ନୂଆଦିଲ୍ଲୀ, ୦୩ /୧୨: ଚମତ୍କାର ଫର୍ମରେ ଅଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦିନିକିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥ ଦିନିକିଆରେ ତାଙ୍କ ବ୍ୟାଟରୁ ହୋଇଛି ରନ୍ ବର୍ଷା । ଟେଷ୍ଟ୍ ସିରିଜରେ ମାଟି କାମୁଡିଥିବା ଭାରତ ପାଇଁ ଦିନିକିଆ ଥିଲା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ବିରାଟ ଏବଂ ରୋହିତଙ୍କ ଉପରେ ରହିଥିଲା ସମସ୍ତଙ୍କ ନଜର । ତେବେ ନିରାଶ କରିନଥିଲେ ରୋ-କୋ । ଦମଦାର ବ୍ୟାଟିଂ କରି ଶତକ ହାସଲ କରିଥିଲେ ବିରାଟ । ରୋହିତଙ୍କ ବ୍ୟାଟରୁ ମଧ୍ୟ ବାହାରିଥିଲା ହାଫ୍ ସେଞ୍ଚୁରୀ ।

ଏସବୁ ଭିତରେ କୋଚ୍ ଗୌତମ ଗମ୍ଭୀରଙ୍କ ସହ ରୋ-କୋଙ୍କ ସମ୍ପର୍କ ଭଲ ନଥିବା ଶୁଣିବାକୁ ମିଳୁଛି । କାରଣ ଗମ୍ଭୀରଙ୍କ ପାଇଁ ରୋହିତ-ବିରାଟ ଟେଷ୍ଟ୍ କ୍ରିକେଟ୍ ଛାଡିଥିବା ଚର୍ଚ୍ଚା ହେଉଛି । କୋଚ୍ ଏହି ଦୁଇ ଖେଳାଳିଙ୍କୁ ପସନ୍ଦ କରୁନଥିବା ଅନେକ ପୂର୍ବତନ କ୍ରିକେଟର କହୁଛନ୍ତି । ଏହାରି ଭିତରେ ସାମ୍ନାକୁ ଆସିଛି ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଏସ ଶ୍ରୀସନ୍ଥଙ୍କ ବୟାନ । ସେ ରୋହିତ ଏବଂ ବିରାଟଙ୍କ ପାଇଁ ବାହାରିଛନ୍ତି ।

ଶ୍ରୀସନ୍ଥ କହିଛନ୍ତି ଯେ, ରୋ-କୋଙ୍କୁ ରୋକ ନାହିଁ । ଉଭୟ ଖେଳାଳିଙ୍କୁ ନ ଅଟକାଇବା ପାଇଁ ସେ ଗମ୍ଭୀରଙ୍କୁ ପରାମର୍ଶ ଦେଇଛନ୍ତି । ସେମାନେ ଯେତେଦିନ ଚାହୁଁଛନ୍ତି ଓଡିଆଇ ଖେଳନ୍ତୁ । ଉଭୟ ଖେଳାଳି ବର୍ତ୍ତମାନର ଭାରତୀୟ ଖେଳାଳିଠୁ ୧୦୦୦ ଗୁଣ ଭଲ ପ୍ରଦର୍ଶନ କରୁଛନ୍ତି । ସେମାନେ ଦମଦାର ବ୍ୟାଟର । ଏହାସହ ଦୁଇ ଭେଟେରାନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି ।

୨୦୨୭ ବିଶ୍ୱକପକୁ ଟାର୍ଗେଟ୍

୨୦୨୭ ବିଶ୍ୱକପରେ ଖେଳିବାକୁ ଇଚ୍ଛା ରଖିଥିବା ବିରାଟ କୋହଲି ଏବଂ ରୋହିତ ଶର୍ମା ଲାଗାତାର ଭଲ ପ୍ରଦର୍ଶନ କରୁଛନ୍ତି । ଓଡିଆଇରେ ଲଗାତାର ଦୁଇଟି ଶତକୀୟ ଭାଗୀଦାରି କରିଛନ୍ତି ଦୁଇ ଭେଟରାନ । ରାଞ୍ଚି ପୂର୍ବରୁ, ସେମାନେ ଅଷ୍ଟ୍ରେଲିଆରେ ତୃତୀୟ ODIରେ ଏକ ଶତକୀୟ ଭାଗୀଦାରି କରିଥିଲେ। ରୋହିତ ଶତକ ହାସଲ କରିଥିଲେ ଏବଂ ବିରାଟ ୭୪ ରନ୍ କରି ଅପରାଜିତ ରହିଥିଲେ। ରାଞ୍ଚିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଓଡିଆଇରେ ସେମାନେ ଦ୍ୱିତୀୟ ୱିକେଟ ପାଇଁ ଏକ ଶତକୀୟ ଭାଗୀଦାରି ମଧ୍ୟ କରିଥିଲେ । ଏହି ମ୍ୟାଚରେ ବିରାଟ କୋହଲି ୧୩୫ ଏବଂ ରୋହିତ ୫୭ ରନ କରିଥିଲେ। ମୁକାବିଲାରେ ଟିମ୍ ଇଣ୍ଡିଆ ୩୪୯ ରନର ବିଶାଳ ସ୍କୋର କରିଥିଲା। ପ୍ରଥମ ଦିନିକିଆକୁ ୧୭ ରନରେ ଜିତିବା ପରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଦ୍ୱିତୀୟ ଦିନିକିଆ ବୁଧବାର ରାୟପୁରରେ ଖେଳାଯିବ।