ନୂଆଦିଲ୍ଲୀ: ଗୁଜରାଟର ଆନନ୍ଦ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଦୀପାବଳି ପାଳନ ପରେ ଘରର ସମସ୍ତ ସଦସ୍ୟ ଶୋଇଥିବା ବେଳେ, ଜଣେ ବାପା ନିଜର ୨୧ ବର୍ଷୀୟା ଝିଅର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଚି । ଅନ୍ୟ ଜାତିର ଜଣେ ଯୁବକଙ୍କୁ ଝିଅ ଭଲ ପାଉଥିବାରୁ ଏହାର ବିରୋଧ କରି ବ୍ୟକ୍ତି ଜଣକ ଏହି ଜଘନ୍ୟ କାଣ୍ଡ ଘଟାଯାଇଥିବା ପୋଲିସ କହିଛି।

ପୋଲିସର ସୂଚନା ଅନୁସାରେ, ଗୁଜରାଟ ଆନନ୍ଦ ଜିଲ୍ଲା ମେଟପୁର ଗ୍ରାମର ଯୁବତୀ ସନ୍ୟା ପଟେଲ ସେହି ଗ୍ରାମର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଯୁବକ ଜଣକ ଅନ୍ୟ ଜାତିର ହୋଇଥିବାରୁ ବାପା କୌଶଳକୁମାର ଏହି ସମ୍ପର୍କକୁ ନେଇ ଅସନ୍ତୁଷ୍ଟ ଥିଲେ ଏବଂ ଝିଅକୁ ବାରମ୍ବାର ସେହି ଯୁବକଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ। କିନ୍ତୁ ସନ୍ୟା ଯୁବକଙ୍କ ସହ ସମ୍ପର୍କ ରଖିଥିଲେ।

ତେବେ ନଭେମ୍ବର ୮ ତାରିଖ ଦୀପାବଳି ରାତିରେ ସମସ୍ତ ପରିବାର ଏକାଠି ମିଶି ପର୍ବ ପାଳନ କରିଥିଲେ ଏବଂ ରାତିରେ ନିଜ ନିଜ କୋଠରୀକୁ ବିଶ୍ରାମ ପାଇଁ ଯାଇଥିଲେ। କିନ୍ତୁ ରାତି ପ୍ରାୟ ୩ଟା ୧୫ ମିନିଟ୍ ସମୟରେ କୌଶଳକୁମାର ରୋଷେଇ ଘରକୁ ଯାଇ ସେଠାରେ ସନ୍ୟାଙ୍କ ସହ ପୁଣିଥରେ ଏହି ପ୍ରସଙ୍ଗକୁ ନେଇ ଯୁକ୍ତିତର୍କ କରିଥିଲେ। ଆଉ ଶେଷରେ ଉତ୍ତ୍ୟକ୍ତ ହୋଇ ଝିଅର ତଣ୍ଟି ଚିପି ହତ୍ୟା କରିଥିଲେ ।

ଆତ୍ମହତ୍ୟା ରୂପ ଦେବାକୁ ଉଦ୍ୟମ:

ଝିଅର ମୃତ୍ୟୁ ପରେ ଅଭିଯୁକ୍ତ ବାପା ଏହାକୁ ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରିଥିଲେ ଏବଂ ପରିବାରବର୍ଗଙ୍କୁ ଭ୍ରମିତ କରିଥିଲେ। କିନ୍ତୁ ଖମ୍ଭାତ ଜେନେରାଲ ହସ୍ପିଟାଲର ଡାକ୍ତରମାନେ ମୃତଦେହର ଅବସ୍ଥା ଦେଖି ସନ୍ଦେହ ପ୍ରକାଶ କରିଥିଲେ ଏବଂ ଫରେନ୍ସିକ୍ ପ୍ୟାନେଲ୍ ପୋଷ୍ଟମର୍ଟମ ପାଇଁ ସୁପାରିଶ କରିଥିଲେ।

କରମସଦ ସ୍ଥିତ କ୍ରିଷ୍ଣା ହସ୍ପିଟାଲରେ କରାଯାଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ ସନ୍ୟାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି। ଏମିତିରେ ପୋଲିସ ପଚରାଉଚରା ସମୟରେ ଅଭିଯୁକ୍ତ କୌଶଳକୁମାର ନିଜ ଝିଅକୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ଖମ୍ଭାତ ସିଟି ପୋଲିସ ଷ୍ଟେସନରେ ଭାରତୀୟନ୍ୟାୟ ସଂହିତା (BNS)ର ଧାରା ୧୦୩(୧) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ନଭେମ୍ବର ୯ ତାରିଖରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋଲିସ ହତ୍ୟାରେ ବ୍ୟବହୃତ ଓଢ଼ଣୀ ଏବଂ ଅନ୍ୟ ପ୍ରମାଣ ମଧ୍ୟ ଜବତ କରିଛି।