ନୂଆଦିଲ୍ଲୀ: ଗ୍ଲୋବାଲ ପାସପୋର୍ଟ ଇଣ୍ଡେକ୍ସ-୨୦୨୬ରେ ଭାରତ ୧୨୫ତମ ସ୍ଥାନକୁ ଖସିଛି। ଗତବର୍ଷ ରାଙ୍କିଙ୍ଗରେ ଭାରତ ସାମାନ୍ୟ ଭଲସ୍ଥାନକୁ ଉଠିଥିବା ସତ୍ତ୍ୱେ ଟପ୍ ୧୦୦ ସୂଚୀରୁ ବାଦ ପଡିଛି। ୨୦୨୧ ଓ ୨୦୨୩ରେ ଭାରତ ପାସପୋର୍ଟ ରାଙ୍କିଙ୍ଗର ୧୨୭ତମ ସ୍ଥାନରେ ଥିବା ବେଳେ ୨୦୨୫ରେ ୧୨୪ତମ ସ୍ଥାନକୁ ପହଞ୍ଚିଥିଲା। ଏବେ ଭାରତୀୟ ପାସପୋର୍ଟରେ ୨୬ ଟି ଦେଶକୁ ବିନା ଭିସାରେ ଯାତ୍ରା କରିହେବ। ଭାରତୀୟ ପାସପୋର୍ଟ ରାଙ୍କିଙ୍ଗ ନାମିବ୍ୟା ଠୁ ତଳେ ଓ ଫିଲପାଇନ୍ସ, ମରକ୍କୋ ଏବଂ ଉଜବେକିସ୍ତାନ ଭଳି ଦେଶଙ୍କ ପଛରେ ରହିଛି। ତେବେ ଆଜାରବୈଜାନ ଓ କିର୍ଗିଜସ୍ତାନଠାରୁ ଆଗରେ ରହିଛି। ଭାରତୀୟ ପାସପୋର୍ଟଧାରୀ ଭୁଟ୍ଟାନ, ନେପାଲ, ଜାମାଇକା, ମକାଉ, ପାଲେଷ୍ଟାଇନ, ଟ୍ୟୁନିସିୟା, ଅଙ୍ଗୋଲା ଓ ବାରବାଡୋସ ଭଳି ଦେଶକୁ ବିନା ଭିସା ଅଥବା ଭିସା ଅନ ଆରାଇଭଲରେ ଯାତ୍ରା କରିପାରିବେ।

ତେବେ ଭାରତୀୟ ପାସପୋର୍ଟରେ ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ, ଚୀନ୍ ଓ ୟୁଏଇ ସହିତ ୮୮ ଦେଶଙ୍କୁ ପ୍ରବେଶ ଲାଗି ଭିସା ଆବଶ୍ୟକ ହେବ। ରାଙ୍କିଙ୍ଗରେ ଭାରତର ପଡୋଶୀ ଦେଶ ଚୀନ୍ ୧୦୪ତମ ସ୍ଥାନରେ ରହିଛି। ତେବେ ଭାରତ ଦକ୍ଷିଣ ଏସିୟ ଦେଶଙ୍କ ତୁଳନାରେ ବେଶ୍ ଭଲ ସ୍ଥିତିରେ ଅଛି। ଏଥିରେ ବାଂଲାଦେଶ ୧୬୬,ନେପାଲ ୧୬୪ ଓ ପାକିସ୍ତାନ ୧୮୮ତମ ସ୍ଥାନରେ ଅଛନ୍ତି। ଗ୍ଲୋବାଲ ପାସପୋର୍ଟ ଇଣ୍ଡେକ୍ସ ୨୦୨୬ ଟପ୍ ୧୦ ସୂଚୀରେ ଅଧିକାଂଶ ୟୁରୋପୀୟ ଦେଶ ଅଛନ୍ତି, ଯାହା ଗ୍ଲୋବାଲ ଟ୍ରାଭେଲ ମୋବିଲିଟିରେ ଏହି ମହାଦ୍ୱୀପର ମଜଭୁତ ସ୍ଥିତିକୁ ଦର୍ଶାଉଛି।

ତେବେ ସବୁଠୁ ଖାସ କଥା ହେଉଛି ଫ୍ରାନ୍ସ ଓ ଆମେରିକା ପାସପୋର୍ଟ ଇଣ୍ଡେକ୍ସ ୨୦୨୬ର ମିଳିତ ୧୧ତମ ସ୍ଥାନରେ ଅଛନ୍ତି। ଏହି ଦୁଇ ଦେଶ ଟପ୍ ୧୦ ସୂଚୀରେ ସ୍ଥାନ ନେବାରେ ସାମାନ୍ୟ ପଛକୁ ରହିଯାଇଛନ୍ତି। ଏଥିରେ କାନାଡ଼ା ୧୩ତମ ସ୍ଥାନରେ ଥିବା ବେଳେ ଚଳିତବର୍ଷ ବିଶ୍ୱର ସବୁଠୁ ଶକ୍ତିଶାଳୀ ପାସପୋର୍ଟ ମାମଲାରେ ୟୁରୋପୀୟ ଦେଶ ସ୍ପଷ୍ଟ ରୂପେ ସବୁଠୁ ଆଗରେ ଅଛନ୍ତି। ଚଳିତବର୍ଷ ଇଣ୍ଡେକ୍ସର ପ୍ରଥମ ସ୍ଥାନରେ ସ୍ୱିଡେନ ଥିବା ବେଳେ ପଛକୁ ଦ୍ୱିତୀୟ ସ୍ଥାନରେ ସ୍ୱିଜରଲ୍ୟାଣ୍ଡ ରହିଛି। ତୃତୀୟ ସ୍ଥାନରେ ଫିନଲ୍ୟାଣ୍ଡ ଥିବା ବେଳେ ଜର୍ମାନ ଚତୁର୍ଥ ସ୍ଥାନରେ ରହିଛି। ଏଥିରେ ବ୍ରିଟେନ ଅଷ୍ଟମ ସ୍ଥାନ ପାଇଛି।