ନୂଆଦିଲ୍ଲୀ ,୧ /୧୧ -; ନେପାଳରେ ପ୍ରବଳ ତୁଷାରପାତ ଯୋଗୁଁ ଫସି ରହିଛନ୍ତି ୬ ଜଣ ଭାରତୀୟ ପର୍ଯ୍ୟଟକ। ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି। ଶନିବାର ଅପରାହ୍ଣରୁ ନେପାଳର ଶେ-ଫୋକ୍ସୁଣ୍ଡୋ ଜାତୀୟ ଉଦ୍ୟାନ ଅଞ୍ଚଳରେ ପ୍ରବଳ ବରଫପାତ ହେବାରୁ ପର୍ଯ୍ୟଟକମାନେ ଫସି ଯାଇଛନ୍ତି। ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ନେପାଳ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି। ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟରର ସହାୟତା ନିଆଯିବାକୁ ଉଦ୍ୟମ ଚାଲିଛି।

ଡୋଲ୍ପା ଜିଲ୍ଲାର ମୁଖ୍ୟ ଜିଲ୍ଲା ଅଧିକାରୀ ଜୁନୁ ଢକାଲଙ୍କ ସୂଚନା ଅନୁଯାୟୀ, ଭାରତୀୟ ପର୍ଯ୍ୟଟକମାନେ କାଠ ମାଣ୍ଡୁଠାରୁ ପ୍ରାୟ ୩୦୦ କିଲୋମିଟର ଉତ୍ତର-ପଶ୍ଚିମରେ ଥିବା ଶେ-ଫୋକ୍ସୁଣ୍ଡୋ ଗ୍ରାମୀଣ ପୌରପାଳିକାର ୮ ନମ୍ବର ୱାର୍ଡ ଅନ୍ତର୍ଗତ ଧୋ ଅଞ୍ଚଳକୁ ଯାଇଥିଲେ। ହଠାତ୍ ପ୍ରବଳ ତୁଷାରପାତ ହେବାରୁ ସମଗ୍ର ଅଞ୍ଚଳ ବରଫରେ ଆଚ୍ଛାଦିତ ହୋଇଯାଇଛି।

ଢକାଲ କହିଛନ୍ତି ଯେ, ପର୍ଯ୍ୟଟକମାନେ କେଉଁଠାରେ ଫସି ରହିଛନ୍ତି, ସେହି ସ୍ଥାନ ଚିହ୍ନଟ କରାଯାଇଛି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେନାର ହେଲିକପ୍ଟର ପଠାଯାଇଛି। ଖୁବଶୀଘ୍ର ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ଆଶା ରହିଛି।

ତେବେ ନେପାଳର ଅନଲାଇନ୍ ଖବର ପୋର୍ଟାଲ 'ଅନଲାଇନ୍ ଖବର' ଅନୁଯାୟୀ, ସୁରକ୍ଷାକାର୍ଯ୍ୟରେ ମୁତୟନ ଥିବା ନେପାଳ ସେନାର ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଛି। ଅଧିକାରୀମାନେ ଅନ୍ୟ ଏକ ହେଲିକପ୍ଟରର ବ୍ୟବସ୍ଥା କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।

ମୁଖ୍ୟ ଜିଲ୍ଲା ଅଧିକାରୀଙ୍କ କହିବା ଅନୁଯାୟୀ, ସୁରକ୍ଷାକର୍ମୀ ଏବଂ ସେମାନଙ୍କ ସହ ଥିବା ନେପାଳୀ ଗାଇଡ୍ଙ୍କ ଚେତାବନୀ ସତ୍ତ୍ୱେ ପର୍ଯ୍ୟଟକମାନେ ଆଗକୁ ବଢ଼ିଥିଲେ। ପ୍ରବଳ ବରଫପାତ ମଧ୍ୟରେ ସେମାନେ ନିଜ ଗାଇଡ୍ଙ୍କୁ ଛାଡ଼ି ହ୍ରଦ ଆଡ଼କୁ ଯାଇଥିଲେ। ଶନିବାର ରାତିରେ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ଏହାପୂର୍ବରୁ ଶନିବାର ସନ୍ଧ୍ୟାରେ ଗାଇଡ୍ ଡୋଲ୍ପା ଜିଲ୍ଲା ପ୍ରଶାସନକୁ ଫୋନ୍ କରି ପ୍ରବଳ ବରଫପାତ ଯୋଗୁଁ ପର୍ଯ୍ୟଟକମାନେ ଫସି ଯାଇଥିବା ସୂଚନା ଦେଇଥିଲେ। ରବିବାର ସକାଳେ ସେମାନଙ୍କ ସହ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ତେବେ ପର୍ଯ୍ୟଟକମାନେ ନିଖୋଜ ନୁହନ୍ତି, କାରଣ ସେମାନେ କେଉଁଠାରେ ଫସିଛନ୍ତି ତାହା ଚିହ୍ନଟ ହୋଇସାରିଛି ବୋଲି ଢକାଲ ସ୍ପଷ୍ଟ କରିଛନ୍ତି।

also read- ଆଉ ୧୦ ମିନିଟ୍, ଧ୍ୱଂସ ହୋଇଯିବ ଇରାନ ! ଟ୍ରମ୍ପ୍ ବୟାନ ବଢାଇଲା ବଡ଼ ଯୁଦ୍ଧ ଆଶଙ୍କା

ଡୋଲ୍ପା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ଫସିଥିବା ପର୍ଯ୍ୟଟକମାନେ ହେଲେ ମୌମିତା ହାଲଦାର, ପିୟାଲି କୋଲେ, ଜାଜଲା ତ୍ରିବେଦୀ କୁମାର, ଆଦିତ୍ୟ ସିଂହା, ଦୀପ୍ଲିନା ବିଶ୍ୱାସ ଏବଂ ରାଜେଶ ଦେ।ତେବେ , ନେପାଳର ହିମାଳୟ ପାର୍ବତ୍ୟାଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ପର୍ଯ୍ୟଟକ ଫସିବା ଘଟଣା ନୂଆ ନୁହେଁ।

୨୦୨୫ ଅକ୍ଟୋବରରେ ମୁସ୍ତାଙ୍ଗର ହିଡେନ୍ ଭ୍ୟାଲିରେ ପ୍ରବଳ ବରଫପାତ ଯୋଗୁଁ ୩ ଜଣ ବ୍ରିଟିଶ୍ ମହିଳାଙ୍କ ସମେତ ୧୫ ଜଣ ଟ୍ରେକର୍ ଫସି ଯାଇଥିଲେ। ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ସେହିପରି ଗତବର୍ଷ ନଭେମ୍ବରରେ ମୁସ୍ତାଙ୍ଗ-ଡୋଲ୍ପା ସୀମା ନିକଟରେ ବରଫ ମଧ୍ୟରେ ଫସିଥିବା ଦୁଇ ଜଣ ନେପାଳୀ ପର୍ଯ୍ୟଟକଙ୍କୁ ମଧ୍ୟ ହେଲିକପ୍ଟର ସହାୟତାରେ ଉଦ୍ଧାର କରାଯାଇଥିଲା।ଏବେ ସମସ୍ତଙ୍କ ସନଜର ଫସି ରହିଥିବା ୬ ଭାରତୀୟ ପର୍ଯ୍ୟଟକଙ୍କ ଉଦ୍ଧାର ଅଭିଯାନ ଉପରେ ରହିଛି l