ମୁମ୍ବାଇ : ବଲିଉଡ୍ ବକ୍ସ ଅଫିସରେ ପୁଣି ହାଇଲାଇଟରେ କିଙ୍ଗ୍ ଖାନ୍ । ପୁଣି ସିନେମା ହଲରେ ଚାଲିବ କିଙ୍ଗ୍ ଖାନ୍ଙ୍କ ରାଜ୍ । ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ରେକର୍ଡ ଭାଙ୍ଗିବା ଆରମ୍ଭ କରିଦେଲେଣି ଶାହରୁଖ ଖାନ୍ । ତାଙ୍କ ଆଗାମୀ ଫିଲ୍ମ ‘କିଙ୍ଗ୍’ର ଓଭରସିଜ୍ ରାଇଟ୍ସ ପ୍ରାୟ ୧୭୫ କୋଟି ଟଙ୍କା ପାର କରିଥିବା ଖବର ସାମ୍ନାକୁ ଆସିଛି । ଏହି ଡିଲ୍ ହେବ ପରଠୁ ଫିଲ୍ମକୁ ଚର୍ଚ୍ଚା ଶୀର୍ଷରେ । ତେବେ କ’ଣ ‘ପଠାନ୍’ ଓ ‘ଜୱାନ୍’ର ବକ୍ସ ଅଫିସ୍ ରେକର୍ଡକୁ ପଛରେ ପକାଇପାରିବ ‘କିଙ୍ଗ୍’ ? ଏହାକୁ ନେଇ ଏବେ ଅନେକଙ୍କ ମୁହଁରେ ଚର୍ଚ୍ଚା ଚାଲିଛି ।

ମିଳିଥିବା ରିପୋର୍ଟ ଅନୁସାରେ, ‘କିଙ୍ଗ୍’ର ଓଭରସିଜ୍ ଥିଏଟ୍ରିକାଲ୍ ରାଇଟ୍ସକୁ ଦୁବାଇର ଫାର୍ସ ଫିଲ୍ମସ୍ ୧୭୫ କୋଟି ଟଙ୍କାର ମିନିମମ୍ ଗ୍ୟାରେଣ୍ଟି ଡିଲ୍ରେ ହାତେଇଛି। ଏହାକୁ ଭାରତୀୟ ସିନେମାର ସବୁଠାରୁ ବଡ଼ ଓଭରସିଜ୍ ରାଇଟ୍ସ ଡିଲ୍ ବୋଲି କୁହାଯାଉଛି। ପୂର୍ବରୁ ଶାହରୁଖଙ୍କ ଫିଲ୍ମର ବିଦେଶୀ ବିତରଣ ଦାୟିତ୍ୱ ୟଶରାଜ ଫିଲ୍ମସ୍ ସମ୍ଭାଳୁଥିବା ବେଳେ ଏଥର ଫାର୍ସ ଫିଲ୍ମସ୍ ଏହି ବଡ଼ ଡିଲ୍ ହାତେଇଛି। ହେଲେ ଏହି ବଡ଼ ଡିଲ୍ ସହ ଫିଲ୍ମର ଦାୟିତ୍ୱ ମଧ୍ୟ ବଢ଼ିଯାଇଛି। କାରଣ, ଓଭରସିଜ୍ ବକ୍ସ ଅଫିସରେ ଭଲ କଲେ ହିଁ ଡିଷ୍ଟ୍ରିବ୍ୟୁଟରଙ୍କ ନିବେଶ ଲାଭଜନକ ହେବ। ଟ୍ରେଡ୍ ଆକଳନ ଅନୁସାରେ, ଡିଲ୍ ର ହିସାବ ଏବଂ ବିତରଣ ଖର୍ଚ୍ଚକୁ ଦେଖିଲେ ଫିଲ୍ମକୁ ବିଦେଶରେ ପ୍ରାୟ ୩୫୦ରୁ ୩୭୫ କୋଟି ଟଙ୍କା କିମ୍ବା ତା'ଠାରୁ ଅଧିକ ଆୟ କରିବାକୁ ପଡ଼ିପାରେ। କିଛି ରିପୋର୍ଟରେ ଏହି ଟାର୍ଗେଟ୍ ଆହୁରି ଅଧିକ ଥିବା ମଧ୍ୟ କୁହାଯାଇଛି।

ଏବେ ନଜର ପକାଇବା ଶାହରୁଖଙ୍କ ପୂର୍ବ ଦୁଇ ବ୍ଲକବଷ୍ଟର ଫିଲ୍ମ ଉପରେ। ‘ପଠାନ୍’ ଏବଂ ‘ଜୱାନ୍’ ଉଭୟ ଫିଲ୍ମ ବିଦେଶୀ ବଜାରରେ ପ୍ରାୟ ୪୦୦ କୋଟି ଟଙ୍କା ଲେଖାଏଁ ଆୟ କରିଥିଲେ। ତେଣୁ ‘କିଙ୍ଗ୍’କୁ ମଧ୍ୟ ଏହି ଦୁଇ ଫିଲ୍ମର ରେକର୍ଡ ସହ ପ୍ରତିଯୋଗିତା କରିବାକୁ ପଡ଼ିବ। ଏପରିକି ଲାଭର ହିସାବକୁ ମଜବୁତ କରିବାକୁ ଏହାଠାରୁ ଅଧିକ ଆୟ କରିବାର ଆବଶ୍ୟକତା ରହିଛି। ଅନ୍ୟପଟେ, ଫିଲ୍ମରେ ପ୍ରଥମ ଥର ପାଇଁ ବାପା ଓ ଝିଅ ଏକାଠି ପରଦାରେ ନଜର ଆସିବେ। ଶାହରୁଖ ଖାନ୍ ଓ ସୁହାନା ଖାନଙ୍କ ଯୋଡିକୁ ଦର୍ଶକ କେତେ ଭଲ ପାଇବା ଦେଉଛନ୍ତି ତାହା ଫିଲ୍ମ ରିଲିଜ ପରେ ଜଣାପଡିବ । ତେବେ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଫିଲ୍ମରେ ସୁହାନାଙ୍କ ବ୍ୟତୀତ ଦୀପିକା ପାଦୁକୋନ୍, ଅଭିଷେକ ବଚ୍ଚନ, ରାଣୀ ମୁଖାର୍ଜୀଙ୍କ ଭଳି ବଡ଼ ବଡ଼ ଷ୍ଟାର୍ ମଧ୍ୟ ନଜର ଆସିବେ । ଡିସେମ୍ବର ୨୪ରେ ଖ୍ରୀଷ୍ଟମାସ ଅବସରରେ ଫିଲ୍ମଟି ସିନେମା ହଲ୍କୁ ଆସିବାକୁ ଯାଉଛି। ତେବେ ରିଲିଜ୍ ପୂର୍ବରୁ ୧୭୫ କୋଟିର ରେକର୍ଡ ଡିଲ୍ କରିଥିବା ‘କିଙ୍ଗ୍’ ବକ୍ସ ଅଫିସରେ କେତେ ଧମାଲ କରିବ, ତାହା ଦେଖିବାକୁ ଦର୍ଶକଙ୍କ ଅପେକ୍ଷା।