ନୂଆଦିଲ୍ଲୀ,୦୬/୦୮: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । କିଛି ଦିନ ତଳେ ସେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ । ମାତ୍ର୧୫ବର୍ଷରେ ଟି୨୦ମୁକାବିଲା ଖେଳି ଇତିହାସ ରଚିଥିଲେ । ସର୍ବକନିଷ୍ଠ ଖେଳାଳି ଭାବେ ତାଙ୍କର ଏହି ରେକର୍ଡ ଅନେକ ବର୍ଷ ଯାଏଁ ଅନବ୍ରେକେବଲ୍ ରହିବା ନିଶ୍ଚିତ । ନିକଟରେ ଜିମ୍ବାଓ୍ୱେ ବିପକ୍ଷ ଟି୨୦ସିରିଜରେ ବୈଭବ ଦମଦାର ବ୍ୟାଟିଂ କରିଥିଲେ । ମ୍ୟାନ୍ ଅଫ୍ ଦି ସିରିଜ୍ ପୁରସ୍କାର ତାଙ୍କୁ ମିଳିଥିଲା । ଏବେ ତାଙ୍କୁ ଆଉ ଏକ ବଡ ଦାୟିତ୍ୱ ମିଳିଛି ।

Also Read :- ବାଂଲାଦେଶରେ ହିଂସା : କ୍ରିକେଟର୍ ଶାକିବ୍ ହାସନଙ୍କ ଘର ଉପରେ ଆକ୍ରମଣ

ଦୁଲୀପ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ବୈଭବଙ୍କୁ ଇଷ୍ଟ୍ ଜୋନ୍ ଟିମରେ ଜାଗା ମିଳିଛି । ଖାଲି ଜାଗା ମିଳିନି ସେ ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ । ଟିମର ନେତୃତ୍ୱ ନେବେ ଇଶାନ କିଷାନ । ଯାହାକୁ ନେଇ ବିବାଦ ଦେଖାଦେଇଛି । କେହି କେହି ଏହାକୁ ପସନ୍ଦ କରୁଥିବା ବେଳେ ଆଉ କେହି ନାପସନ୍ଦ କରିଛନ୍ତି ।

ଇଷ୍ଟ୍ ଜୋନର ଚୟନକର୍ତ୍ତା ପ୍ରରଞ୍ଜନ୍ ମଲିକ କହିଛନ୍ତି ଯେ, ବୈଭବଙ୍କୁ ଦାୟିତ୍ୱ ଦେଲେ ସେ ଅଧିକ ପରିପକ୍ୱ ହେବେ । ଫଳରେ ଭବିଷ୍ୟତରେ ସେ ଭାରତୀୟ ଦଳର ଅଧିନାୟକ ମଧ୍ୟ ହୋଇପାରିବେ । ଇଶାନ କିଷାନ ଓ୍ୱିକେଟ୍ କିପର୍ ରହିବେ । ସେ ହିଁ ସମସ୍ତ ମୁଖ୍ୟ ନିଷ୍ପତ୍ତି ନେବେ । ତେଣୁ ବୈଭବଙ୍କ ଉପରେ ବେଶି ବୋଝ ପଡିବ ନାହିଁ । କିନ୍ତୁ ପ୍ରରଞ୍ଜନଙ୍କ ବୟାନ ପରେ ବି ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ।

ଦେଖିବାକୁ ଗଲେ ଏତେ ଶୀଘ୍ର ଆଗକୁ ବଢିବା ବୈଭବଙ୍କ ପାଇଁ ଠିକ୍ ନୁହେଁ । ତାଙ୍କର କଳା ଏବଂ ସ୍କିଲ୍ ଉପରେ କାହାରି ସନ୍ଦେହ ନାହିଁ । ସେ ଯେଭଳି ଭାବେ ବଲକୁ ଟାଇମ୍ କରନ୍ତି ତାହା ଖୁବ୍ ଚମତ୍କାର । ହେଲେ ଅଧିନାୟକ କିମ୍ବା ଉପ ଅଧିନାୟକ ପଦ କେବଳ ଏକ ଦାୟିତ୍ୱ କିମ୍ବା ପୁରସ୍କାର ନୁହେଁ ବରଂ ଏହା ରଣନୀତିକୁ ବୁଝିବା, ବିରୋଧୀଙ୍କ ଚାଲକୁ ମାତ୍ ଦେବା ଏବଂ ଧୈର୍ଯ୍ୟ ରଖିବାର କଳା । ଯେଉଁ ବୟସରେ ବୈଭବଙ୍କ ନଜର କେବଳ ଖେଳ ଉପରେ ରହିବା କଥା ସେହି ବୟସରେ ସେ ଉପ ଅଧିନାୟକ ଦାୟିତ୍ୱ ନେଲେ ମାନସିକ ଚାପ ବଢିବ ।

ରେକର୍ଡ ଉପରେ ନଜର ପକାଇଲେ ଆଇପିଏଲରେ ବୈଭବଙ୍କ ଷ୍ଟ୍ରାଇକ୍ ରେଟ୍୨୦୦ଉପରେ ରହିଛି । କିନ୍ତୁ ରେଡ୍ ବଲ କ୍ରିକେଚରେ ତାଙ୍କ ଆଭରେଜ୍ ଏବେବି୧୭-୧୮ରହିଛି । ଏଥିରୁ ଚାରି ଦିବସୀୟ ଖେଳରେ ସେ ଅନେକ କିଛି ଶିଖିବା ବାକି ରହିଥିବା ଜଣାପଡେ । ଖେଉଁଠି କାହାକୁ ଫିଲ୍ଡିଂ ଦିଆଯିବ, କିଏ ବୋଲିଂ କରିବ ତାହା ଶିଖିବା ସହଜ କଥା ନୁହେଁ ।

ଉପ ଅଧିନାୟକ ପୋଷ୍ଟ୍ ଦେଇ ଚୟନକର୍ତ୍ତା ବୈଭବଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରୁଥିବା ଯୁକ୍ତି କରୁଛନ୍ତି । କିନ୍ତୁ ସେ ଏବେ ମାତ୍ର୧୫ବର୍ଷର ଅଟନ୍ତି । କଣ ବିସିସିଆଇ ତାଙ୍କୁ୧୮ବର୍ଷ ବୟସରେ ଟିମ୍ ଇଣ୍ଡିଆ ଅଧିନାୟକ କରିବ କି ବୋଲି କେହି କେହି ପଚାରୁଛନ୍ତି । ଯଦି ଏବେଠୁ ତାଙ୍କ ମୁଣ୍ଡରେ ଲିଡରସିପ୍ ଭର୍ତ୍ତି କରାଯାଏ ସେ ଖେଳ ଉପରେ ଫୋକସ କରିପାରିବେ ନାହିଁ ।

ଇତିହାସ ସାକ୍ଷୀ ଅଛି ଯେ, ବିସିସିଆଇ ପରବର୍ତ୍ତୀ ସଚିନ ତେନ୍ଦୁଲକର ଗଢିବା ପାଇଁ ଅନେକ ପ୍ରତିଭାଙ୍କୁ ଦାବି ଦେଇଛି । କିଛି ଦିନ ଭଲ ଖେଳିବା ପରେ ଅନେକ ଭଲ ବ୍ୟାଟର ଏବେ ହଜି ଗଲେଣି । ପୃଥ୍ୱୀ ଶାହ କମ୍ ବୟସରୁ କିଛି ସଫଳତା ପାଇଥିଲେ । ଏହାପରେ କିନ୍ତୁ ସେ ଖେଳରେ ମନ ଦେଲେନି । ଯାହା ପରେ ତାଙ୍କର ପତନ ଆରମ୍ଭ ହୋଇଯାଇଥିଲା । ବୈଭବଙ୍କ ସହ ଏପରି ନଘଟୁ ବୋଲି ଫ୍ୟାନ୍ସମାନେ ଆଶା କରୁଛନ୍ତି ।