ବଡ଼ବିଲ ୨୦।୭: ବଡବିଲ ପୋଲିସର ବଡ଼ ସଫଳତା । ଆନ୍ତଃରାଜ୍ୟ ବ୍ରାଉନ ସୁଗାର ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କରି ୬ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୩୪ ଗ୍ରାମ ବ୍ରାଉନ ସୁଗାର, ନଗଦ ୫୦ ହଜାର ଟଙ୍କା, ବାଇକ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ରବିବାର ଏସ୍ଆଇ ଦେବାଶିଷ ରାଉଳଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଭଦ୍ରାସାହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ମୁଣ୍ଡାସାହି ଜଙ୍ଗଲ ଅଞ୍ଚଳରେ ବ୍ରାଉନ ସୁଗାର ବ୍ୟବସାୟ ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ । ପରେ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ କରାଯାଇଥିଲା ।

Also Read:- ସାର ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, DAP ଓ ୟୁରିଆ ବିକଳ୍ପକୁ ପ୍ରୋତ୍ସାହନ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି

ଚଢ଼ାଉ ସମୟରେ ୪ ଜଣ ସନ୍ଦିଗ୍ଧଙ୍କୁ ପୋଲିସ କାବୁ କରି ସେମାନଙ୍କ ନିକଟରୁ ୩୪ ଗ୍ରାମ ବ୍ରାଉନ ସୁଗାର, ନଗଦ ୫୦ ହଜାର ଟଙ୍କା, ଏକ ବାଇକ୍ ଓ ମୋବାଇଲ ଫୋନ ଜବତ କରିଥିଲା । ପରବର୍ତ୍ତୀ ତଦନ୍ତରେ ଏହି ରାକେଟ୍ ସହ ସମ୍ପୃକ୍ତ ୨ ଜଣ ବେପାରୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ ।

ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଓ ଝାଡଖଣ୍ଡର ଅଭିଯୁକ୍ତ ମାନେ ରହିଥିବାରୁ ଏହା ଏକ ଆନ୍ତଃରାଜ୍ୟ ରାକେଟ୍ ଥିବା ସ୍ପଷ୍ଟ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଏହି ନିଶାଦ୍ରବ୍ୟର ଉତ୍ସ ଓ ଏହି ରାକେଟ୍ ସହ ଜଡିତ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।