ନୂଆଦିଲ୍ଲୀ, ୦୫/୦୪ : କଥାରେ ଅଛି କର୍ମ ହିଁ ଭଗବାନ । ରୋଜଗାର କରିବା ପାଇଁ ହେଉ ବା ନିଜର ସଉକ ପୁରା ପାଇଁ, ସମସ୍ତେ କିଛି ନା କିଛି କର୍ମ କରନ୍ତି । ବଡ ବଡ ସଂସ୍ଥାର କାମ କରନ୍ତି । ଏପରିକି ଟଙ୍କା ଉପାର୍ଜନ ପାଇଁ ବିଦେଶ ମଧ୍ୟ ଯାଆନ୍ତି । ତେବେ ବିଦେଶରେ କାମ କରିବାର ପ୍ରଣାଳୀ ବା ଓ୍ୱାର୍କ୍ କଲଚର୍ କେମିତି ତାହା ଜଣେ ଭାରତୀୟ ସେୟାର କରିଛନ୍ତି । ପୋଲାଣ୍ଡର ଏକ ଅଫିସରେ କାର୍ଯ୍ୟ କରୁଥିବା ଜଣେ ଭାରତୀୟ ନିଜ ଅଫିସ ଏବଂ କାମ ବାବଦରେ ଇନଷ୍ଟାଗ୍ରାମରେ ଅନେକ କଥା ପ୍ରକାଶ କରିଛନ୍ତି ।

ଇନଷ୍ଟାଗ୍ରାମରେ ସେୟାର କରିଥିବା ବ୍ୟକ୍ତି ହେଲେ ଅନିରୁଦ୍ଧ ଶର୍ମା । ସେ ପୋଲାଣ୍ଡର ଏକ ବ୍ୟାଙ୍କରେ କାମ କରନ୍ତି । ସେ ଏକ ଭିଡିଓ ଜାରି କରି କହିଛନ୍ତି ଯେ, ‘ମୋ ନାଁ ହେଉଛି ଅନିରୁଦ୍ଧ ଶର୍ମା । ମୁଁ ପୋଲାଣ୍ଡରେ ଏକ ବ୍ୟାଙ୍କରେ କାମ କରେ । ଆଜି ମୁଁ ସମସ୍ତଙ୍କୁ ପ୍ରଫେସନାଲ ରୋଲ୍ ବାବଦରେ କହିବି । ଦରମାଠୁ ଆହୁରି କେତେ କଣ ସୁବିଧା ମିଳେ ତାହା ପ୍ରକାଶ କରିବି ।‘

ସେ ଆହୁରି କହିଛନ୍ତି ଯେ, ଏଠାରେ କାମ କରିବା ଖୁବ୍ ସହଜ । ସେ ସକାଳ ୮ଟାରୁ ୪ଟା ଯାଏଁ କାମ କରନ୍ତି । ଫଳରେ ତାଙ୍କୁ ପର୍ସନାଲ୍ ଲାଇଫ୍ ପାଇଁ ଖୁବ୍ ସମୟ ମିଳେ । ଏହାସହ ସପ୍ତାହରେ ଦୁଇରୁ ତିନି ଦିନ ଓ୍ୱାର୍କ୍ ଫ୍ରମ୍ ହୋମ୍ ସୁବିଧା ମିଳିଥାଏ । ଯଦି କୌଣସି ଛୁଟି ଦିନରେ କାମ କରିବାକୁ ହୁଏ ତାହାଲେ ଦୁଇ ଗୁଣା ଅଧିକ ଦରମା ମିଳେ । ଓଭର୍ ଟାଇମ୍ କଲେ ଦୈନିକ ଦରମାର ଦେଢ ଗୁଣା ମିଳିଥାଏ ।

ଅନେକ ସୁବିଧା ସୁଯୋଗ

ଅନିରୁଦ୍ଧ କହିଛନ୍ତି ଯେ, ଏଠାରେ କର୍ମଚାରୀଙ୍କ ସୁବିଧା ପାଇଁ ଅନେକ ନିୟମ ରହିଛି । କୌଣସି ଦେହ ଖରାପ ହୋଇ ଛୁଟି ନେଲେ ୮୦ ପ୍ରତିଶତ ଦରମା ମିଳିଥାଏ । କିଛି କିଛି କମ୍ପାନୀ ପୂର୍ଣ୍ଣ ଦରମା ପ୍ରଦାନ କରିଥାନ୍ତି । ଏହାସହ କମ୍ପାନୀ ତରଫରୁ ପିକନିକ୍, ମାଉଣ୍ଟେନ୍ ଟ୍ରେକିଂ ଆଦି ଅନୁଷ୍ଠିତ ହୁଏ । ଅନେକ କମ୍ପାନୀରେ ଜିମ୍ ଏବଂ ଫ୍ରି ଜଳଖିଆ ମିଳିଥାଏ । ବର୍ଷକୁ ୨୫ ଦିନ ଛୁଟି ମିଳିଥାଏ । ଲଗାତାର ଦୁଇ ସପ୍ତାହ ଛୁଟି କଟାଇବାକୁ ଅନୁମତି ରହିଛି ।

ଏତତ୍ ବ୍ୟତୀତ ଯଦି ସନ୍ତାନ ଜନ୍ମ ହେବାର ଥାଏ ତାହେଲେ ଉଭୟ ମାତା ଏବଂ ପିତାଙ୍କୁ ୫୨ ସପ୍ତାହ ଛୁଟି ମିଳିଥାଏ । ସବୁଠାରୁ ବଡ କଥା ହେଉଛି ଯେ, ପୈତୃକ ଛୁଟି ପାଇଁ କେବଳ ମ୍ୟାନେଜରଙ୍କୁ ସୂଚନା ଦେବାକୁ ହୁଏ । କୌଣସି ଦରଖାସ୍ତ ଦେବାକୁ ପଡିନଥାଏ ।

Also Read :-Trump Warns: ମଙ୍ଗଳବାର ଇରାନ୍‌ ପାଇଁ ଶେଷ ଦିନ ! ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ପରେ ହଇଚଇ

ନେଟିଜେନ୍ସଙ୍କ ରିଆକ୍ସନ

ଅନିରୁଦ୍ଧଙ୍କ ଭିଡିଓ ଦେଖିବା ପରେ ନେଟିଜେନ୍ସ ରିଆକ୍ଟ୍ କରିଛନ୍ତି । ଅନେକ ୟୁଜର ଏହା ଖୁବ୍ ଭଲ ବୋଲି କହିଛନ୍ତି । ଆଉ କେହି କେହି ଭାରତୀୟ ଅଫିସରୁ ପୋଲାଣ୍ଡର ଅଫିସ ପୂରା ଅଲଗା ବୋଲି କହିଛନ୍ତି ।