ନୂଆଦିଲ୍ଲୀ, ୨୩।୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚ୍ ଡ୍ର ରହିଛି । ଭାରତକୁ ଶେଷ ଦିନରେ ବିଜୟ ପାଇଁ ୮ ଓ୍ୱିକେଟ୍ ଦରକାର ଥିଲା । ହେଲେ ନ୍ୟୁଜିଲାଣ୍ଡ ଖେଳାଳି ଲଢେଇ କରିଥିଲେ । ଫଳରେ ମୁକାବିଲା ଡ୍ର ରହିଛି ।

ଭାରତର ପ୍ରଥମ ଇନିଂସ

ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୭୨୦ ରନର ବିଶାଳ ସ୍କୋର ଛିଡା କରିଥିଲା । ପ୍ରଥମ ପାଳି ଆଧାରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୩୫୨ ରନରେ ଆଗୁଆ ରହିଥିଲା । ମ୍ୟାଚରେ ଶୁଭମନ୍ ଗିଲ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ । ଯାହା ଦଳ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । କିଓ୍ୱି ଟିମ୍ ପ୍ରଥମ ପାଳିରେ ୩୬୮ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଦ୍ଵିତୀୟ ଦିନ ଅସମାପ୍ତ ଖେଳ ୧୫୯/୧ରୁ ଭାରତ ନିଜର ତୃତୀୟ ଦିନର ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ କେଏଲ ରାହୁଲ ୫୨ ରନ ଓ ଦେବଦତ୍ତ ପାଡିକଲ ୧୬ ରନ କରି ଅପରାଜିତ ଥିଲେ। ଉଭୟ ବ୍ୟାଟର ତୃତୀୟ ଦିନରେ କିଓ୍ଵି ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ଏହି କ୍ରମରେ ପାଡିକଲ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟର ଦମଦାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୬୫ ରନର ଯୋଡ଼ି ଭାରତର ସ୍ଥିତି ଆହୁରି ମଜବୁତ କରିଥିଲେ।ଦଳୀୟ ସ୍କୋର ୨୯୫ରେ ପାଡିକଲ ୮୦ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଇନିଂସକୁ ଆଗକୁ ବଢାଇଥିଲେ କେଏଲ ରାହୁଲ ଓ ଅଧିନାୟକ ଶୁଭମନ ଗିଲ୍। ରାହୁଲ ନିଜର ଟେଷ୍ଟ କ୍ୟାରିୟରରେ ୧୩ତମ ଶତକ ହାସଲ କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ ଭାଗିଦାରୀରେ ୯୧ ରନ ଯୋଡ଼ିଥିଲେ। କେଏଲ ରାହୁଲ ୯ ଚୌକା ଓ ୨ ଛକା ବଳରେ ୧୩୬ ରନ କରି ଆଉଟ୍ ହୋଇଥିଲେ।

Also Read :- ରୋକିଦେଲେ ସାଥୀ ଖେଳାଳି, ନହେଲେ କ୍ରିଜରେ ବାଡ଼ିଆ ପିଟା ଲାଗିଥାନ୍ତେ ପ୍ଲେୟାର୍ ! ତିଲକ ଏବଂ ହର୍ଷିତଙ୍କ ଉପରେ ବେଶୀ ରାଗ

ଏହା ପରେ ଗିଲ୍ ଓ ଋଷଭ ପନ୍ତ ଦ୍ରୁତ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ୧୦୦ ରନ ଯୋଡ଼ିବା ସହ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଦିନର ଶେଷ ଓଭରରେ ଗିଲ୍ ଆଉଟ୍ ହେବା ଭାରତକୁ ବଡ଼ ଝଟକା ଦେଇଛି। ଗିଲ୍ ୯୮ ରନ କରି ଆଉଟ୍ ହେବା ସହ ଶତକରୁ ବଞ୍ଚିତ ହୋଇଥିଲେ। ଏହିପରି ତୃତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୪ ଓ୍ଵିକେଟ୍ ହରାଇ ୪୮୬ ରନ କରିଥିଲା।ପନ୍ତ ଦିନିକିଆ ଶୈଳୀରେ ବ୍ୟାଟିଂ କରି ୬୨ ବଲରୁ ୫ ଚୌକା ଓ ୨ ଛକା ସହ ୫୫ ରନ କରି ଅପରାଜିତ ରହିଥିଲେ।ତେବେ ଚତୁର୍ଥ ଦିନରେ ପନ୍ତ ଶତକ ହାସଲ କରିଥିଲେ । ତାଙ୍କ ସହ ଧୃବ ଜୁରେଲ ମଧ୍ୟ ଅର୍ଧଶତକୀୟ ପାଳି ଖେଳିଥିଲେ । ଫଳରେ ଦଳ ୯ ଓ୍ୱିକେଟ୍ ହାରଇ ୭୨୦ ରନର ବିଶାଳ ସ୍କୋର କରିପାରିଥିଲା ।

ନ୍ୟୁଜିଲାଣ୍ଡର ଦ୍ୱିତୀୟ ଇନିଂସ

ଦ୍ୱିତୀୟ ପାଳିରେ କିଓ୍ୱି ଟିମର ଆରମ୍ଭ ଅତି ଖରାପ ଥିଲା । ଜସପ୍ରିତ ବୁମରା ଇନିଂସର ଦ୍ୱିତୀୟ ବଲରେ ଅଧିନାୟକ ଟମ୍ ଲାଥମଙ୍କୁ ଆଉଟ୍ କରିଥିଲେ । ସେ ଖାତା ଖୋଲିପାରିନଥିଲେ । ଏହାପରେ କନଓ୍ୱେ ଏବଂ ହେନରୀ ନିକୋଲାସ ସ୍ଥିତି ସମ୍ଭାଳି ୬୦ ରନର ପାର୍ଟନରସିପ୍ କରିଥିଲେ । ଏହାପରେ ହେନରୀଙ୍କୁ ୩୧ ରନରେ ପ୍ରସିଦ୍ଧ କ୍ରିଷ୍ଣା ଆଉଟ୍ କରିଥିଲେ । କିନ୍ତୁ ରଚୀନ ଏବଂ କନଓ୍ୱେ ଆଉ ଓ୍ୱିକେଟ୍ ହରାଇବାକୁ ଦେଇନଥିଲେ । ଉଭୟ ପାର୍ଟନରସିପ୍ କରିଥିଲେ ।

ତେବେ ପଞ୍ଚମ ଦିନରେ ଭାରତକୁ ୮ ଓ୍ୱିକେଟ୍ ଦରକାର ଥିବା ବେଳେ କ୍ରିଜରେ କନଓ୍ୱେ ଏବଂ ରଚୀନ ଥିଲେ । କନଓ୍ୱେ ୬୫ ରନରେ ଆଉଟ୍ ହେଲା ପରେ ଡ୍ୟାରେଲ୍ ମିଚେଲ୍ ସ୍ଥିତି ସମ୍ଭାଳିଥିଲେ । ସେ ୪୯ ରନର ଉପଯୋଗୀ ଇନିଂସ ଖେଳିଥିଲେ । ରଚୀନ ୩୭ ରନ୍ କରି ଆଉଟ୍ ହେଲା ପରେ ଟମ୍ ବ୍ଲଣ୍ଡେଲ୍ ମଧ୍ୟ ୧୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏହାପରେ ଗ୍ଲେନ୍ ଫିଲିପ୍ସ ୨୬ ରନ୍ କରି ଶେଷ ଯାଏଁ ଅପରାଜିତ ରହିଥିଲେ ।ଫଳରେ ଦଳ ୫ ଓ୍ୱିକେଟ୍ ହରାଇ ୨୩୯ ରନ୍ କରିବା ସହ ମୁକାବିଲା ଡ୍ର ରଖିଥିଲା ।

ଭାପରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ସର୍ବାଧିକ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ଜସପ୍ରିତ ବୁମରା, ଅନଶୋଲ୍ କମ୍ବୋଜ, ଓ୍ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ଓ୍ୱିକେଟ୍ ଅକ୍ତିଆର କରିଥିଲେ ।