ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ନିରାଶଜନକ ଖବର। ଆହତ ହୋଇଥିବା ଇଶାନ କିଶନ ତୃତୀୟ ମ୍ୟାଚ୍ ବି ଖେଳିବେ ନାହିଁ। ଏହା ଭାରତୀୟ ଦଳ ପାଇଁ ବଡ଼ ଝଟକା ହୋଇଛି। କାରଣ ଇଶାନ କିଶନ ସଂପ୍ରତି ଟି-୨୦ ଫର୍ମାଟରେ ଦୁନିଆର ଏକ ନମ୍ବର ବ୍ୟାଟର। ତାଙ୍କୁ ନେଇ ଦଳ ପ୍ରବନ୍ଧକ କୌଣସି ପ୍ରକାରର ରିସ୍କ ଉଠାଇବାକୁ ଚାହୁଁ ନାହାନ୍ତି। ତେଣୁ ତାଙ୍କୁ ସଂପୂର୍ଣ୍ଣ ଫିଟ୍ ହେବା ପାଇଁ ପୂରା ସମୟ ଦେବାକୁ ଚାହୁଁଛନ୍ତି। ଭାରତ ବର୍ତ୍ତମାନ ସିରିଜରେ ୨-୦ରେ ଆଗୁଆ ରହିଛି। 

ଉଲ୍ଲେଖନୀୟ ପ୍ରଥମ ଟି-୨୦ରେ ଇଶାନ କିଶନଙ୍କ ବ୍ୟାଟିଂକ୍ରମ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠିଥିଲା। ହେଲେ ଏହାର କାରଣ ସାମ୍ନାକୁ ଆସିଛି। ପ୍ରଥମ ଟି-୨୦ରେ ଆହତ କାରଣରୁ ତିନି ନମ୍ବରରେ ତିଲକ ବର୍ମାଙ୍କୁ ବ୍ୟାଟିଂ ପାଇଁ ପଠାଯାଇଥିଲା। କିନ୍ତୁ ଓ୍ଵିକେଟ୍ ପତନ କାରଣରୁ ଇଶାନଙ୍କୁ ବ୍ୟାଟିଂ କରିବାକୁ ପଡ଼ିଥିଲା। 

Also Read: ଭାରତ-ପାକିସ୍ତାନ ପୁଣି ହେବେ ମୁହାଁମୁହିଁ: ଏସିସି ଜାରି କଲା ଏସିଆ କପ୍ ରାଇଜିଂ ଷ୍ଟାର୍ ଖେଳସୂଚୀ

ଏହାର କିଛି ସମୟ ପରେ ବିସିସିଆଇ ଇଶାନଙ୍କ ଆହତ ସମସ୍ୟା ନେଇ ସ୍ପଷ୍ଟ କରିଥିଲା ଏବଂ ଏହି ବାମହାତୀ ବ୍ୟାଟର ଦ୍ଵିତୀୟ ଟି-୨୦ ଖେଳି ପାରିବେ ନାହିଁ ବୋଲି ସୂଚନା ଦେଇଥିଲେ। ଏହା ପରେ ତାଙ୍କର ବଦଳ ଖେଳାଳି ମଧ୍ୟ ଘୋଷଣା କରିଥିଲା ବିସିସିଆଇ। କୁମାର କୁଶାଗ୍ରେଙ୍କୁ ଦ୍ଵିତୀୟ ଟି-୨୦ରେ ଦଳରେ ସାମିଲ୍ କରାଯାଇଥିଲା। ଆଉ ତୃତୀୟ ଟି-୨୦ରେ ମଧ୍ୟ କୁଶାଗ୍ରେ ଇଶାନଙ୍କ ବଦଳ ଖେଳାଲି ଭାବେ ଦଳରେ ରହିବେ।

ବିସିସିଆଇ ସୋମବାର ସକାଳେ ଏକ୍ସରେ ସୂଚନା ଦେଇଛି ଯେ, ଇଶାନ କିଶନ ନିଜର ଆହତ ସମସ୍ୟାରୁ ମୁକୁଳୁଛନ୍ତି। ପ୍ରଥମ ଟି-୨୦ରେ ତାଙ୍କୁ ଆଘାତ ଲାଗିଥିଲା। ଏବେ ତାଙ୍କୁ ମ୍ୟାଚ୍ ଫିଟନେସ୍ ହାସଲ କରିବାକୁ ପଡ଼ିବ ଏବଂ ଅକ୍ଟୋବର ୨୭ରେ ଓ୍ଵେଲିଂଟନରେ ହେବାକୁ ଥିବା ୩ୟ ଟି-୨୦ ଖେଳି ପାରିବେ ନାହିଁ। BCCI ମେଡିକାଲ୍ ଟିମ ଇଶାନଙ୍କ ଫିଟନେସ୍ ଉପରେ ନଜର ରଖିଛନ୍ତି। କୁମାର କୁଶାଗ୍ରେ ତୃତୀୟ ଟି-୨୦ ପାଇଁ ମଧ୍ୟ ଦଳରେ ରହିବେ।