ଆଠଗଡ଼ ୧।୮: ଆଠଗଡ଼ରେ କମିଛି ବନ୍ୟାର ପ୍ରକୋପ । ବନ୍ୟା ବିଭୀଷିକା ପରେ ପୁଣି ଚଳଚଞ୍ଚଳ ହେଲା ମା' ଭଟ୍ଟାରିଙ୍କ ପୀଠ । ଗର୍ଭଗୃହକୁ ଫେରିଲେ ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକା । ଭକ୍ତିରେ ଝଲସି ଉଠିଲା ପୀଠ ପରିସର ।

ବଡ଼ମ୍ବା ଗଡ଼ର ଆରାଧ୍ୟା ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକା ପୁଣି ଥରେ ନିଜ ପବିତ୍ର ଗର୍ଭଗୃହକୁ ବିରାଜମାନ ହୋଇଛନ୍ତି । ବନ୍ୟାର ବିଭୀଷିକା ପରେ ମା’ ଫେରିଥିବାରୁ ଭକ୍ତ ମାନଙ୍କ ମନରେ ଅପାର ଆନନ୍ଦ ଓ ଆଶ୍ୱସ୍ତି । ବୈଦିକ ପରମ୍ପରା ଅନୁଯାୟୀ, ମା'ଙ୍କର ସମସ୍ତ ନୀତିକାନ୍ତି ଓ ପୂଜାର୍ଚ୍ଚନା ପୁନର୍ବାର ସୂଚାରୁ ଭାବେ ଆରମ୍ଭ ହୋଇଛି । ପୀଠ ପରିସର ପୁଣି ଥରେ ଘଣ୍ଟ, ଶଙ୍ଖଧ୍ୱନି ଓ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଛି । ତେବେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଆଇନ-ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ପୀଠ ପରିସରରେ BNS ଧାରା ୧୬୩ ବଳବତ୍ତର ରହିଛି । ପ୍ରଶାସନ ପକ୍ଷରୁ ସମସ୍ତ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଉଥିବା ବେଳେ, ମା'ଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ମନରେ ପୁଣି ଜାଗି ଉଠିଛି ଅସୀମ ଆସ୍ଥା ଓ ଆଧ୍ୟାତ୍ମିକ ଉତ୍ସାହ ।