ନୂଆଦିଲ୍ଲୀ: ବୋଲରଙ୍କ ଶାଣିତ ବୋଲିଂ ପରେ ପୁଣି ଥରେ ସମୀର ରିଜଭିଙ୍କ ବିଧ୍ଵଂସୀ ଇନିଂସ। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଇଥିବା ଚଳିତ ଆଇପିଏଲର ଅଷ୍ଟମ ମ୍ୟାଚରେ ଆୟୋଜକ ଦିଲ୍ଲୀ ମୁମ୍ବାଇ ଇଣ୍ଡିଆନ୍ସକୁ ୬ ଓ୍ଵିକେଟରେ ହରାଇଛି। ସହଜ ବିଜୟ ସହ କ୍ରମାଗତ ଦ୍ଵିତୀୟ ମ୍ୟାଚ୍ ଜିତିଛି ଅକ୍ଷର ପଟେଲଙ୍କ ଟିମ୍। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ୬ ଓ୍ଵିକେଟ୍ ହରାଇ ୧୬୨ ରନ କରିଥିଲା। ଜବାବରେ ସମୀର ରିଜଭିଙ୍କ ୯୦ ରନର ବିଧ୍ଵଂସୀ ଇନିଂସ ବଳରେ ଦିଲ୍ଲୀ ୧୧ ବଲ ପୂର୍ବରୁ ୪ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଛି। ସମୀରଙ୍କ ବ୍ୟତୀତ ପଥୁମ ନିଶଙ୍କା ୪୪ ରନ କରିଥିଲେ।

୧୬୨ ରନର ଟାର୍ଗେଟକୁ ପିଛା କରିଥିବା ଦିଲ୍ଲୀର ଆରମ୍ଭ  ନୈରାଶ୍ୟଜନକ ଥିଲା। କେଏଲ ରାହୁଲ ମାତ୍ର ୧ ରନ କରି ଆଉଟ ହେଲେ। ଏହା ପରେ ନୀତିଶ ରାଣା ରନ ଆଉଟ ହୋଇଥିଲେ। ଏହା ପରେ ପଥୁମ ନିଶଙ୍କା ଓ ସମୀର ରିଜଭି ଇନିଂସ ସମ୍ଭାଳିଥିଲେ। ଦୁହେଁ ମୁମ୍ବାଇକୁ ପାଲଟା ଆକ୍ରମଣ କରିଥିଲେ। ବିଶେଷ କରି ସମୀର ରିଜଭି ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୩୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

Also Read: ଭୁଲ୍ ରିପିଟ୍, ପଞ୍ଜାବଙ୍କ କ୍ୟାପଟେନ୍‌ଙ୍କ ଉପରେ ଲାଗିବ ବ୍ୟାନ୍!

ଅନ୍ୟପଟେ ପଥୁମ ନିଶଙ୍କା ୪୪ ରନ କରି ଆଉଟ୍ ହୋଇଥିଲେ। ସମୀର ପଥୁମଙ୍କ ସହ ୬୭ ରନ ଯୋଡ଼ିଥିଲେ। ଏହା ପରେ ସମୀର ଆହୁରି ଧୂଆଁଧାର ବ୍ୟାଟିଂ କରି ମୁମ୍ବାଇ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ସେ ନିଜର ଏହି ଇନିଂସରେ ୫୧ ବଲରେ ୭ ଚୌକା ଏବଂ  ୭ ଛକା ମାରି ୯୦ ରନ କରିଥିଲେ। ଏହା ପରେ ଡେଭିଡ୍ ମିଲରଙ୍କ ସହିତ ୭୮ରନର ପାର୍ଟନରସିପ୍ କରିଥିଲେ। ଫଳରେ ଦିଲ୍ଲି ୧୧ ବଲ ପୂର୍ବରୁ ମ୍ୟାଚକୁ ଜିତି ନେଇଥିଲା। ଡେଭିଡ ମିଲର ୨୧ ରନ କରି ଅପରାଜିତ ଥିଲେ।

ମୁମ୍ବାଇ ଇନିଂସ

ଏହା ପୂର୍ବରୁ ଟସ୍ ଜିତି ଦିଲ୍ଲୀ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଉ ଅଧିନାୟକଙ୍କ ଏହି ନିଷ୍ପତ୍ତିକୁ ବୋଲର ସଠିକ୍ ସାବ୍ୟସ୍ତ କରିଥିଲେ। କାରଣ ମୁମ୍ବାଇ ପରି ଦୁର୍ଦ୍ଦାନ୍ତ ବ୍ୟାଟିଂ କ୍ରମକୁ ୨୦୦ ରନ କରିବାକୁ ଦେଇ ନ ଥିଲେ। ମୁମ୍ବାଇର ଆରମ୍ଭ ଆଜି ନିରାଶ ଜନକ ଥିଲା। ୧୮ ରନରେ ଦଳ ଦୁଇଟି ଓ୍ଵିକେଟ୍ ହରାଇଥିଲା। ରିୟାନ ରିକଲଟନ ୯ ରନ କରିଥିବା ବେଳେ ତିଳକ ବର୍ମା ଖାତା ଖୋଲି ପାରି  ନ ଥିଲେ। ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ରୋହିତ ଶର୍ମା ମୋର୍ଚ୍ଚା ସମ୍ଭାଳିଥିଲେ। ଦୁଇ ବ୍ୟାଟର କ୍ରିଜରେ ଜମିଥିଲେ ହେଁ ଦିଲ୍ଲୀ ବୋଲର ହାତ ଖୋଲିବାକୁ ସୁଯୋଗ ଦେଇ ନ ଥିଲେ।

Also Read: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK

ଉଭୟ ୩ୟ ଓ୍ଵିକେଟ୍ ପାଇଁ ୫୩ ରନ ଯୋଡ଼ିଥିଲେ। ରୋହିତ ଶର୍ମା ବଡ ସଟ୍ ଖେଳିବା ପ୍ରୟାସରେ ୩୫ ରନ କରି ଆଉଟ୍ ହୋଇଥିଲେ।  ଶେରଫେନ ରଦରଫୋର୍ଡ(୫ ରନ) ନିରାଶ କରିଥିଲେ। ଦିଲ୍ଲୀ ବୋଲର ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ନେଇ ମୁମ୍ବାଇକୁ ହାତଖୋଲା ସଟ୍ ଖେଳିବାକୁ ଦେଇ ନ ଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୬ ବଲରୁ ୩ ଚୌକା ଓ ୨ ଛକା ସହ ୫୧ ରନ କରିଥିଲେ। ନମନ ଧୀର ୨୮ ରନ କରିଥିଲେ। ଶେଷ ଆଡ଼କୁ ମୁମ୍ବାଇ ଦ୍ରୁତ ଗତିରେ ରନ ସଂଗ୍ରହ କରି ପାରି ନ ଥିଲା। ଫଳରେ ଦଳ ୬ ଓ୍ଵିକେଟ୍ ହରାଇ ୧୬୨ ରନ କରି ପାରିଥିଲା। ସାଣ୍ଟନର ୧୮ ରନ ଓ କର୍ବିନ ବୋଶ ୪ ବଲରୁ ୧୧ ରନରେ ଅପରାଜିତ ଥିଲେ।