ମୋରଡ଼ା: ​​​​​​​ ନିଜର ୭ ମାସର ଶିଶୁକନ୍ୟାକୁ ଆଣି ପୋଲିଓ ଖୁଆଇବାକୁ ଆସିଥିଲା ସ୍ତ୍ରୀ। ହେଲେ ଛକି ରହିଥିଲେ ସ୍ୱାମୀ ଜଗଜ ଜୀବନ ସେଠୀ। ସ୍ତ୍ରୀ ପୋଲିଓ କେନ୍ଦ୍ରରୁ ବାହାରିବା ମାତ୍ରେ ଝାମ୍ପି ନେଇ ଛୁଆକୁ ଛଡେଇ ନେଲା । ବାଧା ଦେବାରୁ ସ୍ତ୍ରୀକୁ ନିର୍ଦ୍ଧୁମ ପିଟିଲା। ଆଉ ସ୍ତ୍ରୀ କାନ୍ଦି କାନ୍ଦି ପହଞ୍ଚିଲେ ବାପା ଘରକୁ। ସବୁ କହିଲେ ବାପା ମା'ଙ୍କୁ। ତାପରେ ମାମଲା ଯାଇ ପହଞ୍ଚିଥିଲା ଥାନାରେ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତୋଟାପଡ଼ା ପଞ୍ଚାୟତର ହାଣ୍ଡିଧୁଆ ଗାଁରେ।

ସୂଚନା ମୁତାବକ ସ୍ୱାମୀ ଜଗଜ ସେଠୀକୁ ଭଲ ପାଇ ବାହା ହୋଇଥିଲେ ଜୟନ୍ତୀ ସେଠୀ। ଶାଶୁଘର ବେଶି ବାଟରେ ନ ଥିଲା। ମାତ୍ର ୧ କିମି ଦୂର ହାଣ୍ଡିଧୁଆ ଗାଁରୁ ଅସରଖାଲି ଗାଁ। ବାରିପଦା ସହରରେ ସ୍ୱାମୀ ପୋଲିସ ଚାକିରି କରନ୍ତି। ତଥାପି ସବୁ ମାନବିକତା ଭୁଲି ସ୍ତ୍ରୀକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଆଉ କ୍ଷୀର ପିଆ ଛୁଆକୁ ମଆଠୁ ଛଡ଼ାଇ ନେଇଛନ୍ତି। କାନ୍ଦି କାନ୍ଦି ମାଆର ଅବସ୍ଥା ବେହାଲ ହେଲାଣି। ଭଲ ପାଇ ଯାହାର ହାତ ଧରିଥିଲେ ସେ ଏଭଳି କରିବ ବୋଲି ସେ ବିଶ୍ଵାସ କରି ପାରୁ ନାହାନ୍ତି। କ୍ଷୀରପିଆ ପିଲାକୁ ଛାଡି ହୃଦୟ ବେଦନା ସହିପାରୁନି ମାଆ। ବାହୁନି ବାହୁନି କାନ୍ଦି ଛୁଆକୁ ଖୋଜୁଛନ୍ତି।

Also Read: ଚାକିରିରୁ ନିଲମ୍ବିତ ହେଲେ ବିଦ୍ୟାଭାରତୀ ପଣ୍ଡା, ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ

ସୂଚନା ଅନୁସାରେ ଶାଶୁ, ନଣଦ ଯୌତୁକରେ ଦିଆଯାଇଥିବା ମୁଦିକୁ ନେଇ ଜୟନ୍ତୀଙ୍କୁ ନିର୍ଯ୍ୟାତନା ଦେଉଥିଲେ । ସ୍ୱାମୀ କିଛି କଥା ନ ଶୁଣି ମାଆ, ଭଉଣୀଙ୍କ ସହ ମିଶି ସ୍ତ୍ରୀକୁ ନିର୍ଯାତନା ଦେଉଥିଲେ । ତେଣୁ ୩ ମାସ ହେବ ଜୟନ୍ତୀ ନିଜ କୁନି ଝିଅକୁ ଧରି ବାପଘରେ ଆସି ରହୁଥିଲେ । ଆଜି ସ୍ଥାନୀୟ ଅଶନଖାଲ ବିଦ୍ୟାଳୟରେ ଝିଅକୁ ପୋଲିଓ ଦେବାକୁ ଆସିଥିଲେ। ଏକଥା ଜାଣିପାରି ପୋଲିଓ କେନ୍ଦ୍ର ବାହାରେ ଏଭଳି ବର୍ବର କାଣ୍ଡ ଘଟାଇଛନ୍ତି ସ୍ଵାମୀ। ତେବେ ଏନେଇ ରାସଗୋବିନ୍ଦପୁର ଥାନାରେ ଏକ ମାମଲା ରୁଜୁ ହୋଇଛି।

ଏପଟେ ପିଲାକୁ ଆଣିବାକୁ ଯାଇ ଶାଶୁ ଘର ତରଫରୁ ଓଲଟି କେସ କରାଯାଇଛି । ପିଲାକୁ କୋଉଠି ଲୁଚାଇଛନ୍ତି ସ୍ୱାମୀ ଏଯାବତ ପୋଲିସ ଖୋଜି ପାଉନାହାନ୍ତି । ସ୍ୱାମୀ ପୋଲିସରେ କାର୍ଯ୍ୟରତ ଥିବା ସତ୍ତ୍ବେ ଏଭଳି କାର୍ଯ୍ୟ କରିବାକୁ ନେଇ ବିଭିନ୍ନ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି । ତୁରନ୍ତ ପିଲାକୁ ମା କୋଳକୁ ଫେରାଇବାକୁ ଦାବି କରିଛନ୍ତି ଘର ଲୋକେ। ତଦନ୍ତ ଜାରି ରଖି ପିଲାକୁ ଓ ଜଗତକୁ ଖୋଜୁଛି ରାସଗୋବିନ୍ଦପୁର ପୋଲିସ।