ଚେନ୍ନାଇ: ପଞ୍ଜାବ କିଙ୍ଗ୍ସ ଚେନ୍ନାଇ ସୁପର କିଙ୍ଗ୍ସକୁ ୫ ୱିକେଟରେ ପରାସ୍ତ କରିଛି। ଚେପକ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସିଏସକେ ପ୍ରଥମେ ବ୍ୟାଟିଂ କରି ୨୦୯ ରନ୍ କରିଥିଲା। ଜବାବରେ, ପଞ୍ଜାବ ୧୯ତମ ଓଭରରେ ଲକ୍ଷ୍ୟ ହାସଲ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି । ପଞ୍ଜାବ ପାଇଁ ଅଧିନାୟକ ଶ୍ରେୟସ ଆୟର ୫୦ ରନ୍ର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ।

ଟସ୍ ହାରିବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ଆୟୁଷ ମହାତ୍ରେ ୭୩ ରନ କରିଥିବା ବେଳେ ସରଫରାଜ ଖାନ ୩୨ ରନ କରିଥିଲେ। ଶିବମ ଦୁବେ ୪୫ ରନ କରି ଅପରାଜିତ ରହିଥିଲେ। ସେମାନଙ୍କ ପ୍ରୟାସରେ ଚେନ୍ନାଇ ମୋଟ ୨୦୯ ରନ କରିପାରିଥିଲା। ଏତେ ବଡ଼ ବିଜୟ ଲକ୍ଷ୍ୟ ମିଳିବା ସତ୍ବେ ପଞ୍ଜାବ କିଙ୍ଗ୍ସ ସହଜରେ ବିଜୟ ହାସଲ କରିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ପଞ୍ଜବ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନୀଙ୍କ ଅନୁପସ୍ଥିତିରେ ସିଏସକେ ଦୁଇଟି ମ୍ୟାଚରେ ପରାଜୟ ଭୋଗିଛି ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ୧୯ ତମ ସଂସ୍କରଣରେ ଆଜିର ମୁକାବିଲା ସପ୍ତମ ମୁକାବିଲା ଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଚେନ୍ନାଇ ସୁପର କିଙ୍ଗ୍ସର ଆରମ୍ଭ ଭଲ ନଥିଲା । ଦ୍ୱିତୀୟ ଓଭରରେ ସଞ୍ଜୁ ସାମସନ ମାତ୍ର ୭ ରନ୍ କରି ଦ୍ରୁତ ବୋଲର ଜାଭିୟର ବାର୍ଟଲେଟଙ୍କ ବଲରେ କ୍ୟାଚ୍ ଆଉଟ ହୋଇଥିଲେ। ଏହାପରେ ଅଧିନାୟକ ଋତୁରାଜ ଗାୟକୱାଡ ଏବଂ ଆୟୁଷ ମହାତ୍ରେ ଦ୍ୱିତୀୟ ୱିକେଟ ପାଇଁ ୯୬ ରନର ପାର୍ଟନରସିପ୍‌ କରିଥିଲେ। ଏହି ପାର୍ଟନରସିପ୍‌ ମଧ୍ୟରେ ଆୟୁଷ ୨୯ ବଲରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ।

ସ୍ପିନର ୟୁଜବେନ୍ଦ୍ର ଚହଲ ଋତୁରାଜ ଗାୟକୱାଡଙ୍କୁ ଆଉଟ୍ କରି ଏହି ପାର୍ଟନରସିପ୍ ଭାଙ୍ଗିଥିଲେ। ଋତୁରାଜ ୨୨ ବଲରେ ୨ଟି ଚୌକା ସହ ୨୮ ରନ୍ କରିଥିଲେ। ଏହାପରେ ଆୟୁଷ ମହାତ୍ରେଙ୍କ ବିଜୟକୁମାର ବୈଶାଖଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇଥିଲେ। ଆୟୁଷ ୪୩ ବଲ୍ଖେଳି ୭୩ ରନ୍ କରିଥିଲେ।ଯେଉଁଥିରେ ୬ ଚୌକା ଏବଂ ୫ ଛକା ସାମିଲ ଥିଲା। ଅନ୍ୟପଟେ କାର୍ତ୍ତିକ ଶର୍ମା ମାତ୍ର ୧ ରନ୍ କରି ମାର୍କୋ ଜାନସେନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ସରଫରାଜ ଖାନ କିଛି ବଡ଼ ସଟ୍ ମାରି ଚେନ୍ନାଇ ସୁପର କିଙ୍ଗ୍ସ ଇନିଂସକୁ ଦ୍ରୁତ ଗିତରେ ଆଗକୁ ବଢାଇବାକୁ ଚେଷ୍ଟା କରିଥିଲେ। ସରଫରାଜ ୧୨ଟି ବଲରୁ ୬ଟି ଚୌକା ଏବଂ ଗୋଟିଏ ଛକା ସହିତ ୩୨ ରନ କରିଥିଲେ। ଫଳରେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୨୦୯ ରନ୍ କରିଥିଲା। ହେଲେ ପଞ୍ଜବା କିଙ୍ଗ୍ସ ୧୮.୪ ଓଭରରେ ୫ ଓ୍ବିକେଟ ହରାଇ ମ୍ୟାଚ୍ ଜିତିଯାଇଛି ।