ନୂଆଦିଲ୍ଲୀ: ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସମ୍ପର୍କ ଆହୁରି ମଜଭୁତ ହେବାକୁ ଯାଉଛି। ଦୁଇ ପକ୍ଷ ମଧ୍ୟରେ ପ୍ରସ୍ତାବିତ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ହେବା ପୂର୍ବରୁ ବାଣିଜ୍ୟ, ପୁଞ୍ଜିନିବେଶ, କ୍ୱାଣ୍ଟମ୍ ଟେକ୍ନୋଲୋଜି, ସେମିକଣ୍ଡକ୍ଟର ଓ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ବଢ଼ାଇବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ସହଯୋଗ ଦ୍ୱାରା ଉଭୟ ପକ୍ଷ ପାଇଁ ଲାଭଦାୟକ ଓ ଦୀର୍ଘକାଳୀନ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ରଖାଯାଇଛି। ସୋମବାର ନୂଆଦିଲ୍ଲୀରେ ଅନୁଷ୍ଠିତ ସପ୍ତମ ଭାରତ-ଇଉରୋପୀୟ ରଣନୈତିକ ସହଭାଗିତା ସମୀକ୍ଷା ବୈଠକ ରେ ଏହି ନିଷ୍ପତ୍ତି ନିଆଯାଇଛି।

ଭାରତ ଓ ୨୭ଟି ସଦସ୍ୟ ଦେଶକୁ ନେଇ ଗଠିତ ୟୁରୋପୀୟ ସଂଘ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ବିଶ୍ୱର ଅନ୍ୟତମ ବଡ଼ ବାଣିଜ୍ୟିକ ଚୁକ୍ତି ଭାବେ ଦେଖାଯାଉଛି। ଏହାକୁ 'Mother of All Deals' ବୋଲି ମଧ୍ୟ କୁହାଯାଉଛି।ଏହି ଚୁକ୍ତି ସଫଳ ହେଲେ ପ୍ରାୟ ୨୦୦ କୋଟି ଲୋକଙ୍କୁ ନେଇ ଏକ ବିଶାଳ ବଜାର ସୃଷ୍ଟି ହେବ। ଏହାଦ୍ୱାରା ଭାରତୀୟ ଉତ୍ପାଦକ, ରପ୍ତାନିକାରୀ ଓ ବ୍ୟବସାୟୀମାନେ ୟୁରୋପୀୟ ବଜାରରେ ଅଧିକ ସୁଯୋଗ ପାଇପାରିବେ। ସେହିପରି ୟୁରୋପୀୟ କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ଭାରତୀୟ ବଜାରରେ ବ୍ୟବସାୟ ଓ ପୁଞ୍ଜିନିବେଶର ନୂଆ ରାସ୍ତା ଖୋଲିବ।

ବୈଠକରେ ଉଭୟ ପକ୍ଷ ଏହି ଚୁକ୍ତିର ସମୟୋଚିତ ସ୍ୱାକ୍ଷର ଓ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହ ପୁଞ୍ଜିନିବେଶ ସୁରକ୍ଷା ଚୁକ୍ତି ଏବଂ ଭୌଗୋଳିକ ସୂଚକ ସମ୍ପର୍କିତ ଚୁକ୍ତିକୁ ମଧ୍ୟ ଶେଷ କରିବା ଦିଗରେ କାମ ଜାରି ରଖିବାକୁ ସହମତି ପ୍ରକାଶ କରିଛନ୍ତି। ତେବେ କେବଳ ବାଣିଜ୍ୟ ନୁହେଁ, ଆଧୁନିକ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ମଧ୍ୟ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ସହଯୋଗ ବଢ଼ିବ।

କୃତ୍ରିମ ବୁଦ୍ଧିମତ୍ତା , କ୍ୱାଣ୍ଟମ୍ ଟେକ୍ନୋଲୋଜି, ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର , ଉନ୍ନତ ସେମିକଣ୍ଡକ୍ଟର, ସ୍ୱଚ୍ଛ ଶକ୍ତି ପ୍ରଯୁକ୍ତି ଓ ବାୟୋଟେକ୍ନୋଲୋଜି ଭଳି ଉଦୀୟମାନ କ୍ଷେତ୍ରରେ ମିଳିତ ଭାବେ କାମ କରିବା ଉପରେ ଆଲୋଚନା ହୋଇଛି।ଏହା ସହ ଦୁଇ ପକ୍ଷ ମଧ୍ୟରେ ଟ୍ରେଡ୍ ଆଣ୍ଡ ଟେକ୍ନୋଲୋଜି କାଉନସିଲ୍ ମାଧ୍ୟମରେ ରଣନୈତିକ ସହଯୋଗ ବଢ଼ାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ୨୦୨୨ରେ ଆରମ୍ଭ ହୋଇଥିବା ଏହି ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ହେଉଛି AI, କ୍ୱାଣ୍ଟମ୍ କମ୍ପ୍ୟୁଟିଂ, ସେମିକଣ୍ଡକ୍ଟର ଓ ସାଇବର ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତି କ୍ଷେତ୍ରରେ ସହଯୋଗ ଓ ଜ୍ଞାନ ଆଦାନପ୍ରଦାନକୁ ଆଗକୁ ବଢ଼ାଇବା। ଏହା ସହ ଦକ୍ଷତା ବିକାଶ, ଉଚ୍ଚଶିକ୍ଷା ଓ ନିଯୁକ୍ତି ସୁଯୋଗ ଉପରେ ମଧ୍ୟ ଦୁଇ ପକ୍ଷ ଆଲୋଚନା କରିଛନ୍ତି। ୟୁରୋପୀୟ ଲିଗାଲ୍ ଗେଟୱେ ଅଫିସ୍ର କାର୍ଯ୍ୟକଳାପର ଅଗ୍ରଗତିକୁ ନେଇ ମଧ୍ୟ ସମୀକ୍ଷା କରାଯାଇଛି।

ଭାରତ ଓ ୟୁରୋପ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଉଭୟ ପକ୍ଷ ଗୁରୁତ୍ୱ ଦେଇଛନ୍ତି। ଏଥିରେ Global Gateway, India-Middle East-Europe Economic Corridor (IMEC) ଏବଂ ତ୍ରିପାକ୍ଷିକ ପ୍ରକଳ୍ପଗୁଡ଼ିକ ସାମିଲ ରହିଛି। ସ୍ୱଚ୍ଛ ଶକ୍ତି, ଜଳବାୟୁ ସହନଶୀଳତା, ପରିବେଶ ଅନୁକୂଳ ପରିବହନ ଓ ଡିଜିଟାଲାଇଜେସନ୍ କ୍ଷେତ୍ରରେ ମିଳିତ ପ୍ରକଳ୍ପ ଆଗକୁ ବଢ଼ାଇବାକୁ ସହମତି ହୋଇଛି। ଏଥିସହ ବିଶ୍ୱସ୍ତରୀୟ ଶାସନ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ଦିଗରେ ମଧ୍ୟ ଉଭୟ ପକ୍ଷ ସମନ୍ୱୟ ଓ ସହଯୋଗ ବଢ଼ାଇବେ ବୋଲି ଆଲୋଚନା ହୋଇଛି ।

also read- ଏନଭିଡିଆ ଠାରୁ ବଡ଼ ହୋଇଗଲେ ସିଓ ଜେନସେନ୍ ହୁଆଙ୍ଗ! ଜଣେ ବ୍ୟକ୍ତିଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା କମ୍ପାନୀ ପାଇଁ ବଡ଼ ବିପଦ?

ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ଶକ୍ତି ଆଧାରିତ ପରିବର୍ତ୍ତନକୁ ଆଗକୁ ବଢ଼ାଇବା ନେଇ ଭାରତ ଓ ଇଉରୋପ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ଏହା ସହ ୟୁରୋପୀୟ ସଂଘର ଜାହାଜ ପୁନଃଚକ୍ରଣ ନିୟମ ପାଳନ କରୁଥିବା ଭାରତୀୟ ଜାହାଜ ଭଙ୍ଗା ଓ ପୁନଃଚକ୍ରଣ କେନ୍ଦ୍ରଗୁଡ଼ିକୁ ଇଉରୋପର ଅନୁମୋଦିତ ତାଲିକାରେ ସାମିଲ କରିବା ନେଇ ମଧ୍ୟ ଆଲୋଚନା ହୋଇଛି।