ଚେନ୍ନାଇ: ଆସନ୍ତା ଆଇପିଏଲ୍ (IPL) ସିଜିନ୍ ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ୍ (CSK) ର ଅଡ଼ୁଆ ବଢ଼ିବାରେ ଲାଗିଛି। ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜର ମାଲିକାନା ଥିବା 'ସନ୍ ଟିଭି ନେଟୱାର୍କ ଲିମିଟେଡ୍' କପିରାଇଟ୍ ଉଲ୍ଲଂଘନ (Copyright Infringement) ଅଭିଯୋଗରେ ସିଏସକେ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ମାମଲା ରୁଜୁ କରିଛି।

କଣ ପାଇଁ ଦାୟର ହେଲା ମାମଲା?

ରଜନୀକାନ୍ତଙ୍କ ବ୍ଲକବଷ୍ଟର ଫିଲ୍ମ 'ଜେଲର', ଅପକମିଙ୍ଗ ଫିଲ୍ମ 'ଜେଲର ୨' ଏବଂ 'କୁଲି'ର ଗୀତ, ସଂଳାପ ଏବଂ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍କୁ ଚେନ୍ନାଇ ସୁପର କିଙ୍ଗସ୍ ବିନା ଅନୁମତିରେ ନିଜର ପ୍ରମୋସନାଲ୍ ଭିଡିଓରେ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୧ ତାରିଖରେ ନୂଆ ଜର୍ସି ଉନ୍ମୋଚନ ଏବଂ କ୍ୟାମ୍ପରେ ଧୋନିଙ୍କ ଏଣ୍ଟ୍ରିକୁ ନେଇ ସିଏସକେ ନିଜର ସୋସିଆଲ୍ ମିଡିଆ ପ୍ଲାଟଫର୍ମ (Instagram, X, YouTube ଏବଂ Facebook) ରେ ଏକ ଭିଡିଓ ସେୟାର କରିଥିଲା। ଏହି ଭିଡିଓରେ ଉକ୍ତ ଫିଲ୍ମଗୁଡ଼ିକର ଅଡିଓ କ୍ଲିପ୍ ପ୍ରମୁଖ ଭାବରେ ବ୍ୟବହାର କରାଯାଇଥିଲା।

Also Read: 'କେବଳ ମଜା ପାଇଁ ଆଉଥରେ ଆକ୍ରମଣ କରିବୁ': ଇରାନକୁ ଟ୍ରମ୍ପଙ୍କ ଖୋଲା ଚେତାବନୀ, ହର୍ମୁଜ୍ ଜଳପଥ ପାଇଁ ମାଗିଲେ ସାହାଯ୍ୟ

ଡିଲିଟ୍ ହୋଇଥିଲା ଭାଇରାଲ୍ ଭିଡିଓ

ସିଏସକେ ସାଧାରଣତଃ ନିଜର ସୋସିଆଲ ମିଡିଆ ପୋଷ୍ଟଗୁଡ଼ିକରେ ତାମିଲ ଫିଲ୍ମର ଗୀତ ବ୍ୟବହାର କରିଥାଏ। ତେବେ ମାର୍ଚ୍ଚ ୧ ରେ ପୋଷ୍ଟ ହୋଇଥିବା ଭିଡିଓଟି ଭାଇରାଲ୍ ହେବାର କିଛି ଘଣ୍ଟା ପରେ ହଠାତ୍ ଡିଲିଟ୍ କରିଦିଆଯାଇଥିଲା। ଏହାର ଗୋଟିଏ ଦିନ ପରେ ଅଡିଓ ବଦଳାଇ ପୁଣିଥରେ ସେହି ଭିଡିଓକୁ ପୋଷ୍ଟ କରାଯାଇଥିଲା। ସେତେବେଳେ ଏହା ପଛର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏବେ ସନ୍ ଟିଭି କୋର୍ଟର ଦ୍ୱାରସ୍ଥ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ସନ୍ ଟିଭିର ଦାବି କଣ?

ମାଡ୍ରାସ ହାଇକୋର୍ଟରେ ଦାଖଲ ହୋଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ସନ୍ ଟିଭି ନେଟୱାର୍କ ଲିମିଟେଡ୍ ଦାବି କରିଛି ଯେ ଏହି ତିନୋଟି ଯାକ ଫିଲ୍ମ ସେମାନଙ୍କ ନିଜସ୍ୱ ପ୍ରଯୋଜନା (Own Production)। ଏକ ଲିଖିତ ଚୁକ୍ତିନାମା ଆଧାରରେ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ଅନିରୁଦ୍ଧ ରବିଚନ୍ଦର ଏହି ଫିଲ୍ମଗୁଡ଼ିକର ସଙ୍ଗୀତ ବ୍ୟବହାର ସମ୍ବନ୍ଧୀୟ ସମସ୍ତ ଅଧିକାର କେବଳ ପ୍ରଯୋଜନା ସଂସ୍ଥା (ସନ୍ ଟିଭି) କୁ ସ୍ୱତନ୍ତ୍ର ଭାବରେ ପ୍ରଦାନ କରିଛନ୍ତି। ତେଣୁ ସେମାନଙ୍କ ଅନୁମତି ବିନା ସିଏସକେ ଏହି ଅଡିଓ ଟ୍ରାକ୍ ବ୍ୟବହାର କରିବା ସମ୍ପୂର୍ଣ୍ଣ ବେଆଇନ ବୋଲି ସଂସ୍ଥା ଅଭିଯୋଗ କରିଛି।

Also Read: ​​​​​​​ବିପଦରେ କ୍ରୋମ୍ ୟୁଜର୍ସ ! ଗୁଗଲ ଜାରି କଲା ଇମରଜେନ୍ସୀ ଅପଡେଟ