ଇନ୍ଦୋର ୦୩/୦୧: ଇନ୍ଦୋର ଜଳ ପ୍ରଦୂଷଣ ନେଇ ହଇଚଇ । ମୃତ୍ୟୁ ସଂଖ୍ୟା ବଢିବା ପରେ ଆକ୍ସନ ମୁଡ୍ରେ ସରକାର । ଶୁକ୍ରବାର ଇନ୍ଦୋର ନଗର ନିଗମ କମିଶନର ଦିଲୀପ କୁମାର ଯାଦବଙ୍କୁ ହଟାଇଛନ୍ତି ମଧ୍ୟପ୍ରଦେଶ ସରକାର । ଏହାସହ ଅତିରିକ୍ତ କମିଶନର ରୋହିତ ସିସୋନିଆଙ୍କୁ ନିଲମ୍ବିତ କରିଛନ୍ତି । ଇନ୍ଦୋରର ଭାଗୀରଥପୁରାରେ ଦୂଷିତ ଜଳ ଦୁର୍ଘଟଣା ପରେ ଏହା ସରକାରଙ୍କର ପ୍ରଥମ ବଡ଼ କାର୍ଯ୍ୟାନୁଷ୍ଠାନ ।

ଡିସେମ୍ବର ୨୯ ତାରିଖରୁ ସହରରେ ଲୋକମାନେ ବାରମ୍ୱାର ଅସୁସ୍ଥ ହେଉଛନ୍ତି । ତେବେ ଶୁକ୍ରବାର ଜଣେ ୬୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ପରେ ନିଆଯାଇଛି ଏହି କାର୍ଯ୍ୟାନୁଷ୍ଠାନ । କାରଣ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି ।ଇନ୍ଦର ନଗର ନିଗମ (IMC) ଜଳ ବଣ୍ଟନ ବିଭାଗର ଦାୟିତ୍ୱରେ ଥିବା ଅଧିକ୍ଷକ ଇଞ୍ଜିନିୟର ପ୍ରଦୀପ ନିଗମଙ୍କୁ ମଧ୍ୟ ତାଙ୍କ ପଦବୀରୁ ହଟାଇ ଦିଆଯାଇଛି। ଇନ୍ଦୋରରେ ଡେରା ପକାଇଥିବା ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜୟ ଦୁବେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ, ତିନି ଜଣ ଅତିରିକ୍ତ କମିଶନର - ଆକାଶ ପ୍ରଖର ସିଂହ ଏବଂ ଆଶିଷ କୁମାର ପାଠକଙ୍କୁ IMCରେ ନିଯୁକ୍ତ କରାଯାଇଥିଲା।

ତଥାପି, ରାଜ୍ୟ ସରକାର ଶୁକ୍ରବାର ଦିନ ଏମପି ହାଇକୋର୍ଟରେ ଏକ ଷ୍ଟାୟସ ରିପୋର୍ଟ ଦାଖଲ କରିଛନ୍ତି । ଯେଉଁଥିରେ କେବଳ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା କରାଯାଇଛି। ଇନ୍ଦୋରର ମେୟର ପୁଷ୍ୟମିତ୍ର ଭାର୍ଗବ ଶୁକ୍ରବାର ଦିନ କହିଛନ୍ତି ଯେ ସେ ଭାଗୀରଥପୁରାରେ ଡାଇରିଆ ପ୍ରକୋପ ଯୋଗୁଁ ୧୦ ଜଣଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁଯାୟୀ, ଭାଗୀରଥପୁରାରେ ଡାଇରିଆ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି। ତଥାପି, ମୁଁ ୧୦ ଜଣଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇଛି ବୋଲି ମେୟର କହିଛନ୍ତି । ହାଇକୋର୍ଟରେ ଦାଖଲ ହୋଇଥିବା ସ୍ଥିତି ରିପୋର୍ଟରେ କୁହାଯାଇଛି, ମୋଟ ୨୯୪ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଛି । ଯାହା ମଧ୍ୟରୁ ୯୩ ଜଣଙ୍କୁ ଡିସଚାର୍ଜ କରାଯାଇଛି । ପ୍ରାୟ ୨୦୧ ଜଣ ରୋଗୀ ଏବେ ବି ଭର୍ତ୍ତି ଅଛନ୍ତି । ୩୨ ଜଣ ବର୍ତ୍ତମାନ ଆଇସିୟୁରେ ଅଛନ୍ତି।ଆଇଏମସି ପୁନର୍ଗଠନର କିଛି ଘଣ୍ଟା ପୂର୍ବରୁ,

ମୁଖ୍ୟମନ୍ତ୍ରୀ ମୋହନ ଯାଦବ X ରେ ଲେଖିଥିଲେ: ମୁଁ ମୁଖ୍ୟ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଇନ୍ଦୋର ଦୂଷିତ ପାନୀୟ ଜଳ ମାମଲାରେ ରାଜ୍ୟ ସରକାରଙ୍କ କାର୍ଯ୍ୟ ସମୀକ୍ଷା କରିଥିଲି । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ବି ଜାରି କରିଥିଲି। ମୁଁ ନଗର ଉନ୍ନୟନ ବିଭାଗର ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ସଚିବଙ୍କ ଦ୍ୱାରା ଦାଖଲ ରିପୋର୍ଟ ଉପରେ ମଧ୍ୟ ଆଲୋଚନା କରିଥିଲି।

ମୁଖ୍ୟମନ୍ତ୍ରୀ X ରେ ଲେଖିଛନ୍ତି: ଆମେ ଦୂଷିତ ଜଳ ସମସ୍ୟାକୁ ବହୁତ ଗମ୍ଭୀରତାର ସହ ନେଇଛୁ । ଅବହେଳା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକଙ୍କ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ । ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି କୌଣସି ସାଲିସ କରାଯିବ ନାହିଁ । ଦରକାର ପଡିଲେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବୁ।ପ୍ରଶାସନିକ ପରିବର୍ତ୍ତନ ହେବା ମାତ୍ରେ, ଭାଗୀରଥପୁରାରେ ବଡ଼ ଆକ୍ସନ ଦେଖିବାକୁ ମିଳିଛି । IMC କର୍ମଚାରୀମାନେ ରାସ୍ତା ସଫା କରିବା ସହ ଟ୍ୟାଙ୍କରରୁ ପାଣି ଯୋଗାଣ କରୁଛନ୍ତି ।

ସ୍ୱାସ୍ଥ୍ୟ କର୍ମୀମାନେ ରୋଗୀଙ୍କୁ ପରୀକ୍ଷା କରିବା ସହ ଔଷଧ ବଣ୍ଟନ କରୁଛମନ୍ତି । ଆଶା କର୍ମୀମାନେ ଘର ଘର ସର୍ଭେ କରିବା ସହ ପିଲାମାନଙ୍କ ରେଗୁଲାର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଘଟଣାରେ ଶୁକ୍ରବାର ଦିନ, ଜଣେ ୬୮ ବର୍ଷୀୟ ଗୀତାବାଇ ଧ୍ରୁବକରଙ୍କ ଘରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କ ଭାଇ ଚନ୍ଦ୍ରଶେଖର ଧ୍ରୁବକର କହିଛନ୍ତି, "ତାଙ୍କୁ ଡାଇରିଆ ଏବଂ ବାନ୍ତି ହେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ପରେ ତାଙ୍କ କିଡନୀ ଫେଲ୍ ହୋଇଗଲା ।

ଶୁକ୍ରବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଇନ୍ଦର ନଗର ନିଗମର ଗାଡ଼ିଗୁଡ଼ିକ ଭାଗୀରଥପୁରାରେ ଘୋଷଣା କରି ଲୋକମାନଙ୍କୁ ଟ୍ୟାପ୍ ପାଣି ବ୍ୟବହାର ନକରିବାକୁ ଅନୁରୋଧ କରିଥିଲେ । ସମସ୍ତ ଲିକ୍ ମରାମତି ଓ ପ୍ରଦୂଷଣ ଯାଞ୍ଚ କରିବା ପରେ ବାସିନ୍ଦାମାନଙ୍କୁ ପିଇବା ପାଣି ଫୁଟାଇ ପିଇବାକୁ କୁହାଯାଇଛି ।