ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ଇଞ୍ଜିନିୟର ପତ୍ନୀଙ୍କୁ ଗୁଳି କରି ହତ୍ୟା କଲେ ଆମେରିକୀୟ ସ୍ୱାମୀ। ଆମେରିକାର ଜର୍ଜିଆ ରାଜ୍ୟରେ ଏଭଳି ହୃଦୟବିଦାରକ ଘଟଣା ଘଟିଛି। ଏଠିବି ହତ୍ୟାର ମୂଳକାରଣ ଘରୋଇ କଳି।। ମୃତ ମହିଳା ହେଲେ ଭାରତୀୟ ବଂଶୋଦ୍ଭବ ଇଞ୍ଜିନିୟର ତଥା ଗୁଗଲର ବରିଷ୍ଟ ଇଞ୍ଜିନିୟର ଶୀତଲ ୱ୍ରଜେସିଏନ୍। ଶୀତଲଙ୍କ ସ୍ୱାମୀ ତାଙ୍କ ପୁଅ ଜେସନ୍ ୱ୍ରଜେସିଏନ୍ (Jason Wrzesien)ଙ୍କୁ ବି ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ହେଲେ ଜାସନ ଗୁଳିରେ ଆହତ ହୋଇଥିବା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। 

ପୁଲିସ ସୂଚନା ଅନୁସାରେ, ମଙ୍ଗଳବାର ରାତିରେ କବ୍ କାଉଣ୍ଟିରେ ଥିବା ଦମ୍ପତିଙ୍କ ବାସଭବନରେ ଏହି ଗୁଳିକାଣ୍ଡ ଘଟିଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଅଧିକାରୀମାନେ ପ୍ରଥମେ ଘର ବାହାରେ ଜେସନ୍ ୱ୍ରଜେସିଏନଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପୁଲିସ କୌଣସି ସୂଚନା ଦେଇ ନାହିଁ।

ପୁଅକୁ ଉଦ୍ଧାର କରି ଡାକ୍ତରଖାନା ପଠାଇବା ପରେ ପୁଲିସ ଘର ଭିତରେ ପଶି ୫୭ ବର୍ଷୀୟ ଶୀତଲ ୱ୍ରଜେସିଏନଙ୍କୁ ଗୁଳିବିଦ୍ଧ ରକ୍ତଜୁଡୁବୁଡୁ ଅବସ୍ଥାରେ ଡାକ୍ତରଖାନା ନେଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ପୁଲିସ ମାମଲାରେ ତଦନ୍ତ ଚଳାଇଛି।

ଘରୋଇ ବିବାଦରୁ ହତ୍ୟାକାଣ୍ଡ

ପୁଲିସ ଘଟଣାସ୍ଥଳରୁ ଶୀତଲଙ୍କ ସ୍ୱାମୀ କିର୍କ ୱ୍ରଜେସିଏନ୍ (Kirk Wrzesien)ଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ହତ୍ୟା, ଦୁଇଟି ମରାଣନ୍ତକ ଆକ୍ରମଣ, ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବାର ଅଭିଯୋଗ ଲଗାଯାଇଛି। ପ୍ରାଥମିକ ତଦନ୍ତରୁ ଘରୋଇ ବିବାଦରୁ ଏହି ଗୁଳିକାଣ୍ଡ ହୋଇଛି ବୋଲି ପୁଲିସ ଅନୁମାନ କରିଛି। ତାଙ୍କ ପଡ଼ୋଶୀ ପିଟର ଲି କହିଛନ୍ତି ଯେ ମୁଁ ତାଙ୍କୁ ପ୍ରାୟତଃ ବଗିଚାରେ କାମ କରୁଥିବାର ଦେଖିଛି। ସେ ବହୁତ ଭଲ ଓ ମିଳାପୀ ପଡ଼ୋଶୀ ଥିଲେ। ତେବେ ଏଭଳି ଘଟଣା ଦୁଃଖଦ ବୋଲି ସେ କହିଛନ୍ତି।

କିଏ ଥିଲେ ଶୀତଲ ୱ୍ରଜେସିଏନ୍?

ଶୀତଲ ୱ୍ରଜେସିଏନ୍ Googleରେ ଜଣେ ଇଞ୍ଜିନିୟରିଂ ଲିଡର ଭାବେ କାର୍ଯ୍ୟରତ ଥିଲେ। ଟେକ୍ନୋଲୋଜୀ କ୍ଷେତ୍ରରେ ତାଙ୍କର ୨୦ ବର୍ଷରୁ ଅଧିକ ଅଭିଜ୍ଞତା ଥିଲା। ଗୁଗଲରେ ଯୋଗଦେବା ପୂର୍ବରୁ ସେ Home Depotର ଇ-କମର୍ସ ବ୍ୟବସାୟ ପାଇଁ ମୋବାଇଲ୍ ଓ ଡିଜିଟାଲ୍ ଟ୍ରାନ୍ସଫର୍ମେସନ୍ ପ୍ରକଳ୍ପର ନେତୃତ୍ୱ ନେଇଥିଲେ। ଘର ସାଜସଜ୍ଜା ଓ ଫର୍ନିସିଂ କ୍ଷେତ୍ରରେ କମ୍ପାନିର ବ୍ୟବସାୟ ବିସ୍ତାରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା। ସୂଚନା ଅନୁସାରେ ଶୀତଲଙ୍କ ପିଲାଦିନ ଇଂଲଣ୍ଡ, ଭାରତ ଓ ଘାନାରେ କଟିଥିଲା। ପରେ ସେ ଆମେରିକାକୁ ଯାଇ ୧୯୯୪ ମସିହାରେ ଜର୍ଜିଆ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜୀରୁ କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।