ଭୁବନେଶ୍ବର ୧।୮: ରାଜ୍ୟରେ ବନ୍ୟା ପ୍ରଭାବ କେବଳ ଲୋକଙ୍କ ଜୀବନରେ ସୀମିତ ରହିନାହିଁ, ପଶୁପକ୍ଷୀଙ୍କ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଛି । ପଶୁ ସମ୍ପଦ ବିଭାଗର ସର୍ବଶେଷ ରିପୋର୍ଟ ଅନୁଯାୟୀ, ଲକ୍ଷାଧିକ ପଶୁ ପ୍ରଭାବିତ ହୋଇଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଚିକିତ୍ସା କାର୍ଯ୍ୟ ଚାଲିଛି ।

ଜୁଲାଇ ୩୧ ସୁଦ୍ଧା, ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗର ତଥ୍ୟ ଅନୁସାରେ ରାଜ୍ୟର ୯ଟି ଜିଲ୍ଲା, ୪୫ଟି ବ୍ଲକ୍, ୩୯୮ଟି ଗ୍ରାମ ପଞ୍ଚାୟତ ଏବଂ ୧,୩୪୧ ଗ୍ରାମ ବନ୍ୟାରେ ପ୍ରଭାବିତ ହୋଇଛି । ବନ୍ୟାରେ ମୋଟ୍ ୪ ଲକ୍ଷ ୮୮ ହଜାର ୮୬୮ ପଶୁ ପ୍ରଭାବିତ ହୋଇଛନ୍ତି । ଏଥିରେ ୩ ଲକ୍ଷ ୧୧ ହଜାର ୫୧୨ଟି ବଡ଼ ପଶୁ ଏବଂ ୧ ଲକ୍ଷ ୭୭ ହଜାର ୩୫୬ଟି ଛୋଟ ପଶୁ ରହିଛନ୍ତି । ଏହାଛଡ଼ା ୨ ଲକ୍ଷ ୩୩ ହଜାର ୭୬୩ଟି କୁକୁଡ଼ା ମଧ୍ୟ ବନ୍ୟାର ପ୍ରଭାବରେ ଆସିଛନ୍ତି । ପଶୁମାନଙ୍କ ସୁରକ୍ଷା ପାଇଁ ୫୮ଟି ରାପିଡ୍ ରେସପନ୍ସ ଟିମ୍ ଗଠନ କରାଯାଇଛି । ୨୪୫ଟି ପଶୁ ଚିକିତ୍ସା ଶିବିର ମାଧ୍ୟମରେ ୧୫ ହଜାର ୧୭୯ଟି ପଶୁଙ୍କ ଚିକିତ୍ସା କରାଯାଇଛି ।

ବନ୍ୟା ପୂର୍ବରୁ ୬ ଲକ୍ଷ ୪୬ ହଜାର ୮୨୫ଟି ଏବଂ ବନ୍ୟା ପରେ ୧୧ ହଜାର ୮୦୦ଟି ଟିକା ପ୍ରଦାନ କରାଯାଇଛି । ପ୍ରଭାବିତ ଜିଲ୍ଲାଗୁଡ଼ିକୁ ୮୦୦ ମେଟ୍ରିକ୍ ଟନ୍ ଗୋ-ଖାଦ୍ୟ ଯୋଗାଇ ଦିଆଯାଇଥିବା ବେଳେ ୭୩.୨ କ୍ୱିଣ୍ଟାଲ ସବୁଜ ଘାସ ଏବଂ ୧୩.୯ କ୍ୱିଣ୍ଟାଲ ଶୁଖିଲା ଘାସ/ନଡ଼ା ବଣ୍ଟନ କରାଯାଇଛି । ତେବେ ବନ୍ୟାରେ ୫ଟି ବଡ଼ ପଶୁ, ୧୨୦ଟି ଛୋଟ ପଶୁ ଓ ୮୦ ହଜାର ୯୦୦ଟି କୁକୁଡ଼ାର ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।