ମୁମ୍ବାଇ : ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ୟନଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଚିନ୍ତାଜନକ ଖବର। ନିର୍ଦ୍ଦେଶକ କବୀର ଖାନଙ୍କ ଆଗାମୀ ଫିଲ୍ମର ସୁଟିଂ ସମୟରେ ଅଭିନେତା ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଯାହା ତାଙ୍କ ଫ୍ୟାନ୍ସଙ୍କ ଚିନ୍ତା ବଢ଼ାଇଦେଇଛି । କାର୍ତ୍ତିକଙ୍କୁ ଆଣ୍ଠୁରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କୁ ଏବେ ଅପରେସନ୍ କରାଇବାକୁ ପଡ଼ିବ ବୋଲି ରିପୋର୍ଟରେ ପ୍ରକାଶ ହୋଇଛି ।

ସୂଚନା ଅନୁସାରେ, କାର୍ତ୍ତିକ ତାଙ୍କ ଆଗାମୀ ପ୍ରୋଜେକ୍ଟ ପାଇଁ ଆକ୍ସନ୍ ସିକ୍ୱେନ୍ସର ସୁଟିଂ କରୁଥିଲେ। ଏହି ସମୟରେ ତାଙ୍କ ଆଣ୍ଠୁରେ ଜୋରେ ଆଘାତ ଲାଗିଥିଲା। ଆଘାତ ପରେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶ ପରେ କାର୍ତ୍ତିକଙ୍କୁ ସୁଟିଂରୁ କିଛିଦିନ ପାଇଁ ଦୁରେଇ ରଖାଯାଇଛି । ଟେଷ୍ଟ ପରେ ଆଣ୍ଠୁର ସର୍ଜରୀ ଆବଶ୍ୟକ ହୋଇପାରେ ବୋଲି କହିଛନ୍ତି ଡାକ୍ତର । କାର୍ତ୍ତିକ ଆର୍ୟନ୍ ନିଜ ଫିଲ୍ମ ପାଇଁ ଫିଟନେସ୍ ଏବଂ ଆକ୍ସନ୍ ସିକ୍ୱେନ୍ସକୁ ନେଇ ବେଶ୍ ଗମ୍ଭୀର ରହିଥାନ୍ତି। ତେଣୁ ସୁଟିଂ ସମୟରେ ଏପରି ଆଘାତ ତାଙ୍କ ପାଇଁ ଏବଂ ଫିଲ୍ମର ସୁଟିଂ ପାଇଁ ଏକ ବଡ଼ ଝଟକା ବୋଲି ଚର୍ଚ୍ଚା ହେଉଛି।

କବୀର ଖାନଙ୍କ ଏହି ଫିଲ୍ମକୁ ନେଇ ଆରମ୍ଭରୁ ହିଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି । ଏବେ କାର୍ତ୍ତିକଙ୍କ ଅସୁସ୍ଥତା ଯୋଗୁଁ ସୁଟିଂ କେତେଦିନ ପାଇଁ ପ୍ରଭାବିତ ହେବ ଏବଂ ଫିଲ୍ମର ରିଲିଜ୍ ତାରିଖରେ କୌଣସି ପରିବର୍ତ୍ତନ ହେବ କି ନାହିଁ, ତାହା ଉପରେ ଫ୍ୟାନ୍ସଙ୍କ ନଜର ରହିଛି । ଏପର୍ଯ୍ୟନ୍ତ କାର୍ତ୍ତିକ ଆର୍ୟନଙ୍କ ପକ୍ଷରୁ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଆସିନାହିଁ। ତେବେ ଅଭିନେତା ଶୀଘ୍ର ସୁସ୍ଥ ହୋଇ ପୁଣି ସୁଟିଂ ସେଟକୁ ଫେରନ୍ତୁ ବୋଲି ତାଙ୍କ ପ୍ରଶଂସକମାନେ ପ୍ରାଥନା କରୁଛନ୍ତି ।