କଟକ ୨୩।୧୧: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କଟକରେ ହୋଇଛି କାରକେଡ୍ ରିହର୍ସାଲ । ଅପରାହ୍ନ ଠିକ୍ ୪ଟା ୪୫ ମିନିଟ୍ରେ କାରକେଡ୍ ଆସି ପହଞ୍ଚିଥିଲା କଟକ ସିଲଭର ସିଟି ବୋଟ୍ କ୍ଲବ୍ ପରିସରରେ । କାରକେଡ୍ ସହ DGP ବିନୟତୋଷ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ସାମିଲ ଥିଲେ । ଏଥି ସହ ଡିଜିପି ବାଲିଯାତ୍ରା ପଡିଆରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ।

ରାତି ପାହିଲେ ଐତିହାସିକ କଟକ ବାଲିଯାତ୍ରା । ଚଳିତ ବର୍ଷ ବାଲିଯାତ୍ରା ଉଦଘାଟନୀ ଉତ୍ସବର ମୁଖ୍ୟ ଅତିଥି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ସଂଧ୍ୟା ୫ଟାରେ ରାଷ୍ଟ୍ରପତି ସଡକ ପଥରେ ଆସି କଟକ ସିଲଭର ସିଟି ବୋଟ୍ କ୍ଲବ୍ରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା କଳିଙ୍ଗ ତରଙ୍ଗିଣୀ ନାମକ ବୋଇତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଡଗଡିଆ ଘାଟକୁ ଯିବେ । କଟକ ଇନ୍ କଟକ ନିକଟରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଘାଟରେ ରାଷ୍ଟ୍ରପତି ବୋଇତ ଯୋଗେ ପହଞ୍ଚିବା ପରେ ସେଠାରେ ବୋଇତ ବନ୍ଦାଣ କରିବାର କାର୍ଯ୍ୟକ୍ରମ ରହିଛି ।

ଗଡଗଡିଆ ଘାଟରେ ବୋଇତ ବନ୍ଦାଣ କରିବା ପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀ ମାନଙ୍କ ସହ ରାଷ୍ଟ୍ରପତି କଟକ ଇନ୍ କଟକ ଏନକ୍ଲୋଜର ବୁଲିବେ । ପରେ ଓରମାସ୍ ପଲ୍ଲିଶ୍ରୀ ମେଳା ଉଦଘାଟନ କରିବେ ରାଷ୍ଟ୍ରପତି । ସେଠାରୁ ରାଷ୍ଟ୍ରପତି ସିଧା ଗଣକବି ବୈଷ୍ଣବ ପାଣି ମଞ୍ଚକୁ ଯାଇ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଯେଉଁ ରାସ୍ତା ଦେଇ ରାଷ୍ଟ୍ରପତି ଯିବେ, ସେହି ରାସ୍ତା କଡରେ ଥିବା ସବୁ ଷ୍ଟଲ୍କୁ ବନ୍ଦ ରଖିବାକୁ ପୋଲିସ ନିର୍ଦ୍ଦେଶ ଦେଇଛି । କେବଳ ସ୍ବତନ୍ତ୍ର ପାସ୍ ଧାରି ବ୍ୟକ୍ତିଙ୍କୁ ରାଷ୍ଟ୍ରପତିଙ୍କ ସଭାକୁ ଯିବାକୁ ଅନୁମତି ମିଳିବ ।

Also Read:- ପ୍ରକାଶ ପାଇଲା OSSTET ରେଜଲ୍ଟ, ପାସ୍ ହାର ୭୯.୧୫ ପ୍ରତିଶତ

ସୁରକ୍ଷା ଦୃଷ୍ଟିରୁ ୭୦ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ବାଲିଯାତ୍ରା ସୁପରିଚାଳନା ପାଇଁ ନିୟୋଜିତ ହେବେ ୪ ଶହ ପୋଲିସ ଅଧିକାରୀ । ସମ୍ପୂର୍ଣ୍ଣ ବାଲିଯାତ୍ରା ପଡିଆ ୧୨ ଶହ ସିସିଟିଭି ନଜରରେ ରହିବ । ଏଥିସହ ପୋଲିସ ପକ୍ଷରୁ ୩୮ଟି ଓ୍ବାଚ୍ ଟାଓ୍ବାର କରାଯାଇଥିବା ଡିସିପି ସୂଚନା ଦେଇଛନ୍ତି ।ସେପଟେ ବ୍ୟବସାୟୀ ମାନଙ୍କ ଲାଗି ଯାତ୍ରା ପଡିଆ ପ୍ରସ୍ତୁତ ହୋଇସାରିଛି । କିଛି ବ୍ୟବସାୟୀ ଅସିଗଲେଣି ଆଉ କିଛି ମଙ୍ଗଳବାର ସୁଦ୍ଧା ପହଞ୍ଚିବେ । ତେବେ ତଳ ବାଲିଯାତ୍ରା ପଡିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ସାରିଥିଲେ ମଧ୍ୟ ଉପର ପଡିଆର କିଛି ସ୍ଥାନରେ ରାସ୍ତା ମରାମତି ଆବଶ୍ୟକ । ସେ କାମ ଯୁଦ୍ଧ କାଳୀନ ଭିତ୍ତିରେ ଚାଲିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।

Watch Video: