ସମ୍ବଲପୁର ୧୪।୧୧: ସାଙ୍ଗ ସାଜିଲା ହତ୍ୟାକାରୀ । ରାକ୍ଷୀ ପୂର୍ଣ୍ଣିମାରୁ ନିଖୋଜ ଥିବା ଯୁବକଙ୍କ କଙ୍କାଳ ଉଦ୍ଧାର । ମଦ୍ୟପାନ ବେଳେ ଝଗଡ଼ାକୁ କେନ୍ଦ୍ରକରି ପଥରରେ ଛେଚି ହତ୍ୟା । ୩ ମାସ ପରେ ମାଟି ତଳୁ ମିଳିଲା ନିଖୋଜଙ୍କ ଅସ୍ଥି କଙ୍କାଳ । ମାରିବା ପରେ ପୋତି ଦେଇଥିବା ଅଭିଯୋଗରେ ସାଙ୍ଗ ଗିରଫ । ସମ୍ବଲପୁର ବରେଇପାଲି ଥାନା ଆରଏମସିରେ ଘଟିଛି ଏଭଳି ହତ୍ୟାକାଣ୍ଡ ଘଟଣା ।

ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ଆରଏମସିର ଜଣେ ଯୁବକ ରାଜେଶ ଗୁପ୍ତା ଗତ ରାକ୍ଷୀ ପୂର୍ଣ୍ଣିମାରୁ ନିଖୋଜ ଥିଲେ l ସେପ୍ଟେମ୍ବର ୨୭ରେ ବରେଇପାଲି ଥାନାରେ ତାଙ୍କ ନିଖୋଜ ନେଇ ମାମଲା ରୁଜୁ ହୋଇଥିଲା । ତେବେ ଦୀର୍ଘ ୩ ମାସ ପରେ ମାଟି ତଳୁ ନିଖୋଜ ରାଜେଶଙ୍କ କଙ୍କାଳ ମିଳିବା ପରେ ହତ୍ୟାକାଣ୍ଡ ଉପରୁ ପରଦା ହଟିଛି । ଅଭିଯୁକ୍ତ ଜଣଙ୍କ ଆଉ କେହି ନୁହଁନ୍ତି ସେ ତାଙ୍କ ବନ୍ଧୁ ଭଗବାନ ତାଣ୍ଡି । ପୋଲିସ ଭଗବାନଙ୍କୁ ଗିରଫ କରିଛି ।

Also Read:- ଇଞ୍ଜିନିୟରଙ୍କ ବେଟିଂ ଲସ୍ : ଟଙ୍କା ଭରଣା ପାଇଁ ସୁନା ଦୋକାନ ଲୁଟ୍ ଯୋଜନା, ୨ ଗିରଫ

ସଦର SDPO କହିଛନ୍ତି, ଘଟଣା ଦିନ କଙ୍କାଳ ମିଳିଥିବା ଗଛ ତଳେ ଅଭିଯୁକ୍ତ ଭଗବାନ ତାଣ୍ଡି ଏବଂ ମୃତ ଯୁବକ ରାଜେଶ ଗୁପ୍ତା ମିଶି ମଦ୍ୟପାନ କରୁଥିଲେ । ସେହି ସମୟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହା ଫଳରେ ଅଭିଯୁକ୍ତ ଭଗବାନ ତାଣ୍ଡି ଉତକ୍ଷିପ୍ତ ହୋଇ ସାଙ୍ଗ ରଜେଶକୁ ପଥରରେ ଛେଚି ହତ୍ୟା କରିଥିବା SDPO କହିଛନ୍ତି ।

ଘଟଣାସ୍ଥଳରୁ କଙ୍କାଳ ଜବତ କରିଛି ବରେଇପାଲି ପୋଲିସ । ଅଭିଯୁକ୍ତ ଭଗବାନ ତାଣ୍ଡି ବି ହତ୍ୟା କରିଥିବା ସ୍ବୀକାର କରିଛି । ଅଭିଯୁକ୍ତକୁ ବରେଇପାଲି ଥାନା ପୋଲିସ ଗିରଫ କରିଛି ।