ନୂଆଦିଲ୍ଲୀ,୦୬/୦୮: ଷ୍ଟାର୍ ବୋଲର ଜସପ୍ରିତ ବୁମରାଙ୍କ ଫିଟନେସ୍ ଭାରତୀୟ ଦଳ ପାଇଁ ଏବେ ବଡ଼ ଟେନସନ୍ । ଗତ ଇଂଲଣ୍ଡ ଗସ୍ତରେ ସେ ଆହତ ହୋଇଥିଲେ । ତେଣୁ ଶ୍ରୀଲଙ୍କା ବିପକ୍ଷ ଦୁଇଟି ଟେଷ୍ଟ୍ ମ୍ୟାଚରୁ ତାଙ୍କୁ ବାଦ୍ ଦିଆଯାଇଛି । ତାଙ୍କ ଜାଗାରେ ଜମ୍ମୁ କାଶ୍ମୀରର ଷ୍ଟାର୍ ବୋଲର ଆକିବ୍ ନବୀଙ୍କୁ ସ୍ଥାନ ମିଳିଛି । ସେ ଅଗଷ୍ଟ୧୫ରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ମୁକାବିଲାରେ ପଦାର୍ପଣ କରିପାରନ୍ତି ।

ଏହା ଭିତରେ ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର କର୍ଷଣ ଘାବରୀ ବୁମରାଙ୍କୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ବୁମରାଙ୍କୁ ବାରମ୍ବାର ତରବରିଆ ଭାବେ ଦଳରେ ସାମିଲ କରାନଯାଉ । ତାଙ୍କୁ ଦୀର୍ଘ ଦିନ ବିସିସିଆଇ ବ୍ରେକ୍ ଦେବା ଆବଶ୍ୟକ । ଏହାଦ୍ୱାରା ବୁମରା ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇପାରିବେ ।

ଦୁଇଟି ବିଶ୍ୱକପ୍ ଟିମରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିବା ଘାବରୀ କହିଛନ୍ତି ଯେ, ବୁମରାଙ୍କୁ-ମାସ ବିଶ୍ରାମ ଦେବା ଉଚିତ । ଆବଶ୍ୟକ ହେଲେ ତାଙ୍କୁ ବର୍ଷେ ବିଶ୍ରାମ ଦିଆଯାଉ । ସେ ଶତ ପ୍ରତିଶତ ଫିଟ୍ ହେବା ଦରକାର । ସେ ଅନେକ ସମୟରେ ସମ୍ପୂର୍ଣ୍ଣ ଫିଟ୍ ନହୋଇ ମଇଦାନକୁ ଓହ୍ଲାଉଛନ୍ତି । ଯାହା ତାଙ୍କ ଶରୀର ଉପରେ ଅଧିକ ଚାପ ପକାଉଛି । ଯଦି କୌଣସି ଖେଳାଳି୫୦-୬୦ପ୍ରତିଶତ ଫିଟ୍ ଥାଆନ୍ତି ତାହାଲେ ଦଳରେ ସାମିଲ କରାଯିବା କଥା ନୁହେଁ । ଏହାଦ୍ୱାରା ଟୁର୍ଣ୍ଣାମେଣ୍ଟ ଅଧାରୁ ଆହାତ ହେବା ଭୟ ରହିଛି । ଯଦି ବୁମରା ଆହତ ହୁଅନ୍ତି ତାହାଲେ ତାଙ୍କ ପାଇଁ ଏବଂ ଦେଶ ପାଇଁ ଏହା ଶୁଭଙ୍କର ନୁହେଁ ।

୭୫ବର୍ଷୀୟ ଏହି ପୂର୍ବତନ କ୍ରିକେଟର ଆହୁରି କହିଛନ୍ତି ଯେ, ବୁମରା ସମସ୍ତ ଫର୍ମାଟ ନଖେଳିଲେ ଭଲ ହେବ । ଟେଷ୍ଟ୍ କ୍ରିକେଟରେ ତାଙ୍କର ଉପଯୋଗ ହେବା ଦରକାର । କାରଣ ଭାରତ ପାଇଁ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫର୍ମାଟ୍ । ସେ ଆଇପିଏଲ, ଟି୨୦ଏବଂ ଦିନିକିଆରେ ଲଗାତାର ଖେଳିଲେ ତାଙ୍କ ଶରୀର ଅଧିକ ବିଶ୍ରାମ ମାଗିବ ଏବଂ ଚାପ ସହ୍ୟ କରିପାରିବ ନାହିଁ ବୋଲିଘାବରୀ ପ୍ରକାଶ କରିଛନ୍ତି ।

Also Read :- BCCIର ଭୁଲ ନିଷ୍ପତ୍ତି, ବୈଭବଙ୍କୁ ଲାଗିବ ବଡ଼ ଝଟକା, ଅନ୍ଧାର ହୋଇଯିବ ଭବିଷ୍ୟତ !

ଏହାସହ ସେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବଂ ମହମ୍ମଦ ଶାମିଙ୍କୁ ଭାରତୀୟ ଦଳରେ ସ୍ଥାନ ଦେବାକୁ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଗତ କିଛି ସିଜିନରେ ଉଭୟ ବୋଲର ଲଗାତାର ବୋଲିଂ କରୁଛନ୍ତି ଏବଂ ଫିଟ୍ ଅଛନ୍ତି । ଲଗାତାର କ୍ରିକେଟ୍ ଖେଳୁଛନ୍ତି । ଆହତ ମଧ୍ୟ ହେଉ ନାହାଁନ୍ତି । ଚୟନକର୍ତ୍ତା ତାଙ୍କ ଅଭିଜ୍ଞତାରୁ ଫାଇଦା ଉଠାନ୍ତୁ ବୋଲି ସେ କହିଛନ୍ତି ।