ଭୁବନେଶ୍ୱର ୨୦।୫: କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗୀତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡ଼ିଶାର ବିଭିନ୍ନ ବିକାଶ ମୂଳକ ପ୍ରକଳ୍ପରେ ଜାପାନର ସହଯୋଗ ଏବଂ କ୍ରମବର୍ଦ୍ଧିଷ୍ଣୁ ବାଣିଜ୍ୟିକ ସମ୍ପର୍କ ପାଇଁ ଜାପାନର ଉଚ୍ଚ ପ୍ରଶଂସା କରିଥିଲେ । ଆଗାମୀ ଦିନରେ ଜାପାନ ଓଡ଼ିଶାରେ ଅଧିକ ନିବେଶ କରିବା ସହିତ ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

କନସୁଲ ଜେନେରାଲ୍ ମିଷ୍ଟର ଇସିକାୱା ଉଭୟ ଜାପାନ ଓ ଓଡ଼ିଶା ମଧ୍ୟରେ ଥିବା ଐତିହାସିକ କଳା, ଐତିହ୍ୟ ଓ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶ ଉଦ୍ୟମରେ ଜାପାନ ସବୁବେଳେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ ।

ବୈଠକର ନିଷ୍ପତ୍ତି ଅନୁଯାୟୀ ଜାପାନର ଏକ ରାଜ୍ୟ ‘ତୋତ୍ତୋରି’ (Tottori Prefecture) ଓ ଓଡ଼ିଶା ମଧ୍ୟରେ ସହଭାଗୀତା ହେବ । ଏହି ଉଭୟ ରାଜ୍ୟ ‘ସିଷ୍ଟର ଷ୍ଟେଟ୍ସ’ ଭାବରେ କାର୍ଯ୍ୟ କରିବେ । ଉଭୟ ରାଜ୍ୟର ଉଚ୍ଚସ୍ତରୀୟ ଡେଲିଗେସନ ଆଗାମୀ ଦିନରେ ପରସ୍ପର ରାଜ୍ୟକୁ ଗସ୍ତ କରିବେ । ପରବର୍ତ୍ତୀ ସମୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ତୋତ୍ତୋରି’ର ରାଜ୍ୟପାଳ ଏହି ପାର୍ଟନରସିପ୍ ସମ୍ପର୍କରେ ଅଧିକୃତ ଘୋଷଣା କରିବେ ।

Also Read:- ଚଳିତ ବର୍ଷ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ, ରେଜଲ୍ଟ ପ୍ରକାଶ ପରେ ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା

ଏହା ସହିତ ଓଡ଼ିଶାର ଯୁବକମାନେ କିପରି ଜାପାନରେ ଅଧିକ ନିଯୁକ୍ତି ପାଇବେ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ଆଗାମୀ ଦିନରେ ଜାପାନର ରିକ୍ରୁଟମେଣ୍ଟ ଏଜେନ୍ସି ମାନେ ଓଡ଼ିଶାରେ କାମ କରିବେ। ଓଡ଼ିଶାର ଯୁବକ ଯୁବତୀ ମାନେ ଯେପରି ଅଧିକ ସଂଖ୍ୟାରେ ଜାପାନରେ ନିଯୁକ୍ତି ପାଇପାରିବେ, ସେଦିଗରେ ଏହି ସଂସ୍ଥାମାନେ ସହଯୋଗ ଯୋଗାଇଦେବେ ।

ଏହା ବ୍ୟତୀତ ଜାପାନ ଓ ଓଡ଼ିଶା ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଟେକ୍ନୋଲୋଜି ଓ ପର୍ଯ୍ୟଟନ କ୍ଷେତ୍ରରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ବୁଦ୍ଧିଷ୍ଟ ସର୍କିଟ୍ ଓ ଅନ୍ୟାନ୍ୟ ପ୍ରାକୃତିକ ସ୍ଥାନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏହା ସହିତ ଶିକ୍ଷା କ୍ଷେତ୍ରରେ ସହଭାଗୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ବୈଠକରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ବତ ମିଶ୍ର ଉପସ୍ଥିତ ଥିଲେ ।