ସମ୍ବଲପୁର ୬।୩: ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ବରୀ ମନ୍ଦିର ପରିସରରେ ମଦ ଓ ମାଂସ ଆସର । ଦୀପ ଘର ପଛପଟୁ ମିଳିଲା ୩ ଶହରୁ ଅଧିକ ମଦ ବୋତଲ । ସେହିଠାରେ ଏକାଧିକ ଚୁଲିଥିବା ବେଳେ ଚିକେନ ଭୋଜିର ସନ୍ଦେହ ହେଉଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ସାଙ୍ଘାତିକ ଖେଳ । ଶହ ଶହ ସୁରକ୍ଷା କର୍ମୀ ଓ ସିସିଟିଭି କ୍ୟାମେରା ଥାଇ ବି ମନ୍ଦିର ପରିସରରେ ଚିକେନ ଓ ମଦ ପାର୍ଟି ଚାଲୁଛି । ହେଲେ ଏହାର ଉତ୍ତର କାହା ପାଖରେ ନାହିଁ । କିଏ ମନ୍ଦିର ପରିସରରେ ଚିକେନ ଭୋଜି ସହ ମଦ ଆସର ଜମେଇଲା ? ପୁଣି କିଏ ତାକୁ ପ୍ଲାଷ୍ଟିକ ଭିତରେ ପୁରେଇଲା ସେନେଇ ଖୋଳତାଡ ଆରମ୍ଭ ହୋଇଛି । ଏନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତାତିଥିଲେ ପୂଜକ । ଏହି ସ୍ଥାନକୁ ଅପବିତ୍ର କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଏ ଖବର ବି ପଢ଼ନ୍ତୁ:-ବିଜେପି ସରକାର ସଠିକ୍ ଦିଗରେ ଓଡ଼ିଶାକୁ ଆଗେଇ ନେଉଛି, ଗୁଜରାଟ ଭଳି ଏଠାରେ ମଧ୍ୟ ବିକାଶ ହେବ

ଖବର ପ୍ରସାରଣ ପରେ ଭକ୍ତ ଓ ପୂଜକ ତାତିଥିବା ବେଳେ ସୁରକ୍ଷା ସଂସ୍ଥାକୁ ସେମାନେ ଦାୟୀ କରିଥିଲେ । ପରେ ଆରମ୍ଭ ହୋଇଥିଲା ସଫେଇ । ଯେମିତି ତରବରିଆ ଭାବେ ବୋତଲ ହଟାଇବା ପାଇଁ ଚାଲିଥିଲା ଚେଷ୍ଟା । ସୁରକ୍ଷା ସଂସ୍ଥା ନିଜର ଭୁଲ ମାନିଛି । ଆଗକୁ ଏମିତି ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛି । ଖବର ପ୍ରସାରଣ ପରେ ଆକ୍ସନକୁ ଆସିଲା ମହାନଗର ନିଗମ । ସଫେଇ ଓ ସୁରକ୍ଷା ଦାୟିତ୍ବରେ ଥିବା Quees ନାମକ ସଂସ୍ଥାକୁ ନୋଟିସ୍ କରିବ ବୋଲି ମହାନଗର ନିଗମ କହିଛି । ଜଣେ ଡେପୁଟି କମିଶନରକୁ ଏ ବାବଦରେ ନିର୍ଦ୍ଦେଶ ଦେଇଛନ୍ତି । ଏନଫୋର୍ସମେଣ୍ଟ ଅଫିସର ସୁଶାନ୍ତ ସାହୁ ପହଞ୍ଚି ସଂସ୍ଥାକୁ ତାଗିଦ କରିଛନ୍ତି ।