ନୂଆଦିଲ୍ଲୀ ,୧/୧୧-; ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଜାରି ରହିଛି ଉତ୍ତେଜନା। ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଓ ଆତଙ୍କବାଦକୁ ନେଇ ତିକ୍ତତା ବଢ଼ୁଥିବା ବେଳେ ପାକିସ୍ତାନ ଏବେ ତାଲିବାନ ସରକାରଙ୍କୁ କଡ଼ା ଚେତାବନୀ ଦେଇଛି। ଆତଙ୍କବାଦ ହେଉଛି ପାକିସ୍ତାନ ପାଇଁ ‘ଲାଲ୍ ରେଖା’ ଏବଂ ନିଜ ନାଗରିକଙ୍କ ସୁରକ୍ଷାକୁ ନେଇ କୌଣସି ପରିସ୍ଥିତିରେ ସାଲିସ୍ କରାଯିବ ନାହିଁ ବୋଲି ଇସଲାମାବାଦ ସ୍ପଷ୍ଟ କରିଛି।

ଶନିବାର ପାକିସ୍ତାନ ସରକାର ଆଫଗାନିସ୍ତାନକୁ ଏହି ଚେତାବନୀ ଦେଇଛନ୍ତି। ଆଫଗାନିସ୍ତାନ ମାଟିରୁ ପାକିସ୍ତାନ ବିରୋଧରେ ହେଉଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବାରେ ତାଲିବାନ ନେତୃତ୍ୱ ବିଫଳ ହେଉଥିବା ଇସଲାମାବାଦ ଅଭିଯୋଗ କରିଛି। ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଶନିବାର ରାତିରେ ଏକ ବିବୃତ୍ତି ଜାରି କରି କହିଛି ଯେ, ଆଫଗାନିସ୍ତାନରୁ ସୃଷ୍ଟି ହେଉଥିବା ହିଂସା ଓ ଆତଙ୍କବାଦକୁ ରୋକିବା ପାଇଁ ତାଲିବାନ ସରକାର ଆବଶ୍ୟକ ପଦକ୍ଷେପ ନେଉନାହାନ୍ତି। ଏହା ଦୁଇ ଦେଶ ମଧ୍ୟରେ ସାଧାରଣ ସମ୍ପର୍କ ସ୍ଥାପନରେ ସବୁଠାରୁ ବଡ଼ ପ୍ରତିବନ୍ଧକ ବୋଲି ପାକିସ୍ତାନ କହିଛି।

ବିବୃତ୍ତିରେ ଆହୁରି କୁହାଯାଇଛି ଯେ, ଅନ୍ୟ ଉପରେ ଦୋଷ ଲଦିବା, ଖାଲି ପ୍ରତିଶ୍ରୁତି ଦେବା ଏବଂ ପାକିସ୍ତାନର ନୀତିକୁ ସମାଲୋଚନା କରିବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ। ଏହାଦ୍ୱାରା ତାଲିବାନ ସରକାର ନିଜ ଦାୟିତ୍ୱରୁ ମଧ୍ୟ ମୁକ୍ତ ହୋଇପାରିବେ ନାହିଁ। ତାଲିବାନର ନିଷ୍କ୍ରିୟତା, ପ୍ରିୟାପ୍ରୀତୀତୋଷଣ ନୀତି ପାଇଁ ପାକିସ୍ତାନର ସୁରକ୍ଷା ବିପନ୍ନ ହେବାକୁ ଦିଆଯିବ ନାହିଁ ବୋଲି ମନ୍ତ୍ରଣାଳୟ କହିଛି।

ଅନ୍ୟପକ୍ଷରେ ତାଲିବାନର ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଶନିବାର ଏକ ସାକ୍ଷାତକାରରେ ପାକିସ୍ତାନ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି। ଇସଲାମାବାଦ ଆଲୋଚନା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଥିବା ମତଭେଦ ଦୂର କରିବାକୁ ଆଗ୍ରହୀ ନୁହେଁ ବୋଲି ସେ କହିଛନ୍ତି। ପାକିସ୍ତାନର ଭୁଲ୍ ନୀତି ଯୋଗୁଁ ସମସ୍ୟାର ସମାଧାନ ହୋଇପାରୁନାହିଁ ବୋଲି ମୁଜାହିଦ୍ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଦୁଇ ଦେଶ ମଧ୍ୟରେ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ ଶୁକ୍ରବାର ପାକିସ୍ତାନୀ ସେନା ପକ୍ଷରୁ ଖାଇବର ପଖତୁନଖ୍ୱାର ଦକ୍ଷିଣ ୱାଜିରିସ୍ତାନ ଓ ପାରାଚିନାର ଅଞ୍ଚଳରେ କଥିତ ସୀମାପାର ଗୁଳିଚାଳନାର ଜବାବ ଦିଆଯାଇଥିବା ଖବର ମିଳିଛି। ଏହି କାର୍ଯ୍ୟାନୁଷ୍ଠାନରେ ଆଫଗାନ ତାଲିବାନର ଅନେକ ସୀମାନ୍ତ ଚେକ୍ପୋଷ୍ଟ ଓ ସାମରିକ ଘାଟି ଧ୍ୱଂସ କରାଯାଇଥିବା ପାକିସ୍ତାନ ଦାବି କରିଛି। ପାକିସ୍ତାନୀ ରେଡିଓର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୭ ତାରିଖରେ ଦକ୍ଷିଣ ୱାଜିରିସ୍ତାନର ଅଙ୍ଗୁର ଆଡ୍ଡା ଅଞ୍ଚଳରେ ଆଫଗାନ ତାଲିବାନ ସେନା ପକ୍ଷରୁ ବିନା କୌଣସି କାରଣ ନଥାଇ ମଧ୍ୟ ଗୁଳିଚାଳନା କରାଯାଇଥିଲା। ତେବେ ଏହି ଅଭିଯୋଗକୁ ନେଇ ଆଫଗାନିସ୍ତାନ ଭିନ୍ନ ଦାବି କରିଛି।

also read-ଆଉ ୧୦ ମିନିଟ୍, ଧ୍ୱଂସ ହୋଇଯିବ ଇରାନ ! ଟ୍ରମ୍ପ୍ ବୟାନ ବଢାଇଲା ବଡ଼ ଯୁଦ୍ଧ ଆଶଙ୍କା

ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଅକ୍ଟୋବର ୨୮ ତାରିଖ ଦିନ ପ୍ରାୟ ୧ଟା ସମୟରେ ପାକିସ୍ତାନୀ ସେନା ଅଙ୍ଗୁର ଆଡ୍ଡା ବଜାର ଏବଂ ପକ୍ତିକା ପ୍ରଦେଶର କମିଶନର କାର୍ଯ୍ୟାଳୟ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା। ଏହି ଘଟଣା ପରେ ଉଭୟ ଦେଶ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି। ତେବେ ସୀମାପାର ଆତଙ୍କବାଦ, ପରସ୍ପର ବିରୋଧରେ ଅଭିଯୋଗ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ପାକିସ୍ତାନ-ଆଫଗାନିସ୍ତାନ ସମ୍ପର୍କ ଏବେ ଅଧିକ ଜଟିଳ ହୋଇପଡ଼ିଛି। ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହେବ ନା ସୀମାରେ ଉତ୍ତେଜନା ଆହୁରି ବଢ଼ିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।