୍ରବେଶ କରିବେ।

ଆଂଶିକ ଚନ୍ଦ୍ରଗ୍ରହଣ ରାତି ୧୦ଟା ୩୩ ମିନିଟ୍ ରେ ହେବ। ଏହି ସମୟରେ ପୃଥିବୀର ଗାଢ ଛାଇ ଚନ୍ଦ୍ର ପୃଷ୍ଠରେ ବ୍ୟାପିବା ଆରମ୍ଭ ହେବ। ଗ୍ରହଣ ରାତି ୧୨ଟା ୧୨ ମିନିଟ୍ ରେ ଚରମ ପର୍ଯ୍ୟାୟରେ ପହଞ୍ଚିବ। ସେତେବେଳକୁ ଚନ୍ଦ୍ରର ୯୬.୨% ପୃଥିବୀ ଛାଇରେ ଢାଙ୍କି ହୋଇଯାଇଥିବ। ଆଂଶିକ ଚନ୍ଦ୍ରଗ୍ରହଣ ସ୍ଥାନୀୟ ସମୟ ରାତି ୧ଟା ୫୧ ମିନିଟ୍ ରେ ସମାପ୍ତ ହେବ। ତେବେ ଉପ ଛାୟା ଗ୍ରହଣ ୩.୦୧ ମିନିଟ୍ ରେ ସମାପ୍ତ ହେବ। ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପାଖାପାଖି ୫ଘଣ୍ଟା ପର୍ଯ୍ୟନ୍ତ ଚାଲିବ।

ଏହି ଚନ୍ଦ୍ରଗ୍ରହଣ ଉତ୍ତର ଓ ଦକ୍ଷିଣ ଆମେରିକାରେ ସ୍ପଷ୍ଟ ଭାବେ ଦେଖା ଯିବ। ତେବେ ୟୁରୋପରେ ଲୋକେ ୨୮ ଅଗଷ୍ଟ ସକାଳେ ଚନ୍ଦ୍ର ଗ୍ରହଣ ଦେଖିବେ। ଆଂଶିକ ଚନ୍ଦ୍ରଗ୍ରହଣ କାଳରେ ଚନ୍ଦ୍ର ଅସ୍ତ ହୋଇଯିବେ। ଏଣୁ ଲଣ୍ଡନ ସହରରେ ଲୋକେ ଭୋର ୫ଟା ୧୨ମିନିଟ୍ (ବିଏସଟି) ଚନ୍ଦ୍ରଗ୍ରହଣର ଅଧିକତମ ଦୃଷ୍ୟ ଦେଖି ପାରିବେ। ଆଫ୍ରିକା ଓ ଇଜିପ୍ଟରେ ଚନ୍ଦ୍ରର ୯୩% ଗ୍ରହଣ ଚରମ ବେଳକୁ ଦେଖା ଯିବ। ଉପଛାୟା ପର୍ଯ୍ୟାୟ ସ୍ଥାନୀୟ ସମୟାନୁସାରେ ଭୋର ୪ଟା ୨୪ ମିନିଟ୍ ରେ ଆରମ୍ଭ ହେବ ଓ ଆଂଶିକ ଚନ୍ଦ୍ର ଗ୍ରହଣ ସକାଳ ୫ଟା ୩୪ ମିନିଟ୍ ରେ ଆରମ୍ଭ ହେବ

ତେବେ ବୁଧବାର ୨୬ ଅଗଷ୍ଟ ରାତିରେ ଶନି ଓ ଚନ୍ଦ୍ର ନିକଟତର ହେବେ ଶୁକ୍ରଗ୍ରହ ମଧ୍ୟ ସୂର୍ଯ୍ୟାସ୍ତ ପରେ ପରେ ଦକ୍ଷିଣ-ପଶ୍ଚିମ ଦିଗରେ ଦେଖାଯିବେ। ଏହି ସମୟରେ ଶୁକ୍ରଗ୍ରହ ଅତ୍ୟନ୍ତ ଉଜ୍ୱଳ ଦେଖାଯିବେ। ତେବେ ଗ୍ରହଣ କାଳରେ ଚନ୍ଦ୍ର ଲୋହିତ ବର୍ଣ୍ଣ ଧାରଣ କରିବାର କାରଣ ହେଉଛି ପୃଥିବୀର ବାୟୁମଣ୍ଡଳ। କାରଣ ବାୟୁମଣ୍ଡଳ ସୂର୍ଯ୍ୟଙ୍କ ରଶ୍ମୀକୁ ଛାଣି ମୋଡି ଥାଏ। ଏହି କାରଣରୁ କେବଳ ଲାଲ ଆଲୋକ ଦେଖାଯାଏ। ଏହି ସମୟରେ ଲାଲ ରଙ୍ଗ ତରଙ୍ଗର ଦୈର୍ଘ୍ୟ ସବୁଠୁ ଅଧିକ ଥାଏ। ଯାହା ବାୟୁଣ୍ଡଳ ଦେଇ ଗତିକରିପାରେ। ଏହା ଅପରିବର୍ତ୍ତିତ ହୋଇ ଚନ୍ଦ୍ରକୁ ଫେରିଯିବା ଯୋଗୁ ଚନ୍ଦ୍ର ଜଙ୍କ ଲଗା ନାରଙ୍ଗୀ ରଙ୍ଗ ଦେଖାଯାଆନ୍ତି। ତେବେ ଏଥର ଚନ୍ଦ୍ର ଗ୍ରହଣକୁ ଭାରତୀୟ ଲୋକେ ଦେଖି ପାରିବେନି। କାରଣ ଏହା ସୂର୍ଯ୍ୟୋଦୟ ପରେ ସକାଳ ୬ଟା ୫୩ ମିନିଟ୍ ରେ ଆରମ୍ଭ ହେବ ଓ ମଧ୍ୟାହ୍ନ ୧୨ଟା ୩୨ ମିନିଟ୍ ରେ ସମାପ୍ତ ହେବ।