ବଡ଼ବିଲ: ବଡ଼ବିଲ ସେରେଣ୍ଡା ସ୍ଥିତ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଆଦିବାସୀ ଶିକ୍ଷା ବିକାଶ ସମିତି ଆବାସିକ ବିଦ୍ୟାଳୟରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ ପରିଚୟ କୋଲ୍ହ ବରପଦା ଅଞ୍ଚଳର ଶ୍ୟାମସୁନ୍ଦର ଦାସଙ୍କ ୯ ବର୍ଷର ପୁଅ ରାଜେଶ ପାତ୍ର ବୋଲି ଜଣାପଡ଼ିଛି।

ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୦ଟା ସମୟରେ ଭୋଜନ ସାରିବା ପରେ ରାଜେଶ ଆଉ କ୍ଲାସକୁ ଯାଇନଥିଲେ। ଦୀର୍ଘ ସମୟ ଧରି ତାଙ୍କର ପତ୍ତା ନମିଳିବାରୁ ସ୍କୁଲ ପକ୍ଷରୁ ଖୋଜାଖୋଜି କରାଯାଇଥିଲା। ପରେ ହଷ୍ଟେଲର ଏକ ରୁମରୁ ତାଙ୍କୁ ଅଚେତ୍ ଅବସ୍ଥାରେ ଠାବ କରାଯାଇଥିଲା। ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Also Read: ସାମାନ୍ୟ କଥା କଟାକଟିରୁ ଛୁରାମାଡ଼, ଆହତ ଛାତ୍ର ମେଡିକାଲରେ ଭର୍ତ୍ତି

ଖବର ପାଇ ମୃତ ଛାତ୍ରଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଗ୍ରାମବାସୀ ବଡ଼ବିଲ ମେଡିକାଲରେ ପହଞ୍ଚିଥିଲେ। ଛାତ୍ରଙ୍କ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସେପଟେ ବଡ଼ବିଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ କେଉଁ ପରିସ୍ଥିତିରେ ଛାତ୍ର ଜଣଙ୍କର ମୃତ୍ୟୁ ଘଟିଲା ? ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି।