ଅହମଦାବାଦ: ଗୁଜରାଟ ଦୌରାଜଜ କୋର୍ଟ ଆମ ଆଦମୀ ପାର୍ଟି (ଆପ) ସଂଯୋଜକ ଅରବିନ୍ଦ କେଜରିୱାଲଙ୍କ ପୁନର୍ବିଚାର ଆବେଦନ ଖାରଜ କରିଦେଇଛନ୍ତି। କେଜରିୱାଲ ଏଥିରେ ନିମ୍ନ କୋର୍ଟଙ୍କ ସେହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୈକ୍ଷିକ ଡିଗ୍ରି ସମ୍ପର୍କିତ ଡକ୍ୟୁମେଣ୍ଟ ମାଗିବାର ଆବେଦନକୁ ଖାରଜ କରାଯାଇଥିଲା। କେଜରିୱାଲ ନିଜର ଓ ପାର୍ଟି ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ରୁଜୁ ମାନହାନୀ ମୋକଦ୍ଦମା ଅଂଶ ସ୍ୱରୂପ କୋର୍ଟରେ ଆବେଦନ ଦାୟର କରିଥିଲେ। ଏହି ମାନହାନୀ ମୋକଦ୍ଦମା ଗୁଜରାଟ ବିଶ୍ୱବିଦ୍ୟାଳୟ ରୁଜୁ କରିଛନ୍ତି।

ସେମାନଙ୍କ ଉପରେ ଅଭିଯୋଗ ରହିଛି ଯେ ଉଭୟ ନେତା କହିଥିଲେ ଯେ ବିଶ୍ୱବିଦ୍ୟାଳୟ ଦ୍ୱାରା ଜାରି ପ୍ରଧାନମନ୍ତ୍ରୀଙ୍କ ଡିଗ୍ରି ମିଥ୍ୟା ହୋଇପାରେ। ଏଣୁ କେଜରିୱାଲ ଓ ସିଂହ ମିଳିତ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରି ସମ୍ପର୍କିତ କାଗଜପତ୍ର ଉପଲବ୍ଧ କରାଇବାକୁ କହିଥିଲେ। ଯାହାକୁ ମାଜିଷ୍ଟ୍ରେଟ୍ ଙ୍କ କୋର୍ଟ ମାର୍ଚ୍ଚ ୧୦ ତାରିଖରେ ଖାରଜ କରିଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି କେଜରିୱାଲ ଦୌରାଜଜଙ୍କ କୋର୍ଟରେ ପୁନର୍ବିଚାର ନିବେଦନ ଦାୟର କରିଥିଲେ।

ଜଷ୍ଟିସ୍ ପି.ବି ପଟେଲଙ୍କ ସେସନସ କୋର୍ଟରେ ଗୁଜରାଟ ବିଶ୍ୱବିଦ୍ୟାଳୟଙ୍କ ଓକିଲ ଅନିଲ ନାୟର ତର୍କ ଦେଇଛନ୍ତି ଯେ କେଜରିୱାଲ ଓ ସିଂହ ପୂର୍ବରୁ ମାନହାନୀ ମୋକଦ୍ଦମାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ସେମାନଙ୍କ ପୁନର୍ବିଚାର ନିବେଦନ ବିନା ମଜଭୁତ ଆଧାରରେ ସୂଚନା ସଂଗ୍ରହ କରିବା ଓ ନିଜ ବାୟନକୁ ଉଚିତ ସାବ୍ୟସ୍ତ କରିବାକୁ ଏକ ଉଦ୍ୟମ। ଆଇନରେ ଏଥି ପାଇଁ ଅନୁମତି ନାହିଁ। ଶୁଣାଣି ପରେ କୋର୍ଟ କେଜରିୱାଲଙ୍କ ପୁନର୍ବିଚାର ନିବେଦନକୁ ଖାରଜ କରିଦେଇଛନ୍ତି।